ଢାକା : ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ଦେଲେ ଇସ୍ତଫା। ତାଙ୍କର ଇସ୍ତଫା ପତ୍ର ବାଚସ୍ପତି ହାଫିଜ ଉଦ୍ଦିନ ଅହମ୍ମଦ ସ୍ୱୀକାର କରି ନେଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ପଦ ଖାଲି ଥିବାରୁ , ଏଥିପାଇଁ ସମ୍ୱିଧାନ ଅନୁସାରେ , ନୂଆ ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ବାଚସ୍ପତି ରାଷ୍ଟ୍ରପତିଙ୍କ ଦାୟିତ୍ୱ ତୁଳାଇବେ। ବାଚସ୍ପତି କହିଛନ୍ତି ଯେ, ରାଷ୍ଟ୍ରପତି ଖୁବ୍ ଅସୁସ୍ଥ ଅଛନ୍ତି। ସେ ଏଥିପାଇଁ ଇସ୍ତଫା ଦେଇଛନ୍ତି, କାରଣ ଅନେକ ଅସୁସ୍ଥତା ଯୋଗୁଁ ସେ ଶାରୀରିକ ଓ ମାନସିକ ଭାବେ ରାଷ୍ଟ୍ରପତି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ସାମ୍ୱିଧାନିକ ପଦରେ କାମ କରିବାକୁ ଅସମର୍ଥ ଅଛନ୍ତି।
ବାଂଲାଦେଶର ଆଉଟଲେଟ୍ ପ୍ରଥମ ଆଲୋ ଅନୁସାରେ, ସମ୍ବିଧାନର ଆର୍ଟିକଲ ୫୦ (୩) ଅନୁଯାୟୀ, ରାଷ୍ଟ୍ରପତି ବାଚସ୍ପତିଙ୍କୁ ସ୍ୱାକ୍ଷରିତ ପତ୍ର ପଠାଇ ଇସ୍ତଫା ଦେଇ ପାରିବେ ଏବଂ ଆର୍ଟିକଲ ୫୪ରେ କୁହାଯାଇଛି ଯେ, ଯଦି ରାଷ୍ଟ୍ରପତି ପଦ ଖାଲି ଥାଏ କିମ୍ବା ଯଦି ସେ ଅନୁପସ୍ଥିତ, ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣରୁ ସେ ନିଜ କାର୍ଯ୍ୟ କରିବାରେ ଅସମର୍ଥ ହୁଅନ୍ତି, ତେବେ ନୂଆ ରାଷ୍ଟ୍ରପତି ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ବାଚସ୍ପତି (ସ୍ପିକର) ରାଷ୍ଟ୍ରପତିଙ୍କ କାର୍ଯ୍ୟ ତୁଲାଇ ପାରିବେ।
ସମ୍ବିଧାନର ଆର୍ଟିକଲ ୧୨୩ (୨) ଅନୁସାରେ, ଯଦି ରାଷ୍ଟ୍ରପତିଙ୍କ ମୃତ୍ୟୁ, ଇସ୍ତଫା କିମ୍ବା ବହିଷ୍କାର ହେତୁ ପଦବୀ ଖାଲି ହୁଏ, ତ ଆଗାମୀ ୯୦ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ଉଚିତ। ଆର୍ଟିକଲ ୪୮ (୧) ଅନୁସାରେ, ରାଷ୍ଟ୍ରପତିଙ୍କ ନିର୍ବାଚନ ସଂସଦର ସଦସ୍ୟମାନଙ୍କ ଭୋଟ୍ ଦ୍ୱାରା ହୋଇ ଥାଏ।
କହି ରଖୁଛୁ କି , ବାଂଲାଦେଶର ସଂସଦରେ ଶାସକ ଦଳ BNPର ବହୁମତ ରହିଛି। ଏହି କାରଣରୁ, ଏହି ଦଳର ପ୍ରାର୍ଥୀ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି। ଶାହାବୁଦ୍ଦିନଙ୍କ ପରେ କାହାକୁ ଏହି ପଦରେ ଚୟନ କରାଯିବ, ସେ ନେଇ BNPର ଶୀର୍ଷ ନେତା ମାନଙ୍କ ମଧ୍ୟରେ ଗତ କିଛି ଦିନ ହେବ ଆଲୋଚନା ଚାଲି ଥିଲା।
ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ ରାଜନୈତିକ ମହଲରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ସମ୍ଭାବ୍ୟ ଇସ୍ତଫାକୁ ନେଇ ଜୋରଦାର ଚର୍ଚ୍ଚା ଚାଲି ଥିଲା ସମ୍ୱନ୍ଧିତ ସୂତ୍ରରୁ କାଲି ଜଣାପଡ଼ି ଥିଲା ଯେ, ମହମ୍ମଦ ଶହାବୁଦ୍ଦିନ ଇସ୍ତଫା ଦେବାକୁ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି। ଏକ ସୂତ୍ରର ଦାବି ମୁତାବିକ , ସେ ଗୁରୁବାର ବଙ୍ଗଭବନର ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିବା ପରେ ନିଜର ପ୍ରସ୍ତୁତି ବିଷୟରେ ମଧ୍ୟ ସୂଚନା ଦେଇଥିଲେ।
ଆହୁରି ମଧ୍ୟ ପଢନ୍ତୁ - Pakstan Army : ପାକିସ୍ତାନର ପରମାଣୁ କମାଣ୍ଡର ପ୍ରଥମ କମାଣ୍ଡରଙ୍କ ନିଯୁକ୍ତି , ପାକ୍କୁ ଭାରତର ଆଟମ୍ ବମ ମୁତୟନର ଭୟ ?