TMC ଓ AAP ପରେ ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବୟକଟ୍ କଲେ RJD, DMK ଓ CPI

ନୂଆଦିଲ୍ଲୀ ୨୪/ ୦୫: ତୃଣମୂଳ କଂଗ୍ରେସ ପରେ ଏବେ ରାଷ୍ଟ୍ରୀୟ ଜନତା ଦଳ (RJD), ଡିଏମ୍କେ ଓ ଶିବ ସେନା (ଉଦ୍ଧବ ଠାକରେ) ନୂତନ ସଂସଦ ଭବନ ଉଦଘାଟନରେ ସାମିଲ ନହେବା ପାଇଁ ଘୋଷଣା କରିଛନ୍ତି । ମେ ୨୮ ତାରିଖରେ ହେବାକୁ ଥିବା ସଂସଦ ଭବନ ଉଦଘାଟନ ସମାରୋହକୁ ପ୍ରଥମେ ବୟକଟ୍ କରିଥିଲେ ମମତା ବାନାର୍ଜୀଙ୍କ ଟିଏମ୍ସି, ସିପିଆଇ ଓ ଅରବିନ୍ଦ କେଜରିଓ୍ବାଲଙ୍କ ଆମ୍ ଆଦମୀ ପାର୍ଟି । ବୁଧବାର ଆଉ ୩ଟି ଆଞ୍ଚଳିକ ଦଳ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ଶୁଣିବାକୁ ମିଳୁଛି କଂଗ୍ରେସ ମଧ୍ୟ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ହେବ ନାହିଁ । କିନ୍ତୁ ଦଳ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ବିରୋଧୀ ଦଳ ମାନଙ୍କ ଦାବି ଯେ, ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦଘାଟନ କରିବା ଉଚିତ । କିନ୍ତୁ ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବାରୁ ବିରୋଧୀ ଖପ୍ପା ହୋଇଛନ୍ତି । ଅନ୍ୟ ବିପକ୍ଷ ଦଳମାନେ ମଧ୍ୟ ବୟକଟ୍ କରିବା ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ।
ବୟକଟ୍ ମଧ୍ୟରେ ଆରଜେଡି ନେତା ମନୋଜ ଝା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନ ଉଦଘାଟନ କରିବା ଭାରତର ସମ୍ବିଧାନ ବିରୋଧୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ପାର୍ଲିଆମେଣ୍ଟ ଉଦଘାଟନ କରିବା ଉଚିତ । ବୟକଟ୍ ଡାକରା ମିଳିତ ବିରୋଧୀଙ୍କ ପକ୍ଷରୁ ଏକ ମେସେଜ୍।’
ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି, ‘ସମସ୍ତ ବିରୋଧୀ ଦଳ ନୂତନ ସଂସଦ ଭବନ ଉଦଘାଟନକୁ ବୟକଟ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମେ ୨୮ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଆମେ ମଧ୍ୟ ବୟକଟ୍ କରୁଛି । ଦଳର କୌଣସି ନେତା ଏଥିରେ ସାମିଲ ହେବେ ନାହିଁ’।