ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆଦ୍ୟ ତାଳସାରି ବିକାଶ ମଞ୍ଚ ଗଠିତ

ଭୋଗରାଇ,୨୭/୧୧,(ଆ.ପ୍ର.) ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର ଉପକୂଳ ଗୋଛିଦା ତେଘରି ଏବଂ ଶ୍ରଦ୍ଧାପୁର ପଞ୍ଚାୟତ ଦ୍ବୟର ଯଥାକ୍ରମେ କୃଷ୍ଣନଗର ଓ ଖଡିବିଲ ଗାଁର ସୀମାନ୍ତ ସମୁଦ୍ର ଉପକୂଳରେ ଆଦ୍ୟ ତାଳସାରି ଅବସ୍ଥିତ। ଅତୀତର ଜମିଦାରୀ ଶାସନ ସମୟରେ ଏହି ଦୁଇ ଗାଁ ଦୁଇ ଭିନ୍ନ ଜମିଦାରଙ୍କ ଶାସନାଧୀନ ଥିଲା। ଏହି ଦୁଇ ଜମିଦାରୀ ଅଞ୍ଚଳ ମଧ୍ୟରେ ସୀମା ଚିହ୍ନଟ ପାଇଁ ସେଠାରେ ଧାଡ଼ି ଧାଡ଼ି ( ଗାଉଁଲି କଥାରେ ସାରି ସାରି ) ତାଳଗଛ ପୋତା ଯାଇଥିଲା। କାଳକ୍ରମେ ଏହି ତାଳଗଛ ଗୁଡିକ ବଡ ହୋଇଥିଲା। ଏହି ଅଞ୍ଚଳରେ ବାସ କରୁଥିବା ଧୀବର ମାନେ ଏହି ଅଞ୍ଚଳରୁ ସମୁଦ୍ରକୁ ଡଙ୍ଗା ନେଇ ମାଛ ଧରିବାକୁ ଯାଇ ପୁଣି ଫେରି ଆସୁଥିଲେ। ଧୀବର ମାନେ ଏହି ତାଳଗଛ ଗୁଡିକରେ ଡଙ୍ଗା ବାନ୍ଧି ଲଙ୍ଗର ପକାଉଥିଲେ। ଏହି ସ୍ଥାନରେ ମଧ୍ୟ ମାଛ ମଣ୍ଡି ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଏହି ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିଲା ଏବଂ ଏବେ ବି ରହିଛି। ଦୀର୍ଘ ବର୍ଷ ଏପରି ଚାଲିବା ପରେ ଏଠାରେ ଥିବା ସାରି ସାରି ତାଳଗଛ ରହିଥିବା ଦୃଷ୍ଟିରୁ ଏହି ଅଞ୍ଚଳକୁ ଗାଉଁଲି ଭାଷାରେ ତାଳସାରି ନାମକରଣ କରାଯାଇଥିଲା।
ମାତ୍ର ପରବର୍ତ୍ତୀ ସମୟରେ ଏହାର ପାର୍ଶ୍ଵବର୍ତ୍ତୀ ଅନ୍ୟ ଏକ ଅଞ୍ଚଳକୁ ତାଳସାରି ଭାବେ ନାମକରଣ କରାଯାଇଛି। ଫଳରେ ପୂର୍ବର ସଂପୃକ୍ତ ଅଞ୍ଚଳ ଏବେ ଆଦ୍ୟ ତାଳସାରି ଭାବେ ପରିଚିତି ପାଇଛି। ତେବେ ଏହି ଆଦ୍ୟ ତାଳସାରି ବେଳାଭୂମି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋରମ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଏହି ଅଞ୍ଚଳର ବିକାଶ ପାଇଁ କୈାଣସି ପଦକ୍ଷେପ ନିଆଯାଇନାହିଁ। ଏହି ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଏହାର ବିକାଶ କରାଯାଇ ପାରିଲେ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ରହିଛନ୍ତି। ତେବେ ଗୋଛିଦା ତେଘରି ପଞ୍ଚାୟତବାସୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଆଦ୍ୟ ତାଳସାରି ବେଳାଭୂମି ପର୍ଯ୍ୟଟନ ଶିଳ୍ପର ବିକାଶ ସ୍ବପ୍ନ ଦେଖା ଦେଇଥିଲା ବେଳେ ସ୍ଥାନୀୟ ଜନୈକ ସମାଜସେବୀ ଦିଲ୍ଲୀପ କୁମାର କାମିଳାଙ୍କ ଆହ୍ୱାନରେ ରବିବାର ଅପରାହ୍ନରେ ସେହି ସ୍ଥାନରେ ଏକ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲା ବେଳେ ସର୍ବସମ୍ମତିକ୍ରମେ ‘ଆଦ୍ୟ ତାଳସାରି ବିକାଶ ମଞ୍ଚ’ ଗଠିତ ହୋଇଛି। ପରବର୍ତ୍ତୀ ସମୟରେ ଏହି ବିକାଶ ମଞ୍ଚର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ରୂପରେଖ ନିର୍ଦ୍ଧାରିତ ହେବ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାପୁର ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଘନଶ୍ୟାମ ନାୟକଙ୍କ ସମେତ ଗୋଛିଦା ତେଘରି ସରପଞ୍ଚ ରାଜେଶ୍ବରୀ କାମିଳା, ସମାଜସେବୀ ରାମକୃଷ୍ଣ ବେହେରା, କାଳିଚରଣ ସାମଲ,ଗଣେଷ ପଟ୍ଟାୟତ, ବନମାଳୀ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।