ବ୍ରହ୍ମପୁର,୨୮/୧୦:  ପୀତବାସ ପଣ୍ଡା ହତ୍ୟା ମାମଲାରେ  ଗିରଫ ହୋଇ ଗତ ୨୨ ତାରିଖରୁ  ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି ବ୍ରହ୍ମପୁର  ପୂର୍ବତନ ମେୟର ତଥା ସ୍ୱାଧୀନ  ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ  (ପିଣ୍ଟୁ) । ବ୍ରହ୍ମପୁର ଜେଲ୍‌ରେ  ତାଙ୍କ ଜୀବନ ପ୍ରତି ବିପଦ ଥିବା  ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରିବାକୁ  ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ  ଆବେଦନ କରାଯାଇଥିଲା । ବ୍ରହ୍ମପୁର ଜେଲ୍‌ ଅଧୀକ୍ଷକଙ୍କ ଆବେଦନକୁ  କୋର୍ଟ ଗ୍ରହଣ କରି ଫୁଲବାଣୀ  ଜେଲ୍‌କୁ ସ୍ଥାନାନ୍ତର କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ସୋମବାର  ପିଣ୍ଟୁଙ୍କୁ ଫୁଲବାଣୀ ଜେଲ୍‌କୁ  ସ୍ଥାନାନ୍ତର ଯୋଜନା ରହିଥିଲା ।  କିନ୍ତୁ ଏହି ନିର୍ଦ୍ଦେଶରେ ପିଣ୍ଟୁଙ୍କ  ପରିବାରଲୋକ ଆପତ୍ତି ଉଠାଇ କୋର୍ଟରେ ପିଟିସନ୍‌ ଦାଖଲ  କରିଥିଲେ । ପିଣ୍ଟୁ ଦାଶଙ୍କ ସ୍ତ୍ରୀ  ଆଶା ଦାଶଙ୍କ ପିଟିସନ୍‌କୁ ଗ୍ରହଣ  କରି ଫୁଲବାଣୀ ଜେଲ୍‌ ସ୍ଥାନାନ୍ତର  ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି । 

ଗଞ୍ଜାମ ଜିଲ୍ଲାରେ ଥିବା ସ୍ୱତନ୍ତ୍ର  ଜେଲ୍‌ ଗୁଡ଼ିକର ସ୍ଥିତି କଣ ଅଛି  ଏବଂ ସେଠାରେ ପିଣ୍ଟୁ ଦାଶଙ୍କ କେହି  ବିରୋଧୀ ରହୁଛନ୍ତି ନା ନାହିଁ ରିପୋର୍ଟ  ମାଗିଥିଲେ । ଭଞ୍ଜନଗର ଜେଲ୍‌ ମଧ୍ୟ  ତାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି  ରିପୋର୍ଟ ଆସିଥିବା ପିଣ୍ଟୁଙ୍କ ଓକିଲ  ବରିଷ୍ଠ ଆଇନଜୀବୀ ଶିବନାରାୟଣ  ସାହୁ କହିଛନ୍ତି । ଆସିକା ଜେଲ୍‌ରେ କ୍ଷମତାଠାରୁ ଅଧିକ ଅନ୍ତେବାସୀ ରହିଥିବା ବେଳେ  ପିଣ୍ଟୁଙ୍କୁ ଏବେ କୋଉ ଜେଲ୍‌ରେ ରଖାଯିବ ବ୍ରହ୍ମପୁର ଜେଲ୍‌ କର୍ତ୍ତୃପକ୍ଷଙ୍କ  ପାଇଁ ଚିନ୍ତା ବଢ଼ିଛି ।  ଏହି ପିଟିସନ୍‌ର ଶୁଣାଣି ହୋଇଥିଲା । ପିଣ୍ଟୁ  ଦାଶଙ୍କୁ ବ୍ରହ୍ମପୁର ଜେଲ୍‌ରେ ହିଁ ସୁରକ୍ଷା ଭିତରେ ରଖିବାକୁ ତାଙ୍କ  ଓକିଲ ଶିବ ନାରାୟଣ ସାହୁ କୋର୍ଟକୁ ନିବେଦନ କରିଛନ୍ତି । କୋର୍ଟ  ନିର୍ଦ୍ଦେଶ ପରେ ହିଁ ପିଣ୍ଟୁଙ୍କୁ କୋଉଠି ରଖାଯିବ ତାହା ଜଣାପଡିବ ।

ପିଣ୍ଟୁଙ୍କ ଘନିଷ୍ଠ ଶାନ୍ତି ମିଶ୍ରଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାର  ଅଭିଯୁକ୍ତମାନଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇସାରିଥିବାବେଳେ  ସେମାନେ ଏବେ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି । ୮ଜଣଙ୍କୁ ଜେଲ୍‌ ହୋଇଥିବା  ବେଳେ ୫ଜଣ ଜାମିନ୍‌ରେ ମୁକୁଳିଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା  ମଉଜ ମିଶ୍ର ଓ ଦୁଇଜଣ ସହଯୋଗୀ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି । ତେଣୁ ପିଣ୍ଟୁଙ୍କ  ଜୀବନ ପ୍ରତି ସେଠାରେ ବିପଦ ରହିଥିବା ଦର୍ଶାଇ ବ୍ରହ୍ମପୁର ଜେଲ୍‌ ଅଧୀକ୍ଷକ  ତାଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରିବାକୁ କୋର୍ଟକୁ ନିବେଦନ କରିଥିଲେ । 

ଅନ୍ୟ ପକ୍ଷରେ ପିଣ୍ଟୁଙ୍କୁ ଚିକିତ୍ସା ସେବା ମିଳୁନଥିବା ନେଇ ତାଙ୍କ  ଓକିଲ ଶିବ ନାରାୟଣ ସାହୁ ଆଉ ଏକ ପିଟିସନ୍‌ କୋର୍ଟରେ ଦାଖଲ  କରିଥିଲେ । ଏସ୍‌ଡିଜେଏମ୍‌ କୋର୍ଟ ଏହାର ଶୁଣାଣି କରି ପିଣ୍ଟୁ ଦାଶ  ଯେତେବେଳେ ଚାହିଁବେ ତାଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ  ବ୍ରହ୍ମପୁର ଜେଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ସେ ଅସୁସ୍ଥ  ଥିବା କାରଣରୁ ଚିକିତ୍ସା ପାଇଁ ଜେଲ୍‌ରେ ଜଣାଇଥିଲେ । କିନ୍ତୁ ଜେଲ୍‌ରେ  ଅବହେଳା କରାଯିବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।