ବ୍ରହ୍ମପୁର, ୨୦/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିସାରିଛି । ତେବେ ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି । ଷଡ଼ଯନ୍ତ୍ର ପଛରେ ବଡ଼ ମୁଣ୍ଡ ଥିବା ଆଲୋଚନା ହେଉଛି । ହତ୍ୟା ପଛର କାରଣ ରାଜନୈତିକ ନା ପୂର୍ବ ଶତ୍ରୁତା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରୁ ନାହିଁ । ପୁଲିସ ଏବେ ଭୁବନେଶ୍ୱରରେ ଖୋଳତାଡ଼ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ଘଟଣାକୁ ନେଇ ପୁଲିସ ମୁହଁ ଖୋଲିନି । ରାଜନେତା ଓ ରାଜନୀତିରେ ଥିବା ଦୁଇ ଜଣଙ୍କୁ ପୁଲିସ ଜେରା କରୁଛି । ତେବେ ସେମାନଙ୍କର ସମ୍ପୃକ୍ତି ସନ୍ଦେହ ଘେରରେ ଅଛି । ପୁଲିସ ସ୍ପଷ୍ଟ କରିବା ପରେ ହିଁ ହତ୍ୟା ପଛରେ ବଡ଼ ମୁଣ୍ଡ କିଏ ଅଛି ଜଣାପଡ଼ିବ ।
ମିଳିଥିବା ସୂଚନା ଅନୁସାରେ, ପୀତବାସଙ୍କୁ ହତ୍ୟା କରିବାକୁ ସୁପାରି ଦିଆଯାଇଥିବା ସ୍ପଷ୍ଟ ହୋଇସାରିଛି । ତେବେ କେତେ ଟଙ୍କାରେ ସୁପାରି ଦିଆଯାଇଥିଲା ତାହା ଜଣାପଡ଼ି ନାହିଁ । ହତ୍ୟାରେ ଜଡ଼ିତ ବିହାରୀ ଅପରାଧୀ ଧରାପଡ଼ିଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଆଣିଥିବା ପୁରୁଣା ଅପରାଧୀ ବି ପୁଲିସ କବ୍ଜାରେ ଥିବା କୁହାଯାଉଛି । କିନ୍ତୁ ଏହି ଅପରାଧୀମାନଙ୍କ ମୁଖ୍ୟ କୁହାଯାଉଥିବା ପେସାଦାର ଅପରାଧୀକୁ ଅଦ୍ୟାବଧି ପୁଲିସ ଧରିପାରି ନାହିଁ । ସୁପାରିଦାତାକୁ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ କାବୁ କରିପାରିନି ।
ଯାହାଫଳରେ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇପାରୁ ନାହିଁ । ଅଜ୍ଞାତ ଜାଗାରେ କର୍ପୋରେଟର ଏବଂ ଏକ ରାଜନୈତିକ ଦଳର ଜଣେ ସମର୍ଥକଙ୍କୁ ରଖି ଲଗାତାର ଜେରା କରାଯାଉଛି । କେବଳ ଏହି ଦୁଇ ଜଣ ନୁହେଁ, ତଥ୍ୟ ପ୍ରମାଣ ଏବଂ ସୁରାକ୍କୁ ଆଧାର କରି ପୁଲିସ ଆଉ କିଛି ଯୁବକଙ୍କୁ ମଧ୍ୟ ଜେରା କରିଛି । ଆଜି ସକାଳୁ କେ. ନୂଆଗାଁ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ନେଇ ଜେରା କରିବା ପରେ ଛଡ଼ାଯାଇଛି ।