ଦୁଇଦିନ ଗରମ, ୧୩ରୁ ବର୍ଷା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଏବେଠୁ ଅସ୍ତବ୍ୟସ୍ତ କଲାଣି ଗରମ । ଦୁଇଦିନ ହେଲାଣି ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ପୂର୍ବାନୁମାନ ହେଲା, ଆହୁରି ଦୁଇଦିନ ଏମିତି ଗରମ ଅନୁଭୂତ ହେବ । କେତେକ ଜାଗାରେ ତାପମାତ୍ରା ଆହୁରି ବଢ଼ିପାରେ । ତେବେ ୧୩ରୁ ୧୫ ତାରିଖ ଯାଏଁ ପୁଣି ରାଜ୍ୟର କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ଏହା ଫଳରେ ୧୪ରୁ ତାତି ପ୍ରକୋପ ଖସିବ ।
ରାଜ୍ୟରେ ପାଗ ଏବେ ଶୁଖିଲା ଓ ଆକାଶ ମେଘମୁକ୍ତ ରହିଛି । ତେଣୁ ପାରଦ ଡିଆଁ ମାରି ଉପରକୁ ଉଠିଯାଇଛି । ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ରହିଛି । ରାତିରେ ବି ଗରମ ବଢ଼ିଛି । ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୩.୧ ଡିଗ୍ରୀରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ଅଛି ।
ଆଜି ସବୁଠୁ ଅଧିକ ତାତି ଥିଲା ମାଲକାନଗିରିରେ । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଥିବାବେଳେ ଭବାନୀପାଟଣା ୩୭.୫, ବଲାଙ୍ଗିର ୩୭.୨ ଓ ସୋନପୁର ୩୭.୨ ଡିଗ୍ରୀ ଛୁଇଁଥିଲା । କଟକ ଓ ଭୁବନେଶ୍ୱର ତାପମାତ୍ରା ୩୬.୨ ଡିଗ୍ରୀ ଲେଖାଏଁ ଥିବାବେଳେ ଅନୁଗୁଳ, ସମ୍ବଲପୁର ତାପମାତ୍ରା ବି ୩୬ ଡିଗ୍ରୀ ଟପିଥିଲା । ଝାରସୁଗୁଡ଼ା, ସୁନ୍ଦରଗଡ଼, ହୀରାକୁଦ, ତାଳଚେର ତାପମାତ୍ରା ବି ୩୫ ଡିଗ୍ରୀ ପାର୍ କରିଥିଲା । ଏଥିରୁ ଅନୁମାନ କରାଯାଇପାରେ ସାରା ରାଜ୍ୟରେ ଗରମ ପ୍ରକୋପ କିଭଳି ଭାବେ ବଢ଼ିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ କହିବାନୁଯାୟୀ ମଙ୍ଗଳବାର ଓ ବୁଧବାର ବି ରାଜ୍ୟରେ ଏଭଳି ଗରମ ଲାଗି ରହିବ । ଯେଉଁଠି ତାପମାତ୍ରା ଅଧିକ ରହିଛି, ସେଠାରେ ତାପମାତ୍ରା ସାମାନ୍ୟ ବଢ଼ିପାରେ । ହେଲେ ଯେଉଁଠି ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିଲା, ସେଠାରେ ଆସନ୍ତା ଦୁଇଦିନରେ ତାପମାତ୍ରା ବେଶି ବଢ଼ିପାରେ ।
ତେବେ ବୁଧବାରଠାରୁ ଧୀରେ ଧୀରେ ପାଗ ବଦଳିବା ସମ୍ଭାବନା ଅଛି । ସମ୍ଭାବ୍ୟ ଟ୍ରଫଲାଇନ୍ ପ୍ରଭାବରେ ବୁଧବାର ଛତିଶଗଡ଼ ପାଶ୍ୱର୍ବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ହାଲ୍କା ବର୍ଷା ହୋଇପାରେ । ଗୁରୁବାର ଓ ଶୁକ୍ରବାର ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ । ଗୁରୁବାର ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ନୟାଗଡ଼, କନ୍ଧମାଳରେ ଘଡ଼ଘଡ଼ି ସହ ପବନ ହୋଇପାରେ । ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭବାନା ଅଛି । ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଅନୁଗୁଳରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ । ଏଭଳି ପାଗ ଯୋଗୁ ୧୪ରୁ ତାପମାତ୍ରା କମିବ ।