ନୂଆଦିଲ୍ଲୀ, ୮।୭: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡାଟା ସେଣ୍ଟର ଶିଳ୍ପରେ ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ଅନ୍ୟାନ୍ୟ ଶିଳ୍ପ ସହ ଜଡ଼ିତ ଇଞ୍ଜିନିୟରିଂ ପେସାଦାରଙ୍କ ଚାହିଦା ଦ୍ରୁତ ବେଗରେ ବଢୁଛି । ଏମାନଙ୍କ ପାଇଁ ଶିଳ୍ପରେ ସୃଷ୍ଟି ହୋଇଛି ପର୍ଯ୍ୟାପ୍ତ ସମ୍ଭାବନା । ଏକଦା ଏ କ୍ଷେତ୍ରରେ ସଫ୍ଟୱେର୍‌ ପେସାଦାରଙ୍କ ଦବ୍‌ଦବା ଥିଲା । କିନ୍ତୁ ବର୍ତ୍ତମାନ ଏଭଳି ଇଞ୍ଜିନିୟରମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଡାଟା ସେଣ୍ଟରରେ ଲୋଡ଼ାଯାଉଛି, ଯେଉଁମାନେ କୋଡ୍‌ ଲେଖିବା ଦରକାର ନାହିଁ । କମ୍ପାନିଗୁଡ଼ିକ ଏଆଇ ଭିତ୍ତିଭୂମିରେ ପ୍ରଚୁର ମାତ୍ରାରେ ନିବେଶ କରୁଥିବାବେଳେ ପାୱାର୍‌ ସିଷ୍ଟମ, କୁଲିଂ ଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂରେ ଅଭିଜ୍ଞତା ଥିବା ପେସାଦାରଙ୍କୁ ଲୋଡୁଛନ୍ତି । ମୋଟା ଦରମାରେ ସେମାନଙ୍କୁ ଦିଆଯାଉଛି ନିଯୁକ୍ତି । ସମଗ୍ର ଏଆଇ ଭିତ୍ତିଭୂମି ଇକୋସିଷ୍ଟମ୍‌ରେ ନିଯୁକ୍ତି ପ୍ରଦାନ କରାଯାଉଛି । ଇକ୍ୱିନିକ୍ସ, ଏସ୍‌ଟିଟି ଜିଡିସି ଇଣ୍ଡିଆ, ୟୋଟ୍ଟା, କଣ୍ଟ୍ରୋଲ୍‌ଏସ୍‌ ଓ ଏନ୍‌ଟିଟି ଭଳି କୋ-ଲୋକେସନ ଅପରେଟର ଏବଂ ଏଡବ୍ଲ୍ୟୁଏସ୍‌, ଗୁଗୁଲ୍‌ ଓ ମାଇକ୍ରୋସଫ୍ଟ ଭଳି ହାଇପରସ୍କେଲରଙ୍କଠାରୁ ନିଯୁକ୍ତିଦାତାମାନେ ଚାହିଦା ଦେଖୁଛନ୍ତି । ଏଲ୍‌ ଆଣ୍ଡ୍‌ ଟି, ଟାଟା ପ୍ରୋଜେକ୍ଟ୍‌ସ, ସିନେଇଡର ଇଲେକ୍ଟ୍ରିକ୍‌, ଭର୍ଟିଭ, ସିମେନ୍ସ, ହନିୱେଲ ଏବଂ ଜନ୍‌ସନ କଣ୍ଟ୍ରୋଲ୍ସ ଭଳି ଇଞ୍ଜିନିୟରିଂ ଏବଂ ଭିତ୍ତିଭୂମି ନିର୍ମାଣ କମ୍ପାନିଗୁଡ଼ିକ ସେମାନଙ୍କ ଟିମ୍‌କୁ ସମ୍ପ୍ରସାରଣ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଆଇ ବିପ୍ଳବ କେବଳ ସଫ୍ଟୱେର ଏବଂ ଆଲ୍‌ଗୋରିଦମ୍‌ ଦ୍ୱାରା ଚାଳିତ ହେଉନାହିଁ ବରଂ ବୃହତ୍‌ ଧରଣ କମ୍ପ୍ୟୁଟିଂ ଅପରେଶନ ଚଳାଇବା କ୍ଷେତ୍ରରେ ଆବଶ୍ୟକ ଭୌତିକ ଭିତ୍ତିଭୂମି ଦ୍ୱାରା ମଧ୍ୟ ଏହାକୁ ଶକ୍ତି ମିଳୁଛି । ସବ୍‌ଷ୍ଟେସନ୍‌, କୁଲିଂ ପ୍ଲାଣ୍ଟ ଏବଂ ପାୱାର୍‌ ନେଟ୍‌ୱର୍କ ଭଳି ବୃହତ୍‌ କମ୍ପ୍ୟୁଟିଂ ଅପରେଶନ ଦ୍ୱାରା ଏଆଇକୁ ଶକ୍ତି ମିଳୁଛି ।

ଫଳରେ ଏହି କ୍ଷେତ୍ର ସହ ଜଡ଼ିତ ଇଞ୍ଜିନିୟରିଂ ପେସାଦାରଙ୍କ ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହେଉଛି । ଭାରତର ଡାଟା ସେଣ୍ଟର କ୍ଷେତ୍ରର ଦ୍ରୁତ ସମ୍ପ୍ରସାରଣ ମଧ୍ୟରେ ଏହି ପ୍ରଫେସନାଲମାନଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଆଭେନ୍‌ଡସ୍‌ କ୍ୟାପିଟାଲ ଅନୁସାରେ, ୨୦୩୦ ସୁଦ୍ଧା ଭାରତର କାର୍ଯ୍ୟକ୍ଷମ ଡାଟା ସେଣ୍ଟର କ୍ଷମତା ୨୦୨୫ର ୧.୬ ଗିଗାୱାଟରୁ ୫ ଗିଗାୱାଟ୍‌କୁ ବୃଦ୍ଧି ପାଇବ । ୩ ଗିଗାୱାଟ୍‌ରୁ ଅଧିକ ଅତିରିକ୍ତ କ୍ଷମତାର ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିପାଇଁ ଲୋଡ଼ା ପାଖାପାଖି ୨୫ ବିଲିୟନ ଡଲାର ନିବେଶ । ଏଥିସହିତ ବୃହତ୍‌ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରାଯିବ । ଏକ ରିପୋର୍ଟ ଅନୁସାରେ, ଏଆଇ ଡାଟା ସେଣ୍ଟରଗୁଡ଼ିକ ପାଇଁ ଅନେକ ସ୍ୱତନ୍ତ୍ର ପଦବୀ ସୃଷ୍ଟି ହୋଇଛି । ଏଗୁଡ଼ିକ ହେଲା ଏଆଇ ଭିତ୍ତିଭୂମି ଆର୍କିଟେକ୍ଟ୍‌ସ, ଲିକ୍ୱିଡ୍‌ କୁଲିଂ ବିଶେଷଜ୍ଞ, ପାୱାର ପ୍ରୋକ୍ୟୁର୍‌ମେଣ୍ଟ ମୁଖ୍ୟ ଏବଂ ଗ୍ରୀଡ୍‌ ରେସିଲେନ୍ସ ମ୍ୟାନେଜର ଇତ୍ୟାଦି । ଏସବୁ ପଦବୀରେ ବେତନ ମୋଟା ରହିଛି । ଏଆଇ ଭିତ୍ତିଭୂମି ଆର୍କିଟେକ୍ଟଙ୍କ ବାର୍ଷିକ ଦରମା ୧ କୋଟିରୁ ଦେଢ଼ କୋଟି ଟଙ୍କା ମଧ୍ୟରେ ରହିଛି । ଗ୍ରୀନ୍‌ଫିଲ୍ଡ ସାଇଟ୍‌ ମୁଖ୍ୟମାନଙ୍କ ଦରମା ୧.୮ କୋଟି ଟଙ୍କା ପର୍ଯ୍ୟନ୍ତ ଅଛି । ସେହିଭଳି ସମ୍ବେଦନଶୀଳ ୟୁନିଟ୍‌ ମୁଖ୍ୟ ଏବଂ ସ୍ପେସିଆଲିଷ୍ଟ କୁଲିଂ ଟିମ୍‌ରେ ଥିବା ପେସାଦାରଙ୍କ ବାର୍ଷିକ ପ୍ୟାକେଜ୍‌ ୫୦ ଲକ୍ଷରୁ ଆରମ୍ଭ ହୋଇ ୧ କୋଟି ଟଙ୍କାରୁ ଅଧିକ ରହିଛି ।

ଏହା ବି ପଢ଼ନ୍ତୁ... ଏଲପିଜିକୁ ନେଇ ଯୋଜନା ପ୍ରସ୍ତୁତ କରୁଛି ଭାରତ; ଗଲ୍ଫ ବଦଳରେ ଆମେରିକାରୁ କିଣିବ ଗ୍ୟାସ, ୫ ଟି ପଏଣ୍ଟରେ ବୁଝନ୍ତୁ ପୂରା ଘଟଣା

୭ରୁ ୧୨ ବର୍ଷର ଅଭିଜ୍ଞତା ଥିବା ମିଡ୍‌କ୍ୟାରିୟର ଇଞ୍ଜିନିୟରମାନଙ୍କୁ ବାର୍ଷିକ ୧୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଉଛି । କୁଲିଂ ଏବଂ କ୍ରିଟିକାଲ ୟୁନିଟ୍‌ରେ କାର୍ଯ୍ୟ କରୁଥିବା ଏଣ୍ଟ୍ରି-ଲେବଲ ଇଞ୍ଜିନିୟରଙ୍କ ପ୍ରାରମ୍ଭିକ ବାର୍ଷିକ ପ୍ୟାକେଜ୍‌ ୫ରୁ ୮ ଲକ୍ଷ ଟଙ୍କା ରହିଛି । ଶିଳ୍ପ ଅଧିକାରୀମାନଙ୍କ ସୂଚନା ମୁତାବକ, କୁଲିଂ ଏବଂ ଥର୍ମାଲ ମ୍ୟାନେଜ୍‌ମେଣ୍ଟରେ ନିଯୁକ୍ତି କାର୍ଯ୍ୟକଳାପ ଅଧିକ ରହିଛି । ଏହା ଏଆଇଚାଳିତ ଡାଟା ସେଣ୍ଟରଗୁଡ଼ିକ ପାଇଁ ଏକ ପ୍ରମୁଖ କ୍ଷେତ୍ର । କମ୍ପାନିଗୁଡ଼ିକ ବୃହତ୍‌ ସଂଖ୍ୟାରେ ଡାଟା-ସେଣ୍ଟର କୁଲିଂ ଇଞ୍ଜିନିୟର, କ୍ରିଟିକାଲ ଫ୍ୟାସିଲିଟି ଇଞ୍ଜିନିୟର, କମିସନିଂ ଇଞ୍ଜିନିୟର ଏବଂ ଲିକ୍ୱିଡ୍‌ କୁଲିଂ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଉଛନ୍ତି ।