ଭୋକ ଜ୍ୱାଳାରେ ଡହଳବିକଳ ଆଫଗାନିସ୍ତାନବାସୀ: ଖାଦ୍ୟାଭାବରୁ ପିଲାକୁ ନିଦ ମେଡିସିନ ଖୁଆଉଛି ମା’, ପେଟ ପାଇଁ ବିକୁଛନ୍ତି ଦେହର ଅଙ୍ଗ

ନୂଆଦିଲ୍ଲୀ: ଖାଦ୍ୟ ଜ୍ୱାଳାରେ ଛଟପଟ ହେଉଛନ୍ତି ଆଫଗାନିସ୍ତାନବାସୀ। ଦେଶରେ କ୍ରୁର ତାଲିବାନ ବଳ ପୂର୍ବକ ଶାସନ କ୍ଷମତା ହାତେଇବା ପରେ ବେକାରୀ ଏବଂ ଖାଦ୍ୟ ସଙ୍କଟରେ ହାହାକାର ହେଉଛନ୍ତି ଦେଶବାସୀ। ଅନ୍ୟପଟେ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଅନ୍ତର୍ଜାତୀୟ ସ୍ଥରରେ ସହାୟତା ମଧ୍ୟ ବନ୍ଦ ହୋଇଛି। ଏପରି ସ୍ଥିତିରେ ଦେଶରେ ପୂରା ଭୁଶୁଡ଼ି ପଡ଼ିଛି ଅର୍ଥବ୍ୟବସ୍ଥା। ସେମାନେ ଗଣ୍ଡେ ଖାଇବାକୁ ଅନେକ ସଂଘର୍ଷ କରୁଛନ୍ତି। ଆଉ ଏ ସଂଘର୍ଷର କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ଭୋକରେ ଆଉଟୁପାଉଟୁ ହେଉଛି ଶିଶୁ। ସେ ଅବା କ’ଣ ଜାଣିଛି ତା ଦେଶର ଶାସନ ବ୍ୟବସ୍ଥା କଥା? ସେ ବୁଝି ପାରୁନି ଯେ ଘରେ ଖାଇବାକୁ ନାହିଁ। ମା’ କୁଆଡ଼ୁ ଖାଇବା ଆଣି ଦେବ। ଭୋକ ଲାଗୁଛି, କାନ୍ଦି କାନ୍ଦି ମା’କୁ ଖାଇବା ମାଗୁଛି। ହେଲେ ପିଲାର ଏପରି ଭୋକ ଦେଖି ନିରୁପାୟ ହେଉଛି ମା’। ଶେଷରେ ଖାଇବାକୁ ଦେଇ ନପାରେ ମା’ ତା ଛୁଆକୁ ନିଦ ମେଡିସିନ ଦେଇ ଶୁଆଇ ଦେଉଛି। ପେଟ ପାଇଁ ଶେଷରେ ନିଜର ଅଙ୍ଗ ବିକ୍ରି କରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି ଦେଶବାସୀ। ତେବେ ଏହି ଘଟଣା ଗୋଟିଏ କି ଦୁଇଟି ପରିବାରରେ ନୁହେଁ, ପରନ୍ତୁ ଅଧିକାଂଶ ପରିବାରରେ ଏହି ସମାନ ଘଟଣା ଦେଖିବାକୁ ମିଳୁଛି।
ଯେଉଁ ରିପୋର୍ଟ ସାମ୍ନାକୁ ଆସୁଛି ଏଥିରେ କୁହାଯାଇଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ବେକାରୀ ଚରମ ସୀମାରେ ପହଞ୍ଚିଛି। ଖାଦ୍ୟ ସଙ୍କଟରେ ଲୋକେ ଡହଳବିକଳ ହେଉଛନ୍ତି। କିଛି ଆଫଗାନିସ୍ତାନବାସୀ ଭୋକ ବିକଳରେ ନିଦ ମେଡିସିନ ଖାଉଥିବା କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି ।