ନୂଆଦିଲ୍ଲୀ,୨୪/୦୧: ଦିନ କେଇଟା ପରେ ଆଗତ  ହେବ ୨୦୨୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟ୍‌ ।  ବିଭିନ୍ନ କ୍ଷେତ୍ର ପକ୍ଷରୁ ବଜେଟ୍‌କୁ ନେଇ ଭିନ୍ନ ଭିନ୍ନ ଆଶା  ରହିଛି । ତେବେ ଏଥର କୃଷି ବଜେଟ୍‌ରେ ବଡ଼ ଧରଣର  ବୃଦ୍ଧି କରାଯାଇପାରେ ବୋଲି ଅନୁମାନ ରହିଛି।

ସୂତ୍ର ଅନୁସାରେ, ଆସନ୍ତା ଆର୍ଥିକବର୍ଷ ପାଇଁ  ବଜେଟ୍‌ରେ କୃଷି କ୍ଷେତ୍ର ପାଇଁ ବ୍ୟୟବରାଦରେ ପ୍ରାୟ  ୧୫% ବୃଦ୍ଧି ହୋଇପାରେ । ଏଥର କୃଷି କ୍ଷେତ୍ରକୁ  ମିଳିପାରେ ପ୍ରାୟ ୨୦୦୦ କୋଟି ଡଲାର ବା ୧,୭୩,୦୦୦  କୋଟି ଟଙ୍କା । ଦୁଇଟି ପ୍ରମୁଖ ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି। ଯଦି ଏହା ହୁଏ ତେବେ ୬ ବର୍ଷରେ  କୃଷି ବଜେଟ୍‌ରେ ଏହା ହେବ ସର୍ବାଧିକ ବୃଦ୍ଧି । ଗ୍ରାମୀଣ  ଆୟ ବୃଦ୍ଧି ତଥା ଦରଦାମ ନିୟନ୍ତ୍ରଣ ଲାଗି ସରକାର  ଏଭଳି ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି ।  ଅତିରିକ୍ତ ପାଣ୍ଠି ମାଧ୍ୟମରେ ଉଚ୍ଚ ଅମଳକ୍ଷମ ବିହନ ବିକାଶ,  ଭଣ୍ଡାର କ୍ଷମତା ବୃଦ୍ଧି, ମଜଭୁତ ଯୋଗାଣ ଭିତ୍ତିଭୂମି ଏବଂ  ଡାଲିଜାତୀୟ ଶସ୍ୟ, ତୈଳବୀଜ, ପନିପରିବା ଓ ଦୁଗ୍ଧଜାତ  ଉତ୍ପାଦଗୁଡ଼ିକର ଉତ୍ପାଦନ ବୃଦ୍ଧି ଲାଗି କାର୍ଯ୍ୟ କରାଯିବ।