ପ୍ରତ୍ୟେକ ପିଢ଼ି ଏପରି କିଛି ଅପରାଧର ସାକ୍ଷୀ ହୁଏ, ଯାହା ସମଗ୍ର ସମାଜର ବିବେକକୁ ଆନ୍ଦୋଳିତ କରିଦିଏ । କିନ୍ତୁ କିଛି ଘଟଣା ଏପରି ଥାଏ, ଯାହା କେବଳ ଜଣେ ବ୍ୟକ୍ତିର ମୃତ୍ୟୁପାଇଁ ଆମକୁ ଦୁଃଖିତ କରେନାହିଁ, ବରଂ ଆମକୁ ଏକ ଅତ୍ୟନ୍ତ କଷ୍ଟଦାୟକ ପ୍ରଶ୍ନର ସାମ୍ନା କରାଏ- ଆମ ସମାଜରୁ ମାନବିକତା କ'ଣ ସତରେ ହଜିଯାଇଛି?
ଆପଣମାନେ କିଛିଦିନ ଆଗରୁ ଇନ୍ଦୋରର ସୋନମ ରଘୁବଂଶୀ ଏବଂ ରାଜା ରଘୁବଂଶୀଙ୍କ କାହାଣୀ ଶୁଣିଥିବେ, କିପରି ସୋନମ ବିବାହର କିଛି ଦିନ ପରେ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟାର ଷଡ଼ଯନ୍ତ୍ର ନିଜ ପୁରୁଷବନ୍ଧୁଙ୍କ ଜରିଆରେ କରି ହତ୍ୟାକୁ ବାସ୍ତବ ରୂପ ଦେଇଥିଲେ । ଅବଶ୍ୟ ଏ ଘଟଣାର ସତ୍ୟାସତ୍ୟ ଏବେ ନ୍ୟାୟାଳୟରେ ବିଚାରଧୀନ । ଆଉ ଏବେ ପୁଣେର କୋଟିପତି ବ୍ୟବସାୟୀଙ୍କ ପୁତ୍ର କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡର ତଦନ୍ତ ଆଜି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି ।
ପୁଲିସର ଅଭିଯୋଗ ଅନୁଯାୟୀ, ଉଭୟ ଘଟଣାରେ ଯେଉଁ ଯୁବତୀମାନେ ଜୀବନସାଥୀ ହେବାକୁ ଯାଉଥିଲେ କିମ୍ବା ହୋଇସାରିଥିଲେ, ସେମାନେ ନିଜ ପ୍ରେମିକଙ୍କ ସହ ମିଶି ହତ୍ୟାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ରହିଛି । ଯଦି ନ୍ୟାୟାଳୟରେ ଏହି ଅଭିଯୋଗ ପ୍ରମାଣିତ ହୁଏ, ତେବେ ଏହା କେବଳ ଦୁଇଟି ହତ୍ୟାକାଣ୍ଡର କାହାଣୀ ହୋଇ ରହିବନାହିଁ, ବରଂ ଏହା ଆମ ସମାଜର ଗଭୀର ନୈତିକ ଅବକ୍ଷୟର ପ୍ରତୀକ ପାଲଟିଯିବ ।
ସବୁଠାରୁ ବଡ଼ ଦୁଃଖ, ଦୁଇଟି ଯୁବ ଜୀବନର ଅକାଳ ଅନ୍ତ ନୁହେଁ । ପ୍ରକୃତ ଦୁଃଖ ହେଉଛି- ଯେଉଁଠି ସତ୍ୟ କହିବାର ସାହସ, କଥାବାର୍ତ୍ତା ଓ ସଚ୍ଚୋଟତାର ସ୍ଥାନ ରହିବା କଥା, ସେଠାରେ ହତ୍ୟାକୁ ସମସ୍ୟାର ସମାଧାନ ବୋଲି ଭାବିବାର ମାନସିକତା ସୃଷ୍ଟି ହେଉଛି । ଏହା ଖାଲି ପୁରୁଷ-ନାରୀର ବିବାଦ ନୁହେଁ । ଏହା ପ୍ରେମବିବାହ କିମ୍ବା ଆରେଞ୍ଜ ମ୍ୟାରେଜର ବିବାଦ ମଧ୍ୟ ନୁହେଁ । ଏହା ହେଉଛି ମଣିଷର ବିବେକ, ସହାନୁଭୂତି ଓ ନୈତିକତାର କ୍ରମଶଃ ଅବକ୍ଷୟର କାହାଣୀ ।
ଆଜିର ଯୁବପିଢ଼ିଙ୍କ ପାଖରେ ଅଭୂତପୂର୍ବ ସ୍ୱାଧୀନତା ଅଛି । ଶିକ୍ଷା, ପ୍ରଯୁକ୍ତି, ସୋସିଆଲ ମିଡିଆ, ଆର୍ଥିକ ସ୍ୱାବଲମ୍ବନ, ସବୁକିଛି ତାଙ୍କ ପାଖରେ ଉପଲବ୍ଧ । କିନ୍ତୁ ବିଡମ୍ବନାର ବିଷୟ ହେଉଛି ଭାବନାକୁ ନିୟନ୍ତ୍ରଣ କରିବା, ପ୍ରତ୍ୟାଖ୍ୟାନକୁ ଗ୍ରହଣ କରିବା, ମତଭେଦର ସମାଧାନ କରିବା ଓ ସମ୍ପର୍କକୁ ପରିପକ୍ୱତାର ସହ ସମ୍ଭାଳିବାର କ୍ଷମତା ଯେପରି କ୍ରମଶଃ ହ୍ରାସପାଉଛି । ଏପରିକି କିଛିଜଣ ଭାବୁଛନ୍ତି- ମଣିଷଟିକୁ ହଟାଇଦେଲେ ସମସ୍ୟାଟି ମଧ୍ୟ ଆପେ ହଟିଯିବ । ଏହାଠାରୁ ବଡ଼ ଭ୍ରମ ଆଉ କ'ଣ ହୋଇପାରେ? ତ୍ୱରିତ ସମସ୍ୟା ସମାଧାନ ଆଗରେ ମଣିଷ ଜୀବନର ମୂଲ୍ୟ କମିଯାଇଛି । କିନ୍ତୁ ଏହିଭଳି ଅପରାଧର ସବୁଠାରୁ ବଡ଼ କ୍ଷତି କେବଳ ଜଣେ ବ୍ୟକ୍ତିର ମୃତ୍ୟୁରେ ସୀମିତ ରହେନାହିଁ । ଏହା ଏକାସାଙ୍ଗରେ ଅନେକ ପରିବାରର ସୁଖ, ଶାନ୍ତି ଓ ଭବିଷ୍ୟତକୁ ଧ୍ୱଂସ କରିଦିଏ । ଯେଉଁ ପରିବାର ନିଜ ସନ୍ତାନକୁ ହରାଏ, ସେମାନଙ୍କ ପାଇଁ ସେହି ଶୂନ୍ୟସ୍ଥାନ କେବେ ପୂରଣ ହୁଏନାହିଁ । କୌଣସି ରାୟ, କୌଣସି ଦଣ୍ଡ ବା କୌଣସି କ୍ଷତିପୂରଣ ସେମାନଙ୍କ ସନ୍ତାନକୁ ଫେରାଇ ଆଣିପାରିବ ନାହିଁ । ସେମାନଙ୍କ ଜୀବନରେ ରହିଯାଏ କେବଳ ଅସୀମ ଶୂନ୍ୟତା ଓ ଅନନ୍ତ ଯନ୍ତ୍ରଣା ।
ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କ ପରିବାରର ଯନ୍ତ୍ରଣା ମଧ୍ୟ କମ୍ ନୁହେଁ । ସନ୍ତାନ ଯଦି ଅପରାଧ କରିଥାଏ, ତାହାର ଦଣ୍ଡ ଆଇନ ନିଶ୍ଚୟ ଦେବ । କିନ୍ତୁ ଜଣେ ବାପା-ମା'ଙ୍କ ପାଇଁ ତାଙ୍କର ସନ୍ତାନ ହିଁ ସବୁଠୁ ଆଗରେ । ଏକପଟେ ସେମାନେ ସନ୍ତାନର ଏତାଦୃଶ କାର୍ଯ୍ୟପାଇଁ ଅନୁତାପରେ ଜଳୁଥାନ୍ତି, ଅନ୍ୟପଟେ ତାକୁ ବଞ୍ଚାଇବା ଆଶାରେ ଅଦାଲତରୁ ଅଦାଲତକୁ ଦୌଡ଼ିଥାନ୍ତି । ଏହି ଦ୍ୱନ୍ଦ୍ୱ ତାଙ୍କ ସାରାଜୀବନର ମାନସିକ ଶାନ୍ତିକୁ ଛଡ଼େଇ ନେଇଥାଏ । ସବୁଠାରୁ ଦୁଃଖର ବିଷୟ ହେଉଛି, ଅପରାଧ କରିବା ପୂର୍ବରୁ ଏହି ଯୁବକ ଯୁବତୀମାନେ ଥରେ ମଧ୍ୟ ଭାବନ୍ତିନାହିଁ ଏହାର ପରିଣାମ କ'ଣ ହେବ? ସେମାନଙ୍କ ନିଜର ସୁନ୍ଦର ଭବିଷ୍ୟତ ଅନ୍ଧକାରରେ ହଜିଯିବ, ବାପା-ମା'ଙ୍କ ଜୀବନ ଲୁହ, ଅନୁତାପ ଓ ଅନିଦ୍ରାରେ କଟିବ । କ୍ଷଣିକ ଭାବାବେଗରେ ନିଆଯାଇଥିବା ଏକ ନିଷ୍ପତ୍ତି କେବଳ ଗୋଟିଏ ଜୀବନ ନୁହେଁ, ଅନେକ ପରିବାରର ହସ, ଆଶା ଓ ଭବିଷ୍ୟତକୁ ସବୁଦିନ ପାଇଁ କବର ଦେଇଦିଏ । ତାହେଲେ ପ୍ରଶ୍ନ ଉଠେ- ଯୁବକ କିମ୍ବା ଯୁବତୀଙ୍କ ମନରେ ଏପରି ଚିନ୍ତାଧାରା କାହିଁକି ଜନ୍ମ ନେଉଛି? ଏହାର ଗୋଟିଏ ସିଧା ଉତ୍ତର ହେଇନପାରେ । ଆମ ପରିବାର ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରେ, କିନ୍ତୁ ଭାବନାତ୍ମକ ଦୃଷ୍ଟିରୁ ଦରିଦ୍ର ହେଉଛି । ବାପା-ମା' ସନ୍ତାନଙ୍କୁ ସବୁ ସୁବିଧା ଦେଉଛନ୍ତି, କିନ୍ତୁ ସମୟ ଦେଇପାରୁନାହାନ୍ତି । ପିଲାମାନେ ସ୍ମାର୍ଟଫୋନ୍ ଚଳାଇବା ଶିଖୁଛନ୍ତି, କିନ୍ତୁ ନିଜର ଦୁଃଖ, ଅସନ୍ତୋଷ, ମତଭେଦ କିମ୍ବା ପ୍ରେମକୁ ଠିକ୍ ଭାବେ ପ୍ରକାଶ କରିବା ଶିଖୁନାହାନ୍ତି ।
ଆମର ଶିକ୍ଷାବ୍ୟବସ୍ଥା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛି, କିନ୍ତୁ ଜୀବନ ପାଇଁ ନୁହେଁ । ବିଜ୍ଞାନ, ଗଣିତ ଓ ପ୍ରଯୁକ୍ତି ପଢ଼ାଯାଉଛି, କିନ୍ତୁ ସହାନୁଭୂତି, ଚରିତ୍ର ଗଠନ, ସମ୍ପର୍କର ଦାୟିତ୍ୱ, ଭାବନାକୁ ନିୟନ୍ତ୍ରଣ କରିବାର ଶିକ୍ଷା କ୍ରମଶଃ ଅନୁପସ୍ଥିତ । ଡିଗ୍ରୀ ବଢ଼ୁଛି, କିନ୍ତୁ ବିବେକ କମୁଛି, ଦାୟିତ୍ୱବୋଧତା ରହୁନାହିଁ । ସୋସିଆଲ ମିଡିଆ ମଧ୍ୟ ସମ୍ପର୍କର ସଂଜ୍ଞାକୁ ବଦଳାଇ ଦେଇଛି । ତୁରନ୍ତ ସନ୍ତୁଷ୍ଟି, ଅବାସ୍ତବ ଆଶା, ଦେଖଣିଆ ଜୀବନଶୈଳୀ ଓ ଅନଲାଇନ୍ ସ୍ୱୀକୃତିର ମୋହ ଯୁବପିଢ଼ିଙ୍କ ମନରେ ସମ୍ପର୍କକୁ ଏକ ଅସ୍ଥାୟୀ ବସ୍ତୁରେ ପରିଣତ କରୁଛି । ତ୍ୟାଗ, ବିଶ୍ୱାସ, ଧୈର୍ଯ୍ୟ ଓ ସଚ୍ଚୋଟତା ଯେଉଁଠି ରହିବା କଥା ସେଠାରେ ସ୍ୱାର୍ଥ ଓ ସୁବିଧା ତା’ର ସ୍ଥାନ ନେଉଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସମାଜର ଭୟ । ଆଜି ବି ଅନେକ ଯୁବକ-ଯୁବତୀ ନିଜ ବାପା-ମା'ଙ୍କୁ ନିଜ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଡରୁଛନ୍ତି । ଜାତି, ଧର୍ମ, ପାରିବାରିକ ସମ୍ମାନ କିମ୍ବା ସାମାଜିକ ଚାପ ଭୟରେ ସତ୍ୟକୁ ଲୁଚାଉଛନ୍ତି । କିନ୍ତୁ ସତ୍ୟକୁ ଲୁଚାଇଦେଲେ ସମସ୍ୟାର ସମାଧାନ ହୁଏନାହିଁ । ବରଂ ମିଛ, ପ୍ରତାରଣା ଓ ଷଡ଼ଯନ୍ତ୍ର ଅନେକ ସମୟରେ ଅପରାଧର ରୂପ ନେଇଥାଏ । ଆଜି କହିଦେବା ଯଦିଓ ଏକ କଷ୍ଟକର ସତ୍ୟ, କିନ୍ତୁ ଆସନ୍ତାକାଲିର ଏକ ହତ୍ୟାଠାରୁ ଲକ୍ଷେ ଗୁଣ ଭଲ । ଆମେ ମାନସିକ ସ୍ୱାସ୍ଥ୍ୟର ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରିପାରିବା ନାହିଁ । ଭାବନାତ୍ମକ ଅସ୍ଥିରତା, ଅତ୍ୟଧିକ ଆସକ୍ତି, ଅଧିକାରବୋଧ, ଆତ୍ମକୈନ୍ଦ୍ରିକ ଚିନ୍ତାଧାରା ଓ ହଠାତ୍ ନିଷ୍ପତ୍ତି ନେବାର ପ୍ରବୃତ୍ତି ଅନେକ ଯୁବକ-ଯୁବତୀଙ୍କ ମଧ୍ୟରେ ଦେଖାଯାଉଛି । ନିଶ୍ଚିତ ଭାବରେ ମାନସିକ ଚାପରେ ଥିବା ଅଧିକାଂଶ ଲୋକ କେବେ ଅପରାଧ କରନ୍ତିନାହିଁ । କିନ୍ତୁ ଯେତେବେଳେ ମାନସିକ ଅପରିପକ୍ୱତା ସହ ଅପରାଧିକ ମନୋଭାବ ମିଶିଯାଏ, ସେତେବେଳେ ପରିଣାମ ଭୟଙ୍କର ହୋଇଥାଏ । ସେଥିପାଇଁ ମାନସିକ ସ୍ୱାସ୍ଥ୍ୟର ଦେଖାରଖା, ଆଲୋଚନା ଆଜି ସମୟର ଏକ ଅତ୍ୟାବଶ୍ୟକ ।
ଆଇନ ହତ୍ୟାକାରୀଙ୍କୁ ଦଣ୍ଡ ଦେଇପାରିବ, କିନ୍ତୁ ସେ ନୈତିକତା ସୃଷ୍ଟି କରିପାରିବନାହି ଁ । ସେଥିପାଇଁ ଦାୟିତ୍ୱ କେବଳ ସରକାର କିମ୍ବା ଅଦାଲତର ନୁହେଁ, ଏହା ପ୍ରତ୍ୟେକ ପରିବାର, ଶିକ୍ଷକ, ସାମାଜିକ ସଂସ୍ଥା ଓ ନାଗରିକଙ୍କର । ଶିକ୍ଷକମାନେ କେବଳ ଛାତ୍ର ନୁହେଁ, ଚରିତ୍ରବାନ ମଣିଷ ଗଢ଼ନ୍ତୁ । ସମାଜର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ସହାନୁଭୂତି, ସତ୍ୟ ଓ ମାନବିକତାର ମୂଲ୍ୟବୋଧକୁ ପୁଣି ଜାଗ୍ରତ କରନ୍ତୁ । ଯୁବପିଢ଼ି ବୁଝିବା ଆବଶ୍ୟକ ସଚ୍ଚୋଟତା ବିନା ପ୍ରେମ ପ୍ରେମ ନୁହେଁ, କେବଳ ଏକ ମୋହ । ପ୍ରକୃତ ପ୍ରେମ କେବେ ହତ୍ୟା, ପ୍ରତାରଣା କିମ୍ବା ଷଡ଼ଯନ୍ତ୍ର ଶିଖାଏନାହିଁ । ସମ୍ପର୍କ ଭାଙ୍ଗିବାକୁ ହେଲେ ସମ୍ମାନର ସହ ଭାଙ୍ଗନ୍ତୁ । ବିବାହ କରିବାକୁ ଇଚ୍ଛା ନଥିଲେ ସାହସର ସହ ମନା କରନ୍ତୁ । ମତଭେଦ ଥିଲେ ଖୋଲାଖୋଲି ଆଲୋଚନା କରନ୍ତୁ । ଏକ ସମ୍ପର୍କ ଭାଙ୍ଗିଲେ କେହି କିଛିଦିନ ଦୁଃଖ ପାଇବ । କିନ୍ତୁ ଗୋଟିଏ ହତ୍ୟା ପିଢ଼ି ପରେ ପିଢ଼ିକୁ କନ୍ଦାଇଥାଏ । ଏହିପରି ଅପରାଧରେ ଦ୍ରୁତ ତଦନ୍ତ ଓ ଶୀଘ୍ର ନ୍ୟାୟ ମଧ୍ୟ ସମାନ ଭାବେ ଆବଶ୍ୟକ, ଯାହାଦ୍ୱାରା ସମାଜରେ ଆଇନ ପ୍ରତି ଆସ୍ଥା ବଢ଼ିବ ଓ କୌଣସି ଅପରାଧୀ ନିଜକୁ ଆଇନଠାରୁ ଉପରେ ବୋଲି ଭାବିବେ ନାହିଁ । ଇତିହାସ ସାକ୍ଷୀ- କୌଣସି ସଭ୍ୟତା କେବଳ ଆର୍ଥିକ ଦୁର୍ବଳତା କିମ୍ବା ରାଜନୈତିକ ଅସ୍ଥିରତାରେ ଧ୍ୱଂସ ହୁଏନାହିଁ । ସେତେବେଳେ ଧ୍ୱଂସ ହୁଏ, ଯେତେବେଳେ ନୈତିକତା ନିରବରେ ମରିଯାଏ, ସତ୍ୟ ଅସହଜ ହୋଇଯାଏ, ମିଛ ସାଧାରଣ ହୋଇଯାଏ ଏବଂ ମଣିଷ ନିଜ ଜୀବନର ପବିତ୍ରତା ହରେଇଦିଏ ।
ଆସନ୍ତୁ, ଏହି ଘଟଣାଗୁଡ଼ିକ ଆମ ଭିତରେ ଘୃଣା ନୁହେଁ, ବରଂ ସତ୍ୟନିଷ୍ଠ, ମାନବିକତା, ସୁଦୃଢ଼ ପରିବାର, ସୁସ୍ଥ ମାନସିକତା ଓ ପରସ୍ପର ପ୍ରତି ଅଧିକ ସମ୍ବେଦନଶୀଳତାର ବୀଜ ବପନ କରୁ । କାରଣ, କୌଣସି ସମାଜର ମହାନତା ତାହାର ଅଟ୍ଟାଳିକା, ଧନସମ୍ପତ୍ତି କିମ୍ବା ପ୍ରଯୁକ୍ତିରେ ନୁହେଁ । ତାହାର ପ୍ରକୃତ ପରିଚୟ ଏକମାତ୍ର ପ୍ରଶ୍ନର ଉତ୍ତରରେ ନିହିତ । ସଂଘର୍ଷ ସମୟରେ ଆମେ କ'ଣ ବା କରୁଛୁ- ସଂଳାପ ନା ବିନାଶ? ଏହି ପ୍ରଶ୍ନର ଉତ୍ତର ହିଁ ନିର୍ଣ୍ଣୟ କରିବ ଆମ ଯୁବପିଢ଼ିର ଭବିଷ୍ୟତ, ଏବଂ ଆମ ସଭ୍ୟତାର ଦିଗ ।