ଯଦି ବୁଢ଼ା ହେବା ଆମ ନିଜ ଇଚ୍ଛା ଉପରେ ନିର୍ଭର କରେ, ତେବେ କେମିତି ହେବ ? ଶୁଣିବାକୁ ଏହା କୌଣସି ସାଇନ୍ସ ଫିକ୍ସନ୍ ଫିଲ୍ମ ଭଳି ଲାଗୁଛି ନା ! କିନ୍ତୁ ବିଶ୍ୱର ଜଣେ ଜଣାଶୁଣା ଭବିଷ୍ୟବକ୍ତା ତଥା ଗୁଗଲର ପୂର୍ବତନ ଇଞ୍ଜିନିୟର ‘ରେ କର୍ଜୱିଲ୍’ ଏମିତି ଏକ ଦାବି କରିଛନ୍ତି, ଯାହା ସାରା ଦୁନିଆକୁ ଚକିତ କରିଦେଇଛି । ତାଙ୍କ ମତରେ, ଆସନ୍ତା ୨୦୩୨ ମସିହା ସୁଦ୍ଧା AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆମକୁ ଏମିତି ଏକ ସ୍ତରରେ ପହଞ୍ଚାଇ ଦେବ, ଯାହାକୁ କୁହାଯାଉଛି 'ଲଙ୍ଗଜିଭିଟି ଏସ୍କେପ୍ ଭେଲୋସିଟି' । କ’ଣ ଏହି ' ଲଙ୍ଗଜିଭିଟି ଏସ୍କେପ୍ ଭେଲୋସିଟି' ? ଏହି ଜଟିଳ ନାଁକୁ ଛାଡ଼ନ୍ତୁ, ସହଜ ଭାଷାରେ ବୁଝନ୍ତୁ । "ଧରିନିଅନ୍ତୁ ଆପଣଙ୍କ ବୟସ ଯେତିକି ବଢ଼ୁଛି, ମେଡିକାଲ୍ ସାଇନ୍ସ ଆପଣଙ୍କୁ ତା’ ଠାରୁ ଅଧିକ ବର୍ଷର ଏକ ସୁସ୍ଥ ଜୀବନ ଉପହାର ସ୍ୱରୂପ ଫେରାଇ ଦେବ । ଅର୍ଥାତ୍, ଆପଣଙ୍କ ଶରୀର ବୃଦ୍ଧାବସ୍ଥା ଆଡ଼କୁ ଯିବା ବଦଳରେ, ବିଜ୍ଞାନ ବଳରେ ମୃତ୍ୟୁକୁ ଆହୁରି ଆଗକୁ ଠେଲି ଦେବ ।"
‘ରେ କର୍ଜୱିଲ୍’ ପୂର୍ବରୁ ଇଣ୍ଟରନେଟ୍ ଏବଂ AI କ୍ରାନ୍ତିକୁ ନେଇ ଅନେକ ସଠିକ୍ ଭବିଷ୍ୟବାଣୀ କରିସାରିଛନ୍ତି । ସେ ଜଣେ ପ୍ରସିଦ୍ଧ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ, ଉଦ୍ଭାବକ ଏବଂ ଗୁଗଲର ପୂର୍ବତନ ଡାଇରେକ୍ଟର ଅଫ୍ ଇଞ୍ଜିନିୟରିଂ । ଗୁଗଲ୍ ର AI ଚିଫ୍ ଏବଂ ନୋବେଲ ବିଜେତା ବୈଜ୍ଞାନିକ ଡେମିସ୍ ହସାବିସ୍ ମଧ୍ୟ କହିଛନ୍ତି ଯେ, AI ଆଗକୁ ଯାଇ ସବୁ ବଡ଼ ରୋଗକୁ ମୂଳରୁ ଶେଷ କରିବାରେ ସାହାଯ୍ୟ କରିବ । ଲଙ୍ଗଜିଭିଟି ଏସ୍କେପ୍ ଭେଲୋସିଟି ଏମିତି ଏକ ସିଦ୍ଧାନ୍ତ, ଯେଉଁଠି ଚିକିତ୍ସା ବିଜ୍ଞାନ ଏତେ ଦ୍ରୁତ ଗତିରେ ଆଗେଇବ ଯେ ମଣିଷ ଯେତିକି ଶୀଘ୍ର ବୁଢ଼ା ହେବ, ତା’ ଠାରୁ ଅଧିକ ବେଗରେ ତାର ଆୟୁଷ ଓ ସୁସ୍ଥ ସ୍ୱାସ୍ଥ୍ୟ ବଢ଼ାଯାଇପାରିବ । ‘ରେ କର୍ଜୱିଲ୍’ ୨୦୩୨କୁ ନେଇ ମଧ୍ୟ ଏକ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୨୦୩୨ ସୁଦ୍ଧା AI ମେଡିକାଲ୍ ରିସର୍ଚ୍ଚକୁ ଏତେ ଫାଷ୍ଟ କରିଦେବ ଯେ ମଣିଷ ବୁଢ଼ା ହେବା ପ୍ରକ୍ରିୟାକୁ ବହୁତ ପରିମାଣରେ ଧିମା କରିଦେବ ।
ଏହା ବି ପଢ଼ନ୍ତୁ... World Bank Pakistan funding: କାଙ୍ଗାଳ ପାକିସ୍ତାନକୁ ବିଶ୍ୱବ୍ୟାଙ୍କର ସାହାରା; ମଞ୍ଜୁର ହେଲା ୩୭୫.୯ ମିଲିୟନ ଡଲାରର ପାଣ୍ଠି
ତେବେ ଏଠି ପ୍ରଶ୍ନ ଉଠୁଛି AI କ’ଣ ସତରେ ବୁଢ଼ାପଣ ରୋକିପାରିବ ? ତେବେ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । କିନ୍ତୁ AI ନୂଆ ଔଷଧ ସନ୍ଧାନ ଓ ସ୍ୱାସ୍ଥ୍ୟ ସେବାକୁ ଅଧିକ ସହଜ କରୁଛି । କର୍କଟ ଭଳି ରୋଗ ଚିହ୍ନଟ କରିବା, ଜିନ୍ ରିସର୍ଚ୍ଚ ଏବଂ ବ୍ୟକ୍ତିଗତ ଚିକିତ୍ସା ପାଇଁ AI ବ୍ୟବହାର ହେଉଛି । ଗୁଗଲ୍ ଡିପ୍ ମାଇଣ୍ଡର ସିଇଓ ଡେମିସ୍ ହସାବିସ୍ ଙ୍କ ଭଳି ଅନେକ ବୈଜ୍ଞାନିକ ମାନନ୍ତି ଯେ AI ଭବିଷ୍ୟତରେ ମେଡିକାଲ୍ ସାଇନ୍ସରେ ବିପ୍ଳବ ଆଣିବ । ଚିକିତ୍ସା କ୍ଷେତ୍ରରେ AIର ବ୍ୟବହାର ଦ୍ୱାରା ନୂଆ ଔଷଧ ତିଆରି କରିବା ସମୟ କମିଯିବ ଏବଂ ଦୁର୍ଲଭ ରୋଗର ଚିକିତ୍ସା ଶୀଘ୍ର ମିଳିପାରିବ । ଏବେ ସବୁଠାରୁ ବଡ଼ ପ୍ରଶ୍ନ । ମଣିଷ କ’ଣ ସବୁଦିନ ପାଇଁ ଅମର ହୋଇପାରିବ ? ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । AI ଆୟୁଷ ବଢ଼ାଇ ପାରେ, କିନ୍ତୁ 'ଅମରତ୍ୱ' ଏବେ ବି ବିଜ୍ଞାନ ପାଇଁ ଏକ ସ୍ୱପ୍ନ ।