ଆଗରପଡ଼ା ୦୯/୦୭: ଅନ୍‌ଲାଇନରେ ପାଠ ପଢ଼ିବା ପାଇଁ  ପୁଅକୁ ବାପା ଦେଇଥିଲେ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ । ମାତ୍ର ପାଠ ପଢୁପଢୁ ପୁଅ ପଡ଼ିଗଲା ଅନ୍‌ଲାଇନ ଗେମ ନିଶାରେ । ପୁଅ ପାଇଁ ମାରାତ୍ମକ ହୋଇଯାଇଥିଲା ନିଶିଦ୍ଧ ବ୍ଲୁ-ହ୍ୱେଲ ଗେମ୍‌ । ବାରମ୍ବାର ଏହି ଗେମ ଖେଳି  ପୁଅ ଆତ୍ମହତ୍ୟା କରିବାକୁ ଉଦ୍ୟମ  କରିଥିଲା । ସୌଭାଗ୍ୟବଶତଃ ସେ  ବଞ୍ଚିଯାଇଛି ସତ ହେଲେ ଅକର୍ମଣ୍ୟ ପାଲଟିଯାଇଛି । ସେ ସ୍ମୃତିଶକ୍ତି ହରାଇ ବସିଛି । ଏହିପରି ଏକ ଅଘଟଣ ଘଟିଛି  ଭଦ୍ରକ ଜିଲ୍ଲା ଆଗରପଡ଼ା ନିକଟ ଆଡ଼ିଆ  ପଞ୍ଚାୟତ ଓଲଡାଙ୍ଗ ଗ୍ରାମରେ ।  

ବାପା ବେଙ୍ଗାଲୁରୁରେ ଚାକିରି  କରିଥିବାରୁ ପୁଅ ଅଂଶୁମାନ (୧୧)  ସେଠାରେ ଏକ ସ୍କୁଲରେ ପଢ଼ୁଥିଲା । ସେ   ଜଣେ ମେଧାବୀ ଛାତ୍ର ଥିଲା । ଗେମର  ଟାସ୍କ୍‌ ପୂରଣ କରିବାକୁ ଯାଇ ଅଂଶୁମାନ  ୨୦୨୨ ଫେବ୍ରୁଆରୀରେ ନିଜ ବାପାଙ୍କ  ବେଲ୍ଟରେ ଫାଶି ଲଗାଇ ଝୁଲି ପଡିଥିଲା ।  ତାକୁ ଉଦ୍ଧାର କରାଯାଇ ଦୀର୍ଘ ୩ ମାସ  ଆଇସିୟୁରେ ରଖାଯାଇଥିଲା । ହେଲେ  ସେ କେବଳ ବାପା, ମା’ ଛଡ଼ା ଆଉ କିଛି  କହିପାରୁ ନାହିଁ । ପୁଅର ଚିକିତ୍ସା ପାଇଁ  ବାପା ମା’ ସର୍ବସ୍ୱାନ୍ତ ହୋଇସାରିଛନ୍ତି ।  ଏବେ ଭଦ୍ରକରେ ଏକ ଭଡା ଘରେ  ରହି ପୁଅର ଚିକିତ୍ସା କରାଉଛନ୍ତି । ମାତ୍ର  ଏଥିପାଇଁ ଅର୍ଥର ବହୁ ଆବଶ୍ୟକ ଥିବାରୁ  ପରିବାର ବହୁ କଷ୍ଟରେ ଅଛନ୍ତି । ଶିଶୁକୁ  ନୂଆ ଜୀବନ ଦେବା ପାଇଁ ସହୃଦୟ  ବ୍ୟକ୍ତି ସହଯୋଗ କରିବାକୁ ପରିବାର  ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  Ama Bus Accident: ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’, ଗୁରୁତର ଆରୋହୀ ମେଡିକାଲ୍‌ରେ ଭର୍ତ୍ତି, ଡ୍ରାଇଭର ଫେରାର୍‌