ସାହାଯ୍ୟ ମାଗିଲେ ବୋଲି କ୍ୟାନସର ପୀଡ଼ିତ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଲେ.. ଏୟାର ଲାଇନ୍ସ ନାମରେ ଡିଜିସିଏ ନିକଟରେ ଅଭିଯୋଗ କଲେ ମିନାକ୍ଷୀ

ନୂଆଦିଲ୍ଲୀ,୦୬/୦୨: ନୂଆଦିଲ୍ଲୀରୁ ଆମେରିକା ଯାଉଥିବା ଆମେରିକୀୟ ଏୟାର ଲାଇନ୍ସର ଏକ ବିମାନରୁ ଜଣେ କ୍ୟାନସର ପୀଡିତ ମହିଳା ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ଘଟଣା ସାମ୍ନାକୁ ଆସିଛି । ପୀଡିତା ଯାତ୍ରୀଙ୍କର ଦୋଷ ଏତିକି ଥିଲା କି ସେ ନିଜ ବ୍ୟାଗକୁ ଓଭରହେଡ କ୍ୟାବିନରେ ରଖିବାକୁ ଜଣେ ଏୟାର ହୋଷ୍ଟେସଙ୍କୁ ସହାୟତା ମାଗିଥିଲେ । ପୀଡିତା ଯାତ୍ରୀ ଜଣକ ଦିଲ୍ଲୀ ପୁଲିସ ଓ ଡିଜିସିଏ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଗତ ଜାନୁଆରୀ ୩୦ରେ ଘଟିଥିଲା । ପୀଡିତା ମିନାକ୍ଷୀ ସେନଗୁପ୍ତା କହିଛନ୍ତି ଯେ ସେ ଜଣେ କ୍ୟାନସର ରୋଗୀ ଏବଂ ନିକଟରେ ତାଙ୍କର ସର୍ଜରୀ ହୋଇଛି ।
ରୁଟିନ ଚେକଅପ୍ ଲାଗି ସେ ନ୍ୟୁୟର୍କ ଯାଉଥିଲେ । ଦିଲ୍ଳୀ ବିମାନବନ୍ଦରରେ ଗ୍ରାଉଣ୍ଡ ଷ୍ଟାଫମାନେ ତାଙ୍କୁ ହୁଇଲ ଚେୟାର ସହାୟତାରେ ବିମାନକୁ ଚଢ଼ାଇଥିଲେ । ସର୍ଜରୀ ପରେ ତାଙ୍କ ଶରୀରର ବହୁତ ଦୁର୍ବଳ ହୋଇଯାଇଛି । ସେ ଅଧିକ ଓଜନ ଉଠାଇ ପାରୁନାହାନ୍ତି । ସେଥିଲାଗି ବ୍ୟାଗକୁ ଓଭରହେଡ କ୍ୟାବିନରେ ରଖିବା ଲାଗି ସେ ଜଣେ କ୍ରୁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ବ୍ୟାଗର ଓଜନ ପ୍ରାୟ ୨.୫ କି.ଗ୍ରା ଥିଲା । କିନ୍ତୁ କ୍ରୁ ସଦସ୍ୟ ଜଣକ ତାଙ୍କୁ ସହଯୋଗ କରିବାକୁ ମନା କରିତିଲେ । କହିଥିଲେ ଆପଣ ଯଦି ନିଜକୁ ଅସହଜ ମନେକରୁଛନ୍ତି ତେବେ ବିମାନରୁ ଓହ୍ଲାଇ ପଡନ୍ତୁ । ଅନ୍ୟ କ୍ରୁ ସଦସ୍ୟମାନେ ତାଙ୍କ କଥାକୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ବିମାନରୁ ଓହ୍ଲାଇ ଦେଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଡିଜିସିଏ ଆମେରିକା ଏୟାର ଲାଇନ୍ସକୁ ଜବାବ ମାଗିଥିଲା । କିନ୍ତୁ ଜବାବରେ ଆମେରିକା ଏୟାର ଲାଇନ୍ସ କହିଛି କି ଯାତ୍ରୀ ଜଣକ କ୍ରୁ ସଦସ୍ୟଙ୍କ କଥା ମାନି ନଥିଲେ । ତାଙ୍କ ଟିକେଟ ବାବଦ ଅର୍ଥ ଫେରାଇ ଦିଆଯିବ ।