ନୂଆଦିଲ୍ଲୀ,୧୪।୬:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ରୁ ୧୯ ଜୁନ୍‌ ୨୦୨୫ ପର୍ଯ୍ୟନ୍ତ ତିନି ଦେଶର ଗୁରୁତ୍ବପୂର୍ଣ୍ଣ ଯାତ୍ରାରେ ରହିବେ।  ଏହି ସମୟ ମଧ୍ୟରେ ସେ ସାଇପ୍ରସ୍, କାନାଡା ଓ କ୍ରୋଏସିଆ ଯାତ୍ରାରେ ଯିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି। ଯାତ୍ରା ବେଳେ ପିଏମ୍ ମୋଦି ସାଇପ୍ରସ୍‌ରେ ଦ୍ବିପାକ୍ଷିକ ଆଲୋଚନା କରିବେ, କାନାଡାରେ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବେ ଓ କ୍ରୋଏସିଆର ନେତାଙ୍କୁ ସାକ୍ଷାତ କରିବେ। ଏହି ଯାତ୍ରା ଭାରତର ବିଶ୍ବ କୁଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। 

ପ୍ରଧାନମନ୍ତ୍ରୀ ମୋଦି ୧୫ ଜୁନ୍‌ରେ ସାଇପ୍ରସ୍‌ର ରାଜଧାନୀ ନିକେସିୟାରେ ପହଁଞ୍ଚିବେ। ଏହା ଦୁଇ ଦଶକରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସ୍‌ର ପ୍ରଥମ ଯାତ୍ରା ହେବ। ସାଇପ୍ରସ୍‌ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟେ୍ରାଡୋଲାଇଡସ୍‌ଙ୍କ ନିମନ୍ତ୍ରଣରେ ଯାତ୍ରା କରିବେ ପିଏମ୍‌ ମୋଦି।  ସେଠାରେ ସେ ନିକୋସଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ଏହାଛଡା ସେ ଲିମାସୋଲରେ ଉଦ୍ୟୋଗପତିଙ୍କୁ ସମ୍ବୋଧିତ କରିବେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ,ଏହି ଯାତ୍ରା ଭାରତ ଓ ସାଇପ୍ରସ୍ ଭିତରେ ସମ୍ପର୍କକ ଅଧିକ ସୂଦୃଢ କରିବ। ଏହା ସହ ଭୂମଧ୍ୟ ସାଗରୀୟ ତଥା ୟୁରୋପୀୟ ସଂଘ ସହ ଭାରତର ଭାଗିଦାରୀକୁ ମଜବୁତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ।

ସାଇପ୍ରସ୍‌ର ଯାତ୍ରାକୁ ରାଜନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଉଛି। ୨୦୨୩ ରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ବେଳେ ଆରମ୍ଭ ହୋଇଥିବା ଭାରତ-ମଧ୍ୟ ପୂର୍ବ-ୟୁରୋପ ଆର୍ଥିକ କରିଡରରେ ସାଇପ୍ରସ୍‌କୁ ଏକ ସମ୍ଭାବିତ ଭାଗିଦାର ରୂପରେ ଦେଖାଯାଉଛି। ଏହି ଯାତ୍ରା ତୁର୍କୀକୁ ମଧ୍ୟ ଏକ କୁଟନୈତିକ ବାର୍ତ୍ତା ଦେଇପାରେ। ଯାହାଫଳରେ ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିଲେ। ସାଇପ୍ରସ୍‌ ପରେ ପିଏମ୍ ମୋଦି କାନାଡାର ଆଲବର୍ଟ ପ୍ରଦେଶର କନାନାସ୍କିସ୍‌ରେ ୧୬-୧୭ ଜୁନ୍‌ରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ଭାରତକୁ ଏହି ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇଛି। ଏହା ଭାରତର ଲଗାତାର ଷଷ୍ଠ   ଜି-୭ ଶିଖର ସମ୍ମିଳନୀ ହେବ।