ଭାରତ ଏକ ମହାନ ଦେଶ । ଏହା ହଜାର ହଜାର ବର୍ଷର ସଂସ୍କୃତି, ପରମ୍ପରା, ଐତିହ୍ୟ, ଆଧ୍ୟାତ୍ମିକତା ଓ ଦର୍ଶନର ଗୁରୁଗାରିମାକୁ ଧାରଣ କରି ସମଗ୍ର ବିଶ୍ୱକୁ ଦିଗ୍ଦର୍ଶନ ଦେଇଆସିଛି । ପ୍ରାଚୀନତମ ଗ୍ରନ୍ଥ ବେଦ, ଉପନିଷଦ, ସଂହିତା ପ୍ରଭୃତିକୁ ବାଦ୍ ଦେଲେ ମହର୍ଷି ବାଲ୍ମୀକି ଓ କୃଷ୍ଣଦ୍ୱୈପାୟନ ମହର୍ଷି ବ୍ୟାସଦେବ ଯେଉଁ ମହାକାବ୍ୟ ଦୁଇଟି ରଚନା କରିଛନ୍ତି, ତାହା ସର୍ବକାଳର ଜୀବନ ଜିଜ୍ଞାସାର ଅଭ୍ରାନ୍ତ ଉତ୍ତର । କଥିତ ଅଛି- ବ୍ୟାସଦେବ ମହାଭାରତ, ଅଷ୍ଟାଦଶ ପୁରାଣ ରଚନା କରିସାରିବା ପରେ ମଧ୍ୟ ଆତ୍ମସନ୍ତୋଷ ପାଇନଥିଲେ । ସେ ଦୁଃଖରେ ଗଙ୍ଗାନଦୀ କୂଳରେ ବସିଥିବାବେଳେ ତାଙ୍କୁ ମହର୍ଷି ନାରଦ ତାଙ୍କ ଅସନ୍ତୋଷର କାରଣ ପଚାରି ଶ୍ରୀମଦ୍ ଭାଗବତ ରଚନା କରିବାକୁ ପରାମର୍ଶ ଦେଇଥିଲେ ।
ଯୁଧିଷ୍ଠିରଙ୍କର ଉତ୍ତରାଧିକାରୀ ରୂପେ ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତ ରାଜ ସିଂହାସନ ଆରୋହଣ କଲେ । ଥରେ ସେ ଯାଉଥିବାବେଳେ ବାଟରେ ଗୋଟିଏ ଷଣ୍ଢକୁ ଦେଖିଲେ, ଯାହାର ତିନିଟି ଗୋଡ଼ ନଥିଲା । ସେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିଲା । ତା’ ପଛରେ ଛିଡ଼ା ହୋଇଥିଲା ଗୋଟେ ଦୁର୍ବଳ ଗାଈ, ଷଣ୍ଢଟି ଥିଲା ଧର୍ମଙ୍କର ଓ ଗାଈଟି ଥିଲା ପୃଥିବୀ ମାତା । ସେ ଦୁହିଁଙ୍କୁ ଶୂଦ୍ର ବେଶଧାରୀ ଜଣେ ବ୍ୟକ୍ତି ଖଣ୍ଡା ଧରି ମାରିବାକୁ ଉଦ୍ୟତ ଥିଲା । ଏ ବ୍ୟକ୍ତିଟି ଥିଲା କଳିଙ୍କର ପ୍ରତିରୂପ ।
ସତ୍ୟ, ତ୍ରେତୟା, ଦ୍ୱାପର ପରେ କଳି ପୃଥିବୀରେ ପ୍ରବେଶ କରିବାକୁ ଏହା ସୂଚିତ କରିଥାଏ । କଳି ପ୍ରବେଶ ଯୋଗୁଁ ପୃଥିବୀରେ ନାନା ଦୁର୍ଗତି । ଧର୍ମର କ୍ଷୟ । ରାଜା ପରୀକ୍ଷିତ କଳିକୁ ବିନାଶ କରିବା ପାଇଁ ନିଜ ତରବାରୀ ବାହାର କଲେ । କଳି ରାଜାଙ୍କ ଶରଣ ପଶି କହିଲା- କାଳଚକ୍ର ଅନୁଯାୟୀ ମୋର ଆଗମନ । ତେଣୁ ମୁଁ ମୋ କଳିଯୁଗ ଧର୍ମ ପାଳନ କରିବି । ମୋତେ ହତ୍ୟା କରନ୍ତୁ ନାହିଁ । ରାଜା ପରୀକ୍ଷିତ କହିଲେ– ଶରଣାଗତକୁ ହତ୍ୟା କରିବା ଅପରାଧ । ତେଣୁ ମୁଁ ତୁମକୁ ନିର୍ଦ୍ଦେଶ ଦେଉଛି– ମୋ ରାଜ୍ୟ ଛାଡ଼ି ଚାଲିଯାଅ । କଳି କହିଲା– ମୁଁ ଆପଣଙ୍କ ରାଜ୍ୟ ଛାଡ଼ି କୁଆଡ଼େ ଯିବି । ମତେ ଗୋଟେ ସ୍ଥାନ ଦିଅନ୍ତୁ, ମୁଁ ଯେଉଁଠି ରହିବି। ପରୀକ୍ଷିତଙ୍କ ନିର୍ଦ୍ଦେଶରେ ଓ କଳିଙ୍କର ଆଗ୍ରହରେ କଳି ରହିଲେ ଦ୍ୟୂତକ୍ରୀଡ଼ା, ମଦିରା, ବ୍ୟଭିଚାର, ହିଂସା ଓ ସୁବର୍ଣ୍ଣରେ ।
ସଂପ୍ରତି ସାରା ବିଶ୍ୱରେ ଯେଉଁ ଯୁଦ୍ଧ ବିଗ୍ରହ, ହିଂସା, ନିଶା, ବ୍ୟଭିଚାର ପ୍ରଭୃତି ଦେଖାଯାଉଛି ତାହା ଯେ ଘୋର କଳିର ପ୍ରାଦୁର୍ଭାବ, ଏ କଥା ଯେକୌଣସି ସଚେତନ ବ୍ୟକ୍ତି ସ୍ୱୀକାର କରିବେ । ଆଜି ସମାଜରେ ଅର୍ଥଲାଳସା, ନିଶା ସେବନ, ଭୋଗ ଲିପ୍ସା, ହିଂସାର ପ୍ରାବଲ୍ୟ ସ୍ମରଣ କରେଇ ଦେଉଛି ଭାଗବତର ଏହି ଉପାଖ୍ୟାନକୁ । ଯୁବମାନସ ଆଜି ବିଭ୍ରାନ୍ତ । ସେମାନଙ୍କ ମନରେ ଗୁରୁ ଗୁରୁଜନ, ପିତା ମାତା, ବୟସ୍କ, ଶିକ୍ଷାଗୁରୁ– କାହାର ଆଶୀର୍ବାଦ କିମ୍ବା ଅଭିଶାପ ପ୍ରତି ସମ୍ମାନ ନାହିଁ । ପ୍ରତ୍ୟହ ଯେତେ ହିଂସାର ଖବର ବାହାରୁଛି, ତାହା ଯେକୌଣସି ସଚେତନ ମଣିଷ ଦୁଃଖାଭିଭୂତ ହେବା ସ୍ୱାଭାବିକ । ରାଜା ପରୀକ୍ଷିତ ଅଭିଶାପଗ୍ରସ୍ତ ହୋଇ କିପରି ତକ୍ଷକ ଦଂଶନରେ ପ୍ରାଣ ବିସର୍ଜନ କରିଥିଲେ ତାହା ସମସ୍ତେ ଜାଣନ୍ତି । ଦିନେ ରାଜା ପରୀକ୍ଷିତ ମୃଗୟାକୁ ଯାଇ ଜଙ୍ଗଲରେ କ୍ଷୁଧାର୍ତ୍ତ ତୃଷାର୍ତ୍ତ ହୋଇ ଏଣେତେଣେ ଘୂରି ଘୂରି ଶମୀ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେତେବେଳେ ଋଷି ଧ୍ୟାନସ୍ଥ ଥିଲେ । ସମାଧିସ୍ଥ ଥିବାରୁ ସେ ରାଜାଙ୍କର ଆସିବା କଥା ଜାଣିପାରିଲେ ନାହିଁ । କ୍ଳାନ୍ତ ବିବଶ ରାଜା ଟୋପାଏ ପାଣି ପାଇଁ ତାଙ୍କୁ ଅନୁରୋଧ କଲେ । ଧ୍ୟାନସ୍ଥ ମୁନି କିଛି ଜାଣିପାରିଲେ ନାହିଁ । ରାଜା କ୍ରୋଧାନ୍ୱିତ ହୋଇ ଅଳ୍ପ ଦୂରରେ ପଡ଼ିଥିବା ଏକ ମୃତ ସର୍ପକୁ ଋଷିଙ୍କ ବେକରେ ପକାଇଦେଇ ନିଜ ରାଜପ୍ରାସାଦକୁ ଫେରି ଯାଇଥିଲେ । ଦୂରରେ ଖେଳୁଥିବା ଋଷିକୁମାର ଆସି ଦେଖିଲେ ଯେ, ନିଜ ପିତାଙ୍କ ଗଳାରେ ଏକ ମୃତ ସର୍ପ । ସେ ଏ ଅପମାନ ସହ୍ୟ କରିନପାରି ଅଭିଶାପ ଦେଲେ– ଯିଏ ମୋ ପିତାଙ୍କୁ ଏପରି ଅପମାନିତ କରିଛନ୍ତି, ସେ ସାତ ଦିନରେ ସର୍ପାଘାତରେ ମୃତ୍ୟୁବରଣ କରିବେ ।
ରାଜା ପରୀକ୍ଷିତ ଏ ସମ୍ବାଦ ପାଇଲେ । ମୁନି ବାଳକଙ୍କ ଅଭିଶାପ କେବେ ବ୍ୟର୍ଥ ହେବାର ନୁହେଁ । ତେଣୁ ସେ ନିଜ ପୁତ୍ର ଜନ୍ମେଜୟଙ୍କୁ ରାଜଗାଦିରେ ଅଭିଷିକ୍ତ କଲେ । ରାଜା ପରୀକ୍ଷିତ ରାଜ୍ୟ ଓ ପରିଜନ ସମସ୍ତଙ୍କୁ ଛାଡ଼ି ଗଙ୍ଗାନଦୀ କୂଳକୁ ଚାଲିଗଲେ । ସେ ମୁନି ଋଷିମାନଙ୍କୁ ଭଗବାନଙ୍କ କଥା ଶୁଣାଇବା ପାଇଁ ଅନୁରୋଧ କଲେ । ଏହି ଅବସରରେ ପରମ ଜ୍ଞାନୀ ଅବଧୂତ ଶୁକଦେବ ଆସି ପହଞ୍ଚିଲେ ଓ ପରୀକ୍ଷିତଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ତାଙ୍କୁ ଭାଗବତ କଥା ଶୁଣାଇଥିଲେ । ରାଜାଙ୍କର ତିନିଟି ପ୍ରଶ୍ନ ଥିଲା– ମୃତ୍ୟୁକାଳ ଉପସ୍ଥିତ ହେଲେ ମନୁଷ୍ୟ କ’ଣ କରିବା ଉଚିତ, କ’ଣ ଶୁଣିବା ଉଚିତ ଓ କ’ଣ ଜପ କରିବା ଉଚିତ । ଶୁକଦେବଙ୍କ ଠାରୁ ଭାଗବତ କଥା ଶ୍ରବଣ କରି ତାଙ୍କର ମୃତ୍ୟୁ ଭୟ ଦୂର ହୋଇଗଲା । କିନ୍ତୁ ରାଜାଙ୍କ ଅଭିଶାପ ଯୋଗୁଁ ତକ୍ଷକ ଫଳ ଭିତରେ କୀଟ ରୂପରେ ଆସି ତାଙ୍କୁ ସପ୍ତମ ଦିନରେ ଦଂଶନ କଲେ ।
ପରୀକ୍ଷିତଙ୍କ ପୁତ୍ର ରାଜା ଜନ୍ମେଜୟ ସର୍ପମାରଣ ଯଜ୍ଞ କରିଥିଲେ ହେଁ ସର୍ପକୁଳ କିପରି ରକ୍ଷା ପାଇଲେ ସେ ସଂପର୍କରେ ଭାଗବତରେ ସବିଶେଷ ବର୍ଣ୍ଣନା ରହିଛି । ଏଠାରେ କହିବାର ତାତ୍ପର୍ଯ୍ୟ ହେଉଛି, କୌଣସି ଲୋକର ଆତ୍ମାର ଅଭିଶାପ କେବେ ବ୍ୟର୍ଥ ଯାଏନି । ଛୋଟ ହେଉ ବା ବଡ଼ ହେଉ, ଗରିବ ହେଉ ବା ଧନୀ ହେଉ, କାହା ପ୍ରାଣକୁ ଆଘାତ କରିବା ଅର୍ଥ ତା’ର ଅଭିଶାପର ଫଳ ଭୋଗ କରିବାକୁ ହେବ । ଏ ସଂପର୍କରେ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରେ ମଧ୍ୟ ଗୋଟେ ଘଟଣା ଉଲ୍ଲେଖ ରହିଛି । ଗୋଟେ ସାଧାରଣ ଦୀନହୀନ ବୁଢ଼ୀଟିର ଅଭିଶାପ କିପରି ତାଙ୍କ ପରିବାରର ତିନି ପୁରୁଷଙ୍କୁ ଭୋଗ କରିବାକୁ ପଡ଼ିଥିଲା । ଅଭିଶାପ ଓ ଆଶୀର୍ବାଦର ଫଳ ସାତ ଦିନରେ ହେଉ ବା ସାତ ବର୍ଷ ହେଉ, ଭୋଗିବାକୁ ହିଁ ହେବ ।
ଆଜିର କ୍ଷମତା ମଦମତ୍ତ, ଉନ୍ମାଦ, ଉଦଣ୍ଡ, ବହୁ ଯୁବକ ଅନ୍ୟକୁ ମରଣାନ୍ତକ ପୀଡ଼ା ଦେଉଛନ୍ତି ଓ ଆସୁରିକ ଆନନ୍ଦ ଲାଭ କରୁଛନ୍ତି । ସେମାନେ କେବେ ବି ଭାବୁନାହାଁନ୍ତି ପୀଡ଼ିତ ବା ପୀଡ଼ିତାର ଆତ୍ମାର ଅଭିଶାପକୁ ଗୋଟିଏ ଜନ୍ମରେ ହେଉ ବା ପରଜନ୍ମରେ ହେଉ, ଦିନେ ନା ଦିନେ ଭୋଗ କରିବାକୁ ପଡ଼ିବ । ବୃଦ୍ଧ ପିତାମାତାଙ୍କୁ ପୀଡ଼ା ଦେଲାବେଳେ ଭୁଲି ଯାଉଛନ୍ତି ସେମାନେ ବି ଦିନେ ବୃଦ୍ଧାବସ୍ଥା ଭୋଗ କରିବେ । ସେମାନଙ୍କ ଆଖିର ଲୁହ ତାଙ୍କ ସମସ୍ତ ପୁଣ୍ୟ ଫଳକୁ ବିନଷ୍ଟ କରିଦେବ ।
ଅଭିଶାପ ପରି ଆଶୀର୍ବାଦର ମଧ୍ୟ ଗୁରୁତ୍ୱ ରହିଛି । ମହାଭାରତରେ ଉଲ୍ଲେଖ ଅଛି– ମହାଭାରତ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଦୁର୍ଯ୍ୟୋଧନ ପିତାମହ ଭୀଷ୍ମଙ୍କୁ ଝିଂଗାସୀ କହିଲା ଯେ, ତୁମେ ପାଣ୍ଡବମାନଙ୍କ ପ୍ରତି ଅଧିକ ସ୍ନେହାନୁବନ୍ଧିତ ହୋଇଥିବାରୁ ତୁମ ପରି ବୀର ଥାଉ ଥାଉ କୌରବ ବଂଶ ଧ୍ୱଂସ ହେବାରେ ଲାଗିଛି । ଏ କଥା ଶୁଣି ଭୀଷ୍ମ ପ୍ରତିଜ୍ଞା କଲେ– କାଲି ଯୁଦ୍ଧରେ ସେ ଧରିତ୍ରୀକୁ ଅପାଣ୍ଡବା କରିଦେବେ ।
ଏ ଖବର ପାଣ୍ଡବମାନଙ୍କ ଶିବିରରେ ପହଞ୍ଚିଗଲା । ପାଣ୍ଡବମାନେ ଆତଙ୍କ ଓ ଭୟରେ ଜଡ଼ସଡ଼ । ଭଗବାନ କୃଷ୍ଣ କହିଲେ– ଦ୍ରୌପଦୀ ତୁମେ ମୋ ସାଙ୍ଗରେ ଚାଲ । ଦୁହେଁ ଯାଇ ରାତ୍ରିର ପ୍ରାରମ୍ଭରେ ପିତାମହ ଭୀଷ୍ମଙ୍କ ଶିବିର ପାଖରେ ପହଞ୍ଚିଗଲେ । କୃଷ୍ଣ ଶିବିର ବାହାରେ ଲୁଚି ରହି ଦ୍ରୌପଦୀଙ୍କୁ କହିଲେ– ତୁମେ ପିତାମହଙ୍କ ଶିବିର ଭିତରକୁ ଯାଇ ପ୍ରଣାମ କର । ଦ୍ରୌପଦୀ ତାହା ହିଁ କରିବା ମାତ୍ରେ ଭୀଷ୍ମ ଆଶୀର୍ବାଦ ଦେଲେ– ସୌଭାଗ୍ୟବତୀ ଭବ ।
ପର ମୁହୂର୍ତ୍ତରେ ତାଙ୍କର ସ୍ମରଣ ହେଲା– ମୁଁ ତ କାଲି ଏ ପୃଥିବୀକୁ ଅପାଣ୍ଡବା କରିବି ବୋଲି ପ୍ରତିଜ୍ଞା କରିଥିଲି । ଏବେ ଦ୍ରୌପଦୀଙ୍କୁ ଏପରି ଆଶୀର୍ବାଦ କରିବା ଅର୍ଥ, ପାଣ୍ଡବମାନେ ଜୀବିତ ରହିଲେ ଦ୍ରୌପଦୀ ସୌଭାଗ୍ୟବତୀ ହେବେ । ଯୁଦ୍ଧର ଅନ୍ତିମ ଫଳାଫଳ କ’ଣ ହେଲା, ତାହା ସମସ୍ତେ ଜାଣନ୍ତି । କହିବାର କଥା, ଅଭିଶାପ ଓ ଆଶୀର୍ବାଦ ଉଭୟ ଆତ୍ମାରୁ ଆସେ । ଆନନ୍ଦ ଦେବା ହେଉ ବା କଷଣ ଦେବା ହେଉ, ଉଭୟର ଫଳ ଭୋଗ କରିବାକୁ ହୋଇଥାଏ ।