PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମହିଳା ଓକିଲଙ୍କ ଘରେ ପଶି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଓକିଲ ସଂଘ

ଭଞ୍ଜନଗର,୧୮/୧୧(ଆପ୍ର): ଜଣେ ପଡୋଶୀ ଯୁବକଙ୍କୁ ଅସାମାଜିକ ଯୁବକଙ୍କ କବଳରୁ ରକ୍ଷା କରିବାକୁ ଯାଇ ଜଣେ ମହିଳା ଓକିଲ ଓ ତାଙ୍କ ପରିବାର ଅସାମାଜିକ ଯୁବକମାନଙ୍କ ଆକ୍ରୋଶର ଶୀକାର ହେବାର ଇତିମଧ୍ୟରେ ୪୦ ଘଣ୍ଟା ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଅଭିଯୁକ୍ତ ଯୁବକ ମାନଙ୍କୁ ଧରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅଯଥା କାଳକ୍ଷେପଣ ନୀତି ଆପଣାଉ ଥିବାରୁ ଏହାର ପ୍ରତିବାଦରେ ଓକିଲ ସଂଘ ରାଜରାସ୍ତାକୁ ଓଲ୍ଲାଇଛନ୍ତି। ଶୁକ୍ରବାର ଅପରାହ୍ନ ୩ଟାରେ ଓକିଲମାନେ କୋର୍ଟ ଆଗ ଦେଇ ଯାଇଥିବା ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଥାନା ଅଧିକାରୀ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେ ସଂପର୍କରେ ଅବଗତ କରାଇବା ଜରୁରୀ ବୋଲି ଓକିଲ ମାନେ ଅଡି ବସିଥିବାବେଳେ ରିପୋର୍ଟ ଲେଖାଯିବା ସୁଦ୍ଧା ଥାନା ଅଧିକାରୀ କିମ୍ବା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଆନ୍ଦୋଳନ ଜାରୀ ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ବୁଧବାର ରାତି ୧୦ଟାରେ କିଛି ଦୁବୃର୍ତ୍ତ ଜଣେ ଦଳିତ ଯୁବକକୁ ଆକ୍ରମଣ କରିଥିଲେ। ଆଉ ଜୀବନ ବଞ୍ଚାଇ ରଖିବାକୁ ଯୁବକ ଜଣକ ମହିଳା ଓକିଲ ଅଭାଗିନୀ ବିଷୋୟୀଙ୍କ ଘର ପାଚେରୀ ଗେଟ୍ ଦେଇ ପଶିବା ସହ ବଞ୍ଚାଇବାକୁ ଚିତ୍କାର କରିଥିଲା। ଚିତ୍କାର ଶୁଣି ଅଭାଗିନୀଙ୍କ ପରିବାର ବାହାରକୁ ଆସି ପାଟି କରିବାରୁ ଦୁବୃର୍ତ୍ତ ମାନେ ସେଠାରୁ ଚାଲିଯାଇଥିଲେ। ପରେ ପୁଣିଥରେ ମହିଳା ଓକିଲଙ୍କ ଘର ପାଚେରୀ ଭାଙ୍ଗି ଦୁବୃର୍ତ୍ତମାନେ ପୋର୍ଟିକୋ ବାହାରେ ଥିବା ୨ଟି ମଟର ସାଇକେଲ ଓ ଗୋଟିଏ ଫ୍ରିଜ୍ ସଂପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ କରିଦେଇ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରି ଯାଇଥିଲେ। ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ମଧ୍ୟ ଦୁବୃର୍ତ୍ତ ମାନଙ୍କ ଆକ୍ରମଣ ର ଶୀକାର ହୋଇ ଗୁରୁତର ଆହତ ହୋଇଛନ୍ତି। ତେବେ ଏଭଳି ଘଟଣାକୁ ପୁଲିସ ହାଲୁକା ଭାବେ ନନେବାକୁ ଓକିଲ ସଂଘ ଆରମ୍ଭ ରୁ ପୁଲିସ ଉପରେ ଚାପ ପ୍ରୟୋଗ କରି ଆସିଛି। ଆଉ ପୁଲିସର କାର୍ଯ୍ୟ ଶୈଳୀରେ ଅସନ୍ତୋଷ ବ୍ୟକ୍ତ କରି ଓକିଲ ସଂଘ ରାଜରାସ୍ତାକୁ ଓଲ୍ଲାଇଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ରାସ୍ତା ଅବରୋଧ ଜାରି ରହିଛି।