୬ବର୍ଷ ପରେ ଭାଇକୁ ମିଳିଲା ନ୍ୟାୟ, ଭଉଣୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଜରିମାନା

ମାଲକାନଗିରି,୨।୪: ଭିଣୋଇ ଭଉଣୀଙ୍କ ମଧ୍ୟରେ ଲାଗିଥିଲା ଗଣ୍ଡଗୋଳ । ଭଉଣୀ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ଭିଣୋଇ । ଏ ସମ୍ପର୍କରେ ଭାଇ ଥାନାରେ ଅଭିଯୋଗ କରିଥିଲେ । ଦୀର୍ଘ ୬ ବର୍ଷ ପରେ ଭାଇକୁ ନ୍ୟାୟ ମିଳିଛି । ବିଳମ୍ବ ହେଲେ ମଧ୍ୟ ଅଦାଲତର ଉପଯୁକ୍ତ ନ୍ୟାୟ ପାଇ ଖୁସି ଅଛି ଭାଇ । ଭଉଣୀ ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସମେତ ୧୦ହଜାର ଟଙ୍କା ଜରିମାନାରେ ଅଦାଲତ ଦଣ୍ଡିତ କରିଛନ୍ତି।
ଗତ ୨୦୧୭ ମସିହା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସାରଦାପୁଟର ଗ୍ରାମର ଗଙ୍ଗାଧର ପୂଜାରୀଙ୍କ ଭଉଣୀ କୁସୁମା ପୂଜାରୀଙ୍କୁ ତାଙ୍କ ସ୍ୱାମୀ ନରସିଂହ ପୂଜାରୀ ଗଣ୍ଡଗୋଳ ଲାଗି ଗତ ୨୦୧୭ ମସିହାରେ ହତ୍ୟା କରିଥିଲା । କୁସୁମାଙ୍କ ଭାଇ ଗଙ୍ଗାଧର ଏ ସମ୍ପର୍କରେ ମାଥିଲି ଥାନାରେ ଏତଲା ଦେଇଥିଲେ । ଗତ ୨୦୧୭ ମସିହା ଜୁନ ମାସ ୨୧ ତାରିଖ ଦିନ ରାତି ପ୍ରାୟ ୯ଟା ସମୟରେ ମାଥିଲି ଥାନା ଅନ୍ତର୍ଗତ ତେଲେକାବେସା ଗ୍ରାମର ରଘୁନାଥ ପ୍ରଧାନ ଓ ଆଇତା କୁଞ୍ଜାଜମି ଉଭୟ ଗଙ୍ଗାଧର ପୂଜାରୀଙ୍କୁ ଭଉଣୀର ହତ୍ୟା ଖବର ଦେଇଥିଲେ । ତାଙ୍କ ଭଉଣୀ କୁସୁମାଙ୍କୁ ତାଙ୍କ ସ୍ୱାମୀ ନରସିଂହ ପୂଜାରୀ ତେଲକାବେସା ଓ ପ୍ରଧାନୀ ଗୁଡ଼ା ଜଙ୍ଗଲ ମଧ୍ୟରେ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ସେମାନେ ଗଙ୍ଗାଧରଙ୍କୁ କହିଥିଲେ ।
ତେବେ ଏହା ଶୁଣିବା ପରେ ରାତି ଅନେକ ହୋଇଥିବାରୁ ତା’ ପର ଦିନ ସକାଳୁ ଗଙ୍ଗାଧର ପୂଜାରୀ ଓ ଗ୍ରାମବାସୀ ଘଟଣାସ୍ଥଳକୁ ନେଇ ଯାଇଥିଲେ । ସେଠାରେ ଭଉଣୀ କୁସୁମା ପୂଜାରୀ ମୃତଦେହ ପଡ଼ିଥିବାର ଦେଖିଥିଲେ । ଏନେଇ ଗଙ୍ଗାଧର ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନରସିଂହ ପୂଜାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଚାର୍ଜସିଟ ଦାଖଲ କରିଥିଲା । ସେବେଠୁ ଏ ମାମଲା ମାଲକାନଗିରି ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତରେ ବିଚାରାଧୀନ ଥିଲା । ଗତକାଲି ମାଲକାନଗିରି ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀମତୀ ଅଜନ୍ତା ଷଢ଼ଙ୍ଗୀ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଶୁଣିଥିଲେ । ଏହାସହ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜକୁ ବିଚାର କରି ଅଭିଯୁକ୍ତ ନରସିଂହକୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ଦଣ୍ଡ ଶୁଣାଇ ଥିଲେ । ତେବେ ଏହି ଜରିମାନା ଅନାଦେୟ ନହେଲେ ଆହୁରି ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାକୁ ସରକାରୀ ଓକିଲ ମହେନ୍ଦ୍ର କୁମାର ନାଗ ପରିଚାଳନା କରିଥିଲେ ।