ଦୁଇ ଭାଗ ହୋଇଯିବ ଆଫ୍ରିକା ମହାଦେଶ, ସୃଷ୍ଟି ହେବ ନୂଆ ସାଗର…

ନୂଆଦିଲ୍ଲୀ ୨୦/୦୩: ପୃଥିବୀର ଆଭ୍ୟନ୍ତରୀଣ ଭାଗରେ ଲଗାତର ହଲଚଲ ଜାରି ରହିଛି । ଏଥିଜନିତ ପରିବର୍ତ୍ତନ ଏହା ସ୍ଥିର କରିଥାଏ ଯେ, ଉପରେ ଜମି ରହିବ, ଜଳ ନା ଆଉ କିଛି । ଏବେ ଆଫ୍ରିକା ମହାଦେଶକୁ ନେଇ ଭୂବିଜ୍ଞାନୀମାନେ କିଛି ବଡ଼ଧରଣ ଘଟିବାର ସମ୍ଭାବନା ଥିବା ଅନୁମାନ କରିଛନ୍ତି । ଆଫ୍ରିକାର ଭୂଭାଗ ଦୁଇ ଭାଗ ହୋଇଯାଇପାରେ ଏବଂ ମଝିରେ ଏକ ନୂଆ ସାଗର ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ଏ ସଂକ୍ରାନ୍ତୀୟ ରିପୋର୍ଟ ସାଇନ୍ସ ଜର୍ନାଲ ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ପ୍ରକାଶ ପାଇଛି । ଏଥିରେ ଆଫ୍ରିକାର ଭୂଭାଗ ବାଣ୍ଟିହୋଇଯିବା ନେଇ ଆକଳନ କରାଯାଇଛି ।
କେନ୍ୟାର ନାଇରୋବି-ନାରୋକ ରାଜପଥ ନିକଟରେ ବହୁ କିଲୋମିଟର ଦୂରତା ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଇଥିଓପିଆ ଆକରର ଜମିରେ ୨୦୦୫ରେ ଲମ୍ବା ଫାଟ ଦେଖିବାକୁ ମିଳିଥିଲା । ସେତେବେଳେ କେବଳ ୧୦ ଦିନରେ ଏହି ଫାଟ ୫୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା । ଭୂବିଜ୍ଞାନୀଙ୍କ କହିବା ଅନୁସାରେ ଏହା ଆଫ୍ରିକୀୟ ମହାଦେଶ ଦୁଇ ଭାଗ ହେବାର ଆରମ୍ଭ । ସାଧାରଣତଃ ଏପରି ପରିବର୍ତ୍ତନ ପାଇଁ ଦୀର୍ଘ ସମୟ ଲାଗିଥାଏ । କିନ୍ତୁ ଏବେ ଜଣାପଡ଼ୁଛି ଯେ ଏହି ପରିବର୍ତ୍ତନ ଦ୍ରୁତଗତିରେ ହେଉଛି । ଲିଡ୍ସ ୟୁନିଭର୍ସିଟିର ଜଣେ ଡକ୍ଟରେଟ୍ ଛାତ୍ର ଖ୍ରୀଷ୍ଟୋଫର୍ ମୋରେଙ୍କ କହିବା ଅନୁସାରେ, ଆଫ୍ରିକା ଭାଗ ଭାଗ ହେବା ପରେ ଉଗାଣ୍ଡା, ଜାମ୍ବିଆ ଭଳି ଭୂଆବଦ୍ଧ ଦେଶକୁ ନିଜର ସମୁଦ୍ର ତଟ ମିଳିବ । ତେବେ ଏଥିପାଇଁ ୫ରୁ ୧୦ ନିୟୁତ ବର୍ଷ ଲାଗିପାରେ ।
ଏପରି ହେଲେ ଲୋକଙ୍କୁ ନିଜ ଭିଟାମାଟି ହରାଇବାକୁ ପଡ଼ିପାରେ । ଏଥିସହ ଧନଜୀବନ ହାନିକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ । ତେବେ ନୂଆ ତଟବର୍ତ୍ତୀ ଅଞ୍ଚଳ ସୃଷ୍ଟି ହେବା ଦ୍ୱାରା ବିଶ୍ୱ ଅର୍ଥନୀତି ବିସ୍ତାର ହେବାର ନୂଆ ସମ୍ଭାବନା ସୃଷ୍ଟି ଆଶା ମଧ୍ୟ ରହିଛି । ଭୂଆବଦ୍ଧ ଦେଶଗୁଡ଼ିକ ନିଜର ଉପକୂଳ ପାଇବା ଦ୍ୱାରା ଅତିରିକ୍ତ ବନ୍ଦର ସୃଷ୍ଟି ହେବ ଏବଂ ବାଣିଜ୍ୟ କାରବାର ବୃଦ୍ଧି ପାଇବ । ଯଦି ସୋମାଲି ଏବଂ ନୁବିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ଅଲଗା ହେବା ଜାରି ରଖିବେ ତେବେ ଏଥିଯୋଗୁ ନୂଆ ଛୋଟ ମହାଦେଶ ସୃଷ୍ଟି ହୋଇପାରେ । ଏଥିରେ ସୋମାଲିଆ ସହ କେନ୍ୟା, ଇଥିଓପିଆ ଏବଂ ତାଞ୍ଜାନିଆ ରହିପାରେ ।
ନୁବିଆନ୍ ଆଫ୍ରିକୀୟ ପ୍ଲେଟ୍, ସୋମାଲିଆ ଆଫ୍ରିକାନ୍ ପ୍ଲେଟ୍ ଏବଂ ଆରବିଆନ୍ ପ୍ଲେଟ୍ ପୃଥକ୍ ଗତିରେ ଅଲଗା ହେଉଛନ୍ତି । ଭୂଭୌତିକବିତ୍ କେନ୍ ମ୍ୟାକ୍ଡୋନାଲ୍ଡୋଙ୍କ କହିବା ଅନୁସାରେ, ଆରବିଆନ୍ ପ୍ଲେଟ୍ ଆଫ୍ରିକାଠାରୁ ବର୍ଷକୁ ଗୋଟିଏ ଇଞ୍ଚ ଅଲଗା ହେଉଥିବାବେଳେ ଅନ୍ୟ ଦୁଇ ଆଫ୍ରିକୀୟ ପ୍ଲେଟ୍ ବର୍ଷକୁ ଅଧା ଇଞ୍ଚରୁ ୦.୨ ଇଞ୍ଚ ହାରରେ ଅଲଗା ହେଉଛି । ଏହା ଏକ ଜଟିଳ ଭୌଗୋଳିକ ପ୍ରକ୍ରିୟା । ଏଥିଯୋଗୁ ଆଫ୍ରିକା ଦୁଇଭାଗରେ ବିଭକ୍ତ ହୋଇପାରେ ଏବଂ ୫ରୁ ୧୦ ନିୟୁତ ବର୍ଷ ଭିତରେ ଏକ ନୂଆ ସମୁଦ୍ର ସୃଷ୍ଟି ହୋଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ସମୁଦ୍ରର ଗୋଟିଏ ପାଖରେ ସୋମାଲିଆ, କେନ୍ୟା, ଇଥିଓପିଆ, ତାଞ୍ଜାନିଆ ରହି ମହାଦେଶର ବାକି ଭାଗରୁ ଅଲଗା ହୋଇଯାଇପାରନ୍ତି । ଇଥିଓପିଆର ମରୁଭୂମି ଅଞ୍ଚଳର କିଛି ଭାଗ ସମୁଦ୍ର ତଳରୁ ନିମ୍ନରେ ରହିଛି । ଛୋଟ ଭୂଭାଗ ଏହାକୁ ଅଲଗା ରଖିଛି । ଆଫ୍ରିକାରେ ଫାଟ ବଢ଼ିବା ପରେ ସମୁଦ୍ର ପାଣି ଏହା ଭିତରେ ପ୍ରବେଶ କରିଯିବ । ସେଠାରେ ଏକ ନୂଆ ସମୁଦ୍ର ସୃଷ୍ଟି ହୋଇପାରେ । ଏହା ଉପ-ସୋମାଲିଆ ପ୍ଲେଟ୍କୁ ଦୂରକୁ ଠେଲିଦେବ । ଏହା ଦ୍ୱାରା ସୋମାଲିଆ, ସାଉଥ୍ ଇଥିଓପିଆ, କେନ୍ୟା ଆଦି ଅଲଗା ହୋଇଯିବେ ।