ରାଉରକେଲା,୨୧/୦୧: ଭୁବନେଶ୍ବରରୁ ରାଉରକେଲା ଆସୁଥିବା ଇଣ୍ଡିଆ ୱାନ୍ ଏୟାରର ବିମାନ ଲାଠିକଟା ବ୍ଲକ୍ ଜଲଦା ପଞ୍ଚାୟତ କଂସର ନିକଟସ୍ଥ ଗଡ଼ିଆଟୋଲାରେ ଫୋର୍ସ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ ୨ ପାଇଲଟ୍ ସମେତ ୬ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଦୁର୍ଘଟଣାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ଏହାର କାରଣ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ରୂପରେ ପଦାକୁ ଆସିପାରିନି । ଏ ନେଇ ବିମାନ କର୍ତ୍ତୃପକ୍ଷ ଓ ବିଭାଗୀୟ ସ୍ତରରେ ଏହାର କାରଣ ଖୋଜିବା ପାଇଁ ଆଲୋଚନା ଚାଲିବା ସହ ପର୍ଯ୍ୟାୟ କ୍ରମେ ବିଭାଗୀୟ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ବିମାନ କ୍ଷତିଗ୍ରସ୍ତର ଅଂଶଗୁଡ଼ିକର ଯାଞ୍ଚ କରୁଛନ୍ତି ।
ତେବେ କ୍ଷତିଗ୍ରସ୍ତ ହୋଇଥିବା ବିମାନର ଅଂଶବିଶେଷ କାନାଡ଼ା ଯିବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେଠାରେ ଭାଙ୍ଗିଯାଇଥିବା ଯନ୍ତ୍ରପାତି ଅଂଶଗୁଡ଼ିକର ପରୀକ୍ଷା କରାଯିବା ପରେ ମରାମତି କରାଯିବ । ଏଥିସହ ନୂଆରୂପରେ ବିମାନ ପ୍ରସ୍ତୁତ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ କାନାଡ଼ାରୁ ଏକ ସ୍ୱତନ୍ତ୍ର କଣ୍ଟେନର ରାଉରକେଲାକୁ ଆସୁଛି । ଆଉ କିଛି ଦିନ ମଧ୍ୟରେ ରାଉରକେଲାରେ କଣ୍ଟେନର ପହଞ୍ଚିବ । ଏହି କଣ୍ଟେନର ପହଞ୍ଚିବା ପରେ ଆସନ୍ତା ୨୪ ତାରିଖରେ ସ୍ୱତନ୍ତ୍ର ବିମାନରେ କ୍ଷତିଗ୍ରସ୍ତ ବିମାନ ଅଂଶଗୁଡ଼ିକୁ କାନାଡ଼ା ନିଆଯିବର ସୂଚନା ମିଳିଛି । ଗୋଟିଏ କଣ୍ଟେନରରେ ଇଞ୍ଜିନ୍ ଓ ଅନ୍ୟ ଏକ କଣ୍ଟେନରରେ ଯନ୍ତ୍ରାଂଶ ନିଆଯିବ । ଇଣ୍ଡିଆ ୱାନ୍ ଏୟାରର ୪ଜଣ ଇଞ୍ଜିନିୟର ଦୁର୍ଘଟଣାସ୍ଥଳକୁ ଯାଇ ବିମାନର ଇଞ୍ଜିନ୍ ଓ ଯନ୍ତ୍ରାଂଶ ଖୋଲିଛନ୍ତି ।