ନୂଆଦିଲ୍ଲୀ: ଶେଷ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନମାନି ଖେଳ। ଶୁଳ୍କକୁ ନେଇ ଆଉ ମନମାନି କରି ପାରିବେନି ଆମେରିକା ରାଷ୍ଟ୍ରପତି। ପୂର୍ବରୁ ଟ୍ରମ୍ପଙ୍କୁ ଆମେରିକାର ସୁପ୍ରିମକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି, ଯେଉଁଥିରେ ତାଙ୍କ ଶୁଳ୍କ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିଛନ୍ତି। ଆଉ ଏବେ ଆମେରିକା କଷ୍ଟମ୍ସ ବିଭାଗ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଆମେରିକା କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP) କହିଛି ଯେ, ଅନ୍ତର୍ଜାତୀୟ ଜରୁରୀକାଳୀନ ଆର୍ଥିକ ଶକ୍ତି ଆଇନ (IEEPA) ଅନୁଯାୟୀ ବର୍ଦ୍ଧିତ ଶୁଳ୍କ ହାର ସଂଗ୍ରହ ମଙ୍ଗଳବାର ଦିନ ୧୨.୦୧ (ସ୍ଥାନୀୟ ସମୟ) ରୁ ବନ୍ଦ ହୋଇଯିବ।
ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା...
ସୁପ୍ରିମକୋର୍ଟ ତାଙ୍କ ଟ୍ରମ୍ପଙ୍କ ଶୁଳ୍କ ନିର୍ଦ୍ଦେଶକୁ ବନ୍ଦ କରିବା ପରେ,ମଧ୍ୟ ସେ ଏକ ନୂତନ ୧୫ ପ୍ରତିଶତ ବିଶ୍ୱ ଶୁଳ୍କ ଘୋଷଣା କରିଥିଲେ। ତଥାପି, ପୂର୍ବ IEEPA ନିର୍ଦ୍ଦେଶ ଅନୁଯାୟୀ ଲାଗୁ ହୋଇଥିବା ଶୁଳ୍କ ବର୍ତ୍ତମାନ ପ୍ରତ୍ୟାହାର କରାଯିବ। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କାର୍ଗୋ ସିଷ୍ଟମ୍ସ ମେସେଜିଂ ସେବା (CSMS) ମାଧ୍ୟମରେ ଜାରି ଏକ ନୋଟିସରେ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ପୂର୍ବ IEEPA ନିର୍ଦ୍ଦେଶ ଅନୁଯାୟୀ ଲାଗୁ ହୋଇଥିବା ଶୁଳ୍କ ମଙ୍ଗଳବାର ଠାରୁ ପ୍ରତ୍ୟାହାର କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ୱେ ବନ୍ଦର ପ୍ରବେଶ ସ୍ଥାନ ଗୁଡ଼ିକରେ କାହିଁକି ଶୁଳ୍କ ସଂଗ୍ରହ ଅନେକ ଦିନ ଧରି ଜାରି ରହିଥିଲା ତାହା CBP ସ୍ପଷ୍ଟ କରିନାହିଁ। ଏହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ ଯେ, ଆମଦାନୀକାରୀ ମାନେ ପୂର୍ବରୁ ସଂଗୃହିତ ଶୁଳ୍କ ପାଇଁ ଫେରସ୍ତ ପାଇବେ କି ନାହିଁ।
ଶୁଳ୍କ ସଂଗ୍ରହକୁ ସ୍ଥଗିତ ରଖିବା...
ରିପୋର୍ଟ ଅନୁଯାୟୀ, ପେନୱାର୍ଡେନ ବଜେଟ୍ ମଡେଲର ଜଣେ ଅର୍ଥନୀତିଜ୍ଞ ଆକଳନ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ IEEPA ଶୁଳ୍କ ଅନୁଯାୟୀ ୧୭୫ ବିଲିୟନରୁ ଅଧିକ ଅର୍ଥ ଫେରସ୍ତ ପାଇଁ ଯୋଗ୍ୟ ହୋଇପାରିବ। ଆକଳନ କରାଯାଇଛି ଯେ ଏହି ଶୁଳ୍କ ଗୁଡ଼ିକ ଯୁକ୍ତରାଷ୍ଟ୍ର ପାଇଁ ପ୍ରତିଦିନ ହାରାହାରି ପ୍ରାୟ ୫ମିଲିୟନ ଡଲାର ରାଜସ୍ୱ ସୃଷ୍ଟି କରୁଛନ୍ତି। ତେବେ କେଉଁ ଶୁଳ୍କ ଗୁଡ଼ିକ ପ୍ରଭାବିତ ହେବ ନାହିଁ ? IEEPA-ସମ୍ବନ୍ଧୀୟ ଶୁଳ୍କ ଗୁଡ଼ିକର ସ୍ଥଗିତତା ଜାତୀୟ ସୁରକ୍ଷା ଆଇନ ଅଧୀନରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଧାରା ୨୩୨ ଏବଂ ଧାରା ୩୦୧ ଶୁଳ୍କ ଗୁଡ଼ିକୁ ପ୍ରଭାବିତ କରିବ ନାହିଁ। ସେହି ଶୁଳ୍କ ଗୁଡ଼ିକ ପ୍ରଭାବଶାଳୀ ରହିବ।
କୋର୍ଟଙ୍କ ନିଷ୍ପତ୍ତି ବିଷୟରେ ଟ୍ରମ୍ପ କ’ଣ କହିଥିଲେ ?
ଶୁକ୍ରବାରର ନିଷ୍ପତ୍ତି ପରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ରର ସୁପ୍ରିମକୋର୍ଟର ବିଚାରପତି ମାନଙ୍କୁ କଡ଼ା ସମାଲୋଚନା କରିଥିଲେ। ଟ୍ରମ୍ପ କହିଥିଲେ ଯେ ସେ ଶୁଳ୍କ ମାମଲାରେ ଅତ୍ୟନ୍ତ ନିରାଶାଜନକ ନିଷ୍ପତ୍ତି ଦେଇଥିବା ଆମେରିକାର ସୁପ୍ରିମକୋର୍ଟ ବିଚାରପତି ମାନଙ୍କ ପ୍ରତି ଗଭୀର ଲଜ୍ଜିତ।