ନୂଆଦିଲ୍ଲୀ, ୧୦।୭: ଚରମ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି । ଦେଶର ଭୁଶୁଡ଼ି ପଡୁଥିବା ଅର୍ଥନୀତିକୁ ସାମାନ୍ୟ ସୁଧାରିବା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୩୭୫.୯ ମିଲିୟନ ଆମେରିକୀୟ ଡଲାରର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ପାକିସ୍ତାନରେ ମୁଦ୍ରାସ୍ଫୀତି ଓ ମହଙ୍ଗା ମାଡ଼ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ସେଠାରେ ଲୋକମାନେ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମଧ୍ୟ ଋଣ ନେବାକୁ ବାଧ୍ୟ ହେଉଛନ୍ତି । ଏଭଳି ସମୟରେ ବିଶ୍ୱବ୍ୟାଙ୍କର ଏହି ପାଣ୍ଠି ପାକିସ୍ତାନକୁ କିଛି ମାତ୍ରାରେ ସାହାରା ଦେବ ବୋଲି ଆଶା କରାଯାଉଛି । ବିଶ୍ୱବ୍ୟାଙ୍କର ଏକଜିକ୍ୟୁଟିଭ୍ ଡାଇରେକ୍ଟର୍ସ ବୋର୍ଡ ପାକିସ୍ତାନର ବିଭିନ୍ନ ବିକାଶମୂଳକ ଏବଂ ଅର୍ଥନୈତିକ ସ୍ଥିରତା ସମ୍ପର୍କିତ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିକୁ ଅନୁମୋଦନ କରିଛନ୍ତି । ପାକିସ୍ତାନର ଜରୁରୀ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ ।

ଏହା ବି ପଢ଼ନ୍ତୁ... ​​​​​​​Iran plot to kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରି ସାରିଛି ଇରାନ୍, ଇସ୍ରାଏଲ ଗୁଇନ୍ଦା ରିପୋର୍ଟରେ ଦାବି

କାହିଁକି ମିଳିଲା ଏହି ସହାୟତା ?

ପାକିସ୍ତାନର ବିପର୍ଯ୍ୟସ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି, ଯାହାଦ୍ୱାରା  ଦେଶରେ ଚାଲିଥିବା ଆର୍ଥିକ ସୁଧାର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ମିଳିବ । ସାଧାରଣ ଜନତାଙ୍କ ପାଖରେ ଜନକଲ୍ୟାଣକାରୀ ସେବା ସଠିକ୍ ଭାବେ ପହଞ୍ଚିପାରିବ । ଆର୍ଥିକ ବ୍ୟବସ୍ଥା ମଜଭୁତ ହେବା ସହ ବିଭିନ୍ନ ବିକାଶମୂଳକ ଯୋଜନାରେ ଏହି ପାଣ୍ଠି ବିନିଯୋଗ କରାଯାଇପାରିବ । ବିଶ୍ୱବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ଏହି ଫଣ୍ଡିଂ ସମ୍ପୂର୍ଣ୍ଣ ରୂପେ ଫଳାଫଳ ଉପରେ ଆଧାରିତ ହେବ । ଅର୍ଥାତ୍‌, ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହେବା ପରେ ହିଁ ପର୍ଯ୍ୟାୟକ୍ରମେ ଟଙ୍କା ଜାରି କରାଯିବ, ଯେପରି କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରହିବ । ଏହି ସହାୟତା ପାକିସ୍ତାନକୁ ନିହାତି ଆବଶ୍ୟକତା ଥିଲା । ଏହାଦ୍ୱାରା ଦେଶରେ ଅର୍ଥନୈତିକ ସ୍ଥିରତା ଆଣିବା, ବିକାଶମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇବା ଏବଂ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ ମିଳିବ । ପାକିସ୍ତାନ ପୂର୍ବରୁ ମଧ୍ୟ ବିଶ୍ୱବ୍ୟାଙ୍କର ସଦସ୍ୟ ଦେଶ ଭାବେ ଅନେକ ପ୍ରକଳ୍ପର ଲାଭ ଉଠାଇଛି । କହିରଖୁ କି, ଫଣ୍ଡ୍‌ ପାଇବା ପାଇଁ ପାକିସ୍ତାନ ସରକାରଙ୍କୁ ସମସ୍ତ ସମ୍ପୃକ୍ତ ପ୍ରକଳ୍ପର ଦସ୍ତାବିଜ୍ ଦାଖଲ କରିବାକୁ ହେବ । ବିଶ୍ୱବ୍ୟାଙ୍କ ଏହି ପାଣ୍ଠିର ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖିବ । ଦକ୍ଷିଣ ଏସିଆରେ ଆର୍ଥିକ ସହଯୋଗ ଓ ସ୍ଥିରତା ପାଇଁ ଏଭଳି ଆନ୍ତର୍ଜାତୀୟ ସହାୟତା ଜରୁରୀ ବୋଲି କୁହାଯାଉଛି ।