କଶ୍ମୀର ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସରକାରଙ୍କ ଆଡଭାଇଜରି ଜାରି

ଶ୍ରୀନଗର, ୧୭।୨(ଏଜେନ୍ସି): ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କଶ୍ମୀରର ଲୋକଙ୍କ ଉପରେ ଆକ୍ରମଣ ଖବର ଆସିବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କୁ ଗାଇଡଲାଇନ୍ ଜାରି କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଶ୍ମୀର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। କଶ୍ମୀର ଲୋକଙ୍କ ଉପରେ ଆକ୍ରମଣ ଖବର ସାମନାକୁ ଆସିବା ପରେ ଏବେ ସେଠାରେ ବନ୍ଦ ଘୋଷଣା କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି,ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ଲୋକ ଏବଂ ଛାତ୍ରଙ୍କୁ ବିଭିନ୍ନ ରାଜ୍ୟରେ ଆକ୍ରମଣ ଏବଂ ହଇରାଣ କରାଯାଉଥିବାର ରିପୋର୍ଟ ଆସିଥିଲା। ଏଥିପାଇଁ ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜାରି ଜାରି କରି କହିଛନ୍ତି ତାଙ୍କର ସୁରକ୍ଷା ପାଇଁ ଉଚି୍ତ ପଦକ୍ଷେପ ନିଆଯାଉ।

ସେଭଳି ଜମ୍ମୁରେ ବହୁ ଯାନବାହାନରେ ନିଆଁ ଲଗାଇ ଦିଆଯାଇଛି। ସହରରେ ୩ ଦିନ ଲଗାତାର କର୍ଫ୍ୟୁ ଜାରି ରହିଛି। ଏକ ରିପୋର୍ଟ ଅନୁସାରେ ଡେରାଡୁନରେ ରହୁଥିବା କିଛି କଶ୍ମୀର ଛାତ୍ର ଅଭିଯୋଗ କରିଛନ୍ତି ସେମାନେ ଯେଉଁ ଘରେ ଭଡା ରହୁଥିଲେ ତା’ର ମାଲିକ ଘର ଚାଡିବାକୁ କହୁଛନ୍ତି। ବିହାରର ପାଟନାରେ ରହୁଥିବା କଶ୍ମୀରର ବ୍ୟବସାୟୀମାନେ କହିଛନ୍ତି, ତାଙ୍କ ଉପରେ ଗୋଷ୍ଠୀବଦ୍ଧ ଭାବରେ କିଛି ଲୋକ ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷେ ଜମ୍ମୁ-କଶ୍ମୀର ବାହାରେ ରହୁଥିବା କଶ୍ମୀର ବାସିନ୍ଦାଙ୍କୁ ଦିଆଯାଉଥିବା ଧମକକୁ ଦୃଷ୍ଟିରେ ରଖି ଶ୍ରୀନଗର ସ୍ଥିତ ସିଆରପିଏଫ୍ ହେଲପ୍ ଲାଇନ୍ ଶନିବାର କହିଛି କୌଣସି ପ୍ରକାର ଉତ୍ପୀଡନ ମାମଲା ଆସିଲେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିବାକୁ। ଶୀଘ୍ର ସହାୟତା ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ୧୪୪୧୧ କିମ୍ବା ୭୦୮୨୮୧୪୪୧୧ରେ ଏସ୍ଏମଏସ୍ କରିବାକୁ କୁହାଯାଇଛି।