• ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି ଆଡଭାଇଜରି ପାଳନର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
  • ହେଲ୍ପ ଡେସ୍କ ବିଷୟରେ ପଚାରିଲେ, ରୋଗୀଙ୍କୁ ସମ୍ମାନର ସହ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୬/୬ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଚିକିତ୍ସା ସେବା ପାଉଥିବା ହିତାଧିକାରୀ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ମେଡିକାଲ୍ ପରୀକ୍ଷା ଆୟୂଷ୍ମାନ କାର୍ଡରେ ହେବ । ରୋଗୀ ଡିସ୍ଚାର୍ଜ ହେବା ପରେ ୧୫ ଦିନ ପର୍ଯ୍ୟନ୍ତ ଆବଶ୍ୟକ ପରାମର୍ଶ, ଔଷଧ, ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଓ ପୋଷ୍ଟ-ଅପରେଟିଭ୍ କେୟାର ମଧ୍ୟ ପ୍ୟାକେଜ ମୂଲ୍ୟ ଅଧୀନରେ ରହିବ । ପୋଷ୍ଟ-ହସ୍ପିଟାଲାଇଜେସନ ସମ୍ବନ୍ଧୀୟ ଖର୍ଚ୍ଚ ଆଦାୟ ନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସମିତି (SHAS) ପକ୍ଷରୁ ସମସ୍ତ ପଞ୍ଜୀକୃତ ହସ୍ପିଟାଲକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଚିକିତ୍ସାଳୟଗୁଡ଼ିକ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇବା ସହିତ ଡିସ୍ଚାର୍ଜ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଆବଶ୍ୟକ ଫଲୋ-ଅପ୍ ଭିଜିଟ୍ ଓ ପରୀକ୍ଷା ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ପ୍ରଦାନ କରିବାକୁ ବାଧ୍ୟ । ଅସ୍ତ୍ରୋପଚାର କ୍ଷେତ୍ରରେ ଚିକିତ୍ସା ସହ ଜଡିତ ରୋଗୀ ଡିସ୍ଚାର୍ଜ ଜଟିଳତା ଏବଂ ପୁନଃ ଭର୍ତ୍ତି ହେବାର ଖର୍ଚ୍ଚ ମଧ୍ୟ ପୂର୍ବ ପ୍ୟାକେଜ ମୂଲ୍ୟରେ ସାମିଲ ରହିବ।

ସମସ୍ତ ପଞ୍ଜୀକୃତ ହସ୍ପିଟାଲ ଏହି ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏବଂ ପ୍ୟାକେଜ ଅଧୀନରେ ଥିବା କୌଣସି ସେବା ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶନାମାର ଉଲ୍ଲଂଘନ କରୁଥିବା ହସ୍ପିଟାଲ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସମିତି ପକ୍ଷରୁ କୁହାଯାଇଛି ।ଏହି ପରିପେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭୁବନେଶ୍ଵରର ଦୁଇଟି ବେସରକାରୀ ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି ଜାରି ହୋଇଥିବା ଆଡଭାଇଜରି କେମିତି ଅନୁପାଳନ ହେଉଛି ପଚାରି ବୁଝିଥିଲେ ।