ଆଫଗାନିସ୍ତାନର ଧାର୍ମିକ ବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ, ୨୦ରୁ ଅଧିକ ଗୁରୁତର…

ନୂଆଦିଲ୍ଲୀ: ଆଫଗାନିସ୍ତାନର ସମାଙ୍ଗନର ଏକ ଧାର୍ମିକ ବିଦ୍ୟାଳୟରେ ଆଜି (ବୁଧବାର) ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଖବର ଅନୁଯାୟୀ, ସମାଙ୍ଗନର ଏବକ ସହରର ଜହଦିଆ ମଦ୍ରାସାରେ ଏହି ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଟୋଲୋ ନ୍ୟୁଜ୍ ଅନୁଯାୟୀ, ଡାକ୍ତରଖାନାର ଡାକ୍ତର ନିଶ୍ଚିତ କରିଛନ୍ତି ଯେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୭ ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଦ୍ବିପ୍ରହର ନମାଜ ସମୟରେ ହୋଇଛି । ଏନେଇ ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ, ଉତ୍ତର ଆଫଗାନିସ୍ତାନର ଏକ ଧାର୍ମିକ ବିଦ୍ୟାଳୟରେ ବୋମା ବିସ୍ଫୋରଣରେ ଅତି କମରେ ୧୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ।
ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଦ୍ବିପ୍ରହରରେ ନମାଜ ବେଳେ ଏହି ବିସ୍ଫୋରଣ ଘଟିଥିଲା । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ତାକୋର କହିଛନ୍ତି ଯେ, ଉତ୍ତର ସମାଙ୍ଗନ ପ୍ରଦେଶର ରାଜଧାନୀ ଏବକରେ ହୋଇଥିବା ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଗତ ବର୍ଷ ଆମେରିକା ସମର୍ଥିତ ସରକାରକୁ ବହିଷ୍କାର କରିବା ପରେ ଏବଂ ତାଲିବାନ ନିୟନ୍ତ୍ରଣକୁ ନେବା ପରେ ଆଫଗାନିସ୍ତାନରେ ଏକାଧିକ ବିସ୍ଫୋରଣ ହୋଇଛି । ଏନେଇ କିଛି ଗୋଷ୍ଠୀ କହିଛନ୍ତି ଯେ ତାଲିବାନ ମାନବ ଏବଂ ମହିଳା ଅଧିକାରକୁ ସମ୍ମାନ ଦେବା ପାଇଁ ଅନେକ ପ୍ରତିଶ୍ରୁତି ଭଙ୍ଗ କରିଛି ।