ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍ସ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବ ଚିକିତ୍ସା । ଦୁର୍ଘଟଣା, ହୃଦ୍ ଓ କିଡ୍ନୀ ଭଳି ବ୍ୟୟବହୁଳ ଚିକିତ୍ସାର ମାଗଣା ଚିକିତ୍ସା କରାଯିବ । ରାଜ୍ୟ ସରକାର ଆଜି ଏମ୍ସ କର୍ତ୍ତୃପକ୍ଷଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛନ୍ତି । ସଚିବାଳୟରେ ଏମ୍ଓୟୁ ସ୍ୱାକ୍ଷର ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦାଙ୍କ ସମେତ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ବାତ୍ମାନବାନେ ଉପସ୍ଥିତ ଥିଲେ ।
ଏବେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ମିଳୁଛି । ସରକାର ୧୯୬ଟି ଘରୋଇ ହସ୍ପିଟାଲ ସହ ମଧ୍ୟ ପୂର୍ବରୁ ଏମ୍ଓୟୁ କରି ସାରିଛନ୍ତି । ଏମିତିକି ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ଟାଟା ମେମୋରିଆଲ ଭଳି ହସ୍ପିଟାଲ ସହ ଏମ୍ଓୟୁ ହୋଇଛି । ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଚିକିତ୍ସା ଲାଗି ସୁରତର ବହୁ ହସ୍ପିଟାଲ ସହ ବୁଝମଣା ହୋଇଛି ।
ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଓଏସ୍ଟିଏଫ୍ରେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଅଲଗା ଅଲଗା ଦର ଦିଆଯାଉଛି । ଖୁବ୍ଶୀଘ୍ର ଏ ନେଇ ନୂଆ ପଲିସି ଆସିବ । କୌଣସି ପରିସ୍ଥିତିରେ ମଧ୍ୟ କେହି ଯେମିତି ଘରୋଇ ଗରିବ ରୋଗୀ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଦୃଷ୍ଟିଦେବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ଏଣିକି ପଞ୍ଜିକୃତ ଘରୋଇ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନେ ଯୋଗାଉଥିବା ଚିକିତ୍ସା ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ପ୍ରତି ମାସରେ କେତେ ଜଣ? କେଉଁ ଅଞ୍ଚଳର? କେଉଁ ରୋଗର ଚିକିତ୍ସା କଲେ? ରୋଗୀ ସିଧାସଳଖ ଆସିଛନ୍ତି ନା ରେଫର୍ ହୋଇ? ଏ ସବୁର ତଥ୍ୟ ସରକାରକୁ ପ୍ରଦାନ କରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ପାଇବାକୁ ଥିବା ହସ୍ପିଟାଲକୁ ତୁରନ୍ତ ସେମାନଙ୍କ ବକେୟା ବିଲ୍ ପୈଠ କରିବାକୁ ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାସ ଏହି ଅବସରରେ କ୍ୟାନସର ଚିକିତ୍ସା ନେଇ ସରକାର କରିଥିବା ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି । ବୈଠକରେ ଓଡ଼ିଶା କ୍ୟାନ୍ସର କେୟାର ଫାଉଣ୍ଡେସନ୍ ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଫାଉଣ୍ଡେସନ୍ର ପ୍ରଥମ ବୈଠକ ଆସନ୍ତା ମାସ ୧୫ ତାରିଖରେ ବସିବ । ବାରଙ୍ଗରେ ହେବାକୁ ଥିବା ଆପେକ୍ସ କର୍କଟ ଗବେଷଣା କେନ୍ଦ୍ରର ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏବେ ରୋଗୀଙ୍କ ସଂଖ୍ୟା ବହୁତ ବଢ଼ିଛି । ଏହାକୁ ହ୍ରାସ କରିବାକୁ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ସଂପ୍ରସାରଣ କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲା ହସ୍ପିଟାଲରେ ଚାଲୁଥିବା କେମୋ ଥେରାପି କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଏହି ଅବସରରେ ଭବାନୀପାଟଣାରେ ବେଦାନ୍ତ ସହାୟତାରେ ହେବାକୁ ଥିବା ପିପିପି ହସ୍ପିଟାଲ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।
ସଚିବାଳୟଠାରେ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦାଙ୍କ ସମେତ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡାକ୍ତର ବ୍ରଜକିଶୋର ବ୍ରହ୍ମା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ହରପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଚିବ ୟାମିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।