PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁଣି ସୁରବାବାଙ୍କ କେଳେଙ୍କାରୀ, ପୂଜା ବାହାନାରେ ମହିଳାଙ୍କୁ ଡାକି…

ଭୁବନେଶ୍ୱର,୧୬ ।୨(ବ୍ୟୁରୋ): ସୁର ବାବାଙ୍କ ପୁରୁଣା ରୋଗ ପୁଣି ଗଜୁରିଲାଣି । ଦୁଇ ବର୍ଷର୍ କାଳ ଜେଲ୍‌ରେ ରହିଲା ପରେ ବି ଭଲ ହେଲା ନାହିଁ । ବାଲିପାଟଣା ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଣି ଯୌନ କେଳେଙ୍କାରୀ ଆରମ୍ଭ ହୋଇଯାଇଛିି । ପୂଜା ବାହାନରେ ରାତି ଅଧରେ ଜଣେ ମହିଳାଙ୍କୁ ନିଜ କୋଠରୀକୁ ଡକାଇ ବାବା ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଛନ୍ତି । ଅଭିଯୋଗ ଥାନାରେ ପହଞ୍ଚିଛି ।
କେବଳ ସେତିକି ନୁହେଁ, ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ତାଙ୍କୁ ହତ୍ୟା କରାଯିବ ବୋଲି ବାବାଙ୍କ ଚେଲାମାନେ ମହିଳାଙ୍କୁ ଧମକ ଦେଇଛନ୍ତି । ଏହା ସତ୍ତେ୍ୱ ପୀଡ଼ିତା ଜଣକ ବାଲିପାଟଣା ଥାନାରେ ସୁରବାବାଙ୍କ କାରନାମା ସମ୍ପର୍କରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ରୁଜୁ କରି ମାମଲା ଦାୟର କରିଛି । କିନ୍ତୁ ୧୫ ଦିନ ହେଲା ହାତ ବାନ୍ଧି ବସିଛି ।
ଗଞ୍ଜାମର ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳ ଏହି ମହିଳା ଜଣକ ତାଙ୍କ ଏତଲାରେ ଦର୍ଶାଇଛନ୍ତି, ବାଲିପାଟଣା ତ୍ରାହିଅଚ୍ୟୁତ ନଗରର ବାସିନ୍ଦା ଦୀପ ସୁନ୍ଦର ସ୍ୱାଇଁଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ପଡ଼ିଥିଲା । ମହିଳାଙ୍କ ବାପାଙ୍କ ପରଲୋକ ହୋଇଯାଇଥିବା ବେଳେ ମା’ ଭିନ୍ନକ୍ଷମ । ତେଣୁ ସେ ଦୀପସୁନ୍ଦରଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ଦୀପସୁନ୍ଦରଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା । ଏହାପରେ ଦୀପସୁନ୍ଦର ଓ ତାଙ୍କର ମା’ ସଂପୃକ୍ତ ମହିଳାଙ୍କୁ ଗଞ୍ଜାମରୁ ଆଣି ତ୍ରାହିଅଚ୍ୟୁତ ନଗରରେ ଏକ ଘର ଭଡ଼ା ନେଇ ରହିଥିଲେ ।
ଗତ ମାସ ୨୪ ତାରିଖ ରାତି ୩ଟା ବେଳେ ଦୀପସୁନ୍ଦରଙ୍କ ମା’ ଜ୍ୟୋତ୍ସ୍ନା ସଂପୃକ୍ତ ମହିଳାଙ୍କୁ କହିଥିଲେ, ତ୍ରାହିଅଚ୍ୟୁତ ଆଶ୍ରମକୁ ଯିବା । ସେଠାରେ ପୂଜାର୍ଚ୍ଚନା ହେବ । ତାଙ୍କ କଥାରେ ମହିଳା ଜଣକ ଆଶ୍ରମକୁ ଯାଇଥିଲେ । ସେଠାରେ ଏକ ଅନ୍ଧାର କୋଠରି ଭିତରେ ସୁରବାବା ବସିଥିଲେ ।ଉକ୍ତ କୋଠରିକୁ ସଂପୃକ୍ତ ମହିଳାଙ୍କୁ ଠେଲି ଦେଇ ଦୀପସୁନ୍ଦରଙ୍କ ମା’ କବାଟ ଆଉଜାଇ ଦେଇଥିଲେ । ଘର ଭିତରେ ସୁରବାବା ମହିଳାଙ୍କ ସହିତ ଅସଦାଚରଣ କରିଥିଲେ । କୌଣସିମତେ ସେଠାରୁ ଖସିଆସି ମହିଳା ପାଟିକରି ନିଜ ସଂପର୍କୀୟ ଭାଇ ନାରାୟଣ ଗୌଡ଼ଙ୍କୁ ଖବର ଦେଇଥିଲେ । ନାରାୟଣ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନେଇଥିଲେ । ତା’ପରଦିନ ସମସ୍ତେ ମିଶି ଥାନାରେ କୌଣସି ଏତଲା ନ ଦେବାକୁ ମହିଳାଙ୍କୁ ଧମକାଇଥିଲେ । ତେଣୁ ବାଧ୍ୟ ହୋଇ ସେ ନିଜ ଘର ବେଲଗୁଣ୍ଠାକୁ ପଳାଇଥିଲେ ।
ଫେବ୍ରୁଆରୀ ୧ ତାରିଖରେ ବେଲଗୁଣ୍ଠାରେ ପହଞ୍ଚିଥିଲେ ଦୀପସୁନ୍ଦର ଓ ତାଙ୍କ ମା’ ଜ୍ୟୋତ୍ସ୍ନା । ସେଠାରେ ବୁଝାସୁଝା କରି ତାଙ୍କୁ ପୁଣି ତ୍ରାହିଅଚ୍ୟୁତ ନଗରକୁ ଆଣିଥିଲେ । ସେଠାରେ ତାଙ୍କୁ ଏକ କଣ୍ଟା ବାଡ଼ିରେ ନିସ୍ତୁକ ପିଟିଥିଲେ । ମୁଣ୍ଡବାଳକୁ ଟାଣି ଛାତ ଉପରେ ଏମୁଣ୍ଡ ସେମୁଣ୍ଡ ଘୋଷାଡ଼ିଥିଲେ । ଖବର ପାଇ ତାଙ୍କ ସମ୍ପର୍କୀୟ ଭାଇ ନାରାୟଣ ଗୌଡ଼ ସେଠାରେ ପହଞ୍ଚି ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ (୧୦୦)କୁ ଫୋନ୍‌ କରିଥିଲେ । ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନେଇଥିଲା । ସେ ଥାନାରେ ଏତଲା ଦେବାକୁ ଯାଇଥିଲେ । ହେଲେ ଦୀପସୁନ୍ଦର ଓ ତାଙ୍କ ପରିବାର ଲୋକ ଏତଲା ଦେଲେ ଜୀବନରେ ମାରି ଦେବୁ ବୋଲି ଧମକାଇଥିଲେ । ଏହାପରେ ପିସିଆର ପୁଲିସ ଓ ସମ୍ପର୍କୀୟ ଭାଇଙ୍କ ସହାୟତରେ ସେ ବାଲିପାଟଣା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଦୀପସୁନ୍ଦର କେବଳ ତାଙ୍କ ସହିତ ନୁହେଁ ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ମଧ୍ୟ ଏଭଳି ନିର୍ଯାତନା ଦେଇଥିବା ମହିଳା ଜଣକ ଜଣାଇଛନ୍ତି ।
ସ୍ମରଣଯୋଗ୍ୟ, ସାଢ଼େ ୩ ବର୍ଷ ତଳେ ୨୦୧୫ ଅଗଷ୍ଟ ମାସରେ ତ୍ରାହି ଅଚ୍ୟୁତ ଆଶ୍ରମର ଆଶ୍ରମାଧୀଶ ସୁର ବାବାଙ୍କ ଯୌନ କାରନାମା ଧରାପଡ଼ିଥିଲା । ପୂଜା ବାହାନାରେ ରାତି ଅଧରେ ମହିଳାଙ୍କୁ ଡକାଇ ବାବା ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଆଶ୍ରମରେ ଚଢ଼ଉ କରି କୋଟି କୋଟି ଟଙ୍କା ଜବତ କରିବା ସହ ସୁର ବାବା, ତାଙ୍କର ଦୁଇ ପୁଅ ଏବଂ ସହଯୋଗୀମାନଙ୍କୁ ଗିରଫ କରିଥିଲା । ବାବାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା ।
ଉତ୍ତ୍ୟକ୍ତ ଲୋକେ ଆଶ୍ରମରେ ପୋଡ଼ାଜଳା କରିଥିଲେ । ଉଜୁଡ଼ି ଯାଇଥିଲା ତ୍ରାହି ଅଚ୍ୟୁତ ଆଶ୍ରମ ।
୨୭ ମାସ ପରେ ସୁର ବାବା ଜାମିନ୍‌ ପାଇ ମୁକୁଳିଥିଲେ । ବାବାଙ୍କ ପୁଅମାନେ ବି ମୁକୁଳି ଯାଇଛନ୍ତି । ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ମାମଲାର ବିଚାର ସମ୍ପନ୍ନ ହୋଇ ନାହିଁ । ହେଲେ ଆଶ୍ରମରେ ପୂର୍ବ ଭଳି ପୂଜାର୍ଚ୍ଚନା କାରବାର ଆରମ୍ଭ ହୋଇ ଯାଇଛି ।
ତେବେ ମହିଳାଙ୍କ ଏତଲା ପଞ୍ଜୀକରଣ କରିବା ସତ୍ତେ୍ୱ ପୁଲିସ୍‌ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଏନେଇ ଡିସିପି ଅନୁପ ସାହୁ କହିଛନ୍ତି, ଅଭିଯୋଗ ପରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ବାଲିପାଟଣା ଥାନା ଆଇଆଇସି ଆକାଶ ରଣା କହିଛନ୍ତି, ସୁର ବାବାଙ୍କ ସମେତ ମୋଟ ୪ ଜଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ବେଆଇନ ଅଟକ ରଖିବା, ମାଡ଼ ମାରିବା ଏବଂ ଧମକ୍‌ ଦେବା ଦଫାରେ ମାମଲା ଦାୟର ହୋଇଛି । ସଂପୃକ୍ତ ମହିଳାଙ୍କ ଅଭିଯୋଗପରେ ମାମଲା ରୁଜୁ ହୋଇଥିବା ସେ ସ୍ୱୀକାର କରିଛନ୍ତି । ତଦନ୍ତକାରୀ ଅଧିକାରୀ ଅନୁସନ୍ଧାନ ଚଳାଇଛନ୍ତି, ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।