ଛତିଶଗଡ଼, ୧୬।୭: ଦେଶରେ E20 ଫୁଏଲକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । E20 ପେଟ୍ରୋଲ କାରଣରୁ ଗାଡ଼ି ଖରାପ ହେବା ମାମଲାରେ ଗ୍ରାହକଙ୍କ ସପକ୍ଷରେ ଦେଶର ପ୍ରଥମ ବଡ଼ ରାୟ ଶୁଣାଇଛନ୍ତି କୋର୍ଟ । ଛତିଶଗଡ଼ର ରାୟପୁର ଜିଲ୍ଲା କନଜ୍ୟୁମର କୋର୍ଟ ଗାଡ଼ି ମାଲିକଙ୍କ ପକ୍ଷ ରଖି କାର୍ ନିର୍ମାତା କମ୍ପାନୀକୁ ଝଟ୍‌କା ଦେଇଛନ୍ତି । ଗାଡ଼ି ମାଲିକଙ୍କ ଅଭିଯୋଗ ଥିଲା ଯେ, E20 ତେଲ ପକାଇବା ପରେ ତାଙ୍କ ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ବାରମ୍ବାର ମରାମତି ପରେ ମଧ୍ୟ କୌଣସି ସୁଧାର ଆସିନଥିଲା ।

ଇଞ୍ଜିନରେ ଜମି ରହିଲା ଧଳା ତରଳ ପଦାର୍ଥ !

ଗ୍ରାହକଙ୍କ ଦାବି ଅନୁଯାୟୀ, ଗାଡ଼ିରେ E20 ପେଟ୍ରୋଲ ଭରିବା ପରେ ହିଁ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା । ଗାଡ଼ିର ପରଫରମାନ୍ସ ଖରାପ ହେବା ସହ ମିସ୍‌ଫାୟାରିଂ ଏବଂ ମାଇଲେଜ୍ କମିଯାଇଥିଲା । ୱାର୍କସପ୍‌ରେ ଯାଞ୍ଚ ବେଳେ ଇଞ୍ଜିନ୍ ଭିତରେ E20 ଫଏଲ୍ ଜମି ରହିଥିବା ପ୍ରମାଣ ମିଳିଥିଲା । ଏପରିକି ପେଟ୍ରୋଲ ଟାଙ୍କିରୁ ଏକ ପ୍ରକାର ଧଳା ତରଳ ପଦାର୍ଥ ବାହାରିଥିଲା, ଯାହା ଗାଡ଼ିର ଇଞ୍ଜିନ୍‌କୁ ବହୁତ କ୍ଷତି ପହଞ୍ଚାଇଥିଲା ।

ଏହା ବି ପଢ଼ନ୍ତୁ... ଆସିଲା ନୂଆ ସେବା ଉତ୍ପାଦନ ସୂଚକାଙ୍କ, ୧୪ଟି କ୍ଷେତ୍ରରେ ଡବଲ ଡିଜିଟାଲ ଅଭିବୃଦ୍ଧି

କମ୍ପାନୀର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ:

ଏହି ମାମଲାଟି ପ୍ରସିଦ୍ଧ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ବିରୋଧରେ ଥିଲା । କମ୍ପାନୀ ଏବଂ ଡିଲରଙ୍କ ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା ଯେ, ଉକ୍ତ କାର୍ ମଡେଲ୍ଟି E20 ଫ୍ୟୁଲ୍ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ । ଗାଡ଼ିର ଖରାପ ରକ୍ଷଣାବେକ୍ଷଣ ଏବଂ ସାଧାରଣ ତ୍ରୁଟି ଯୋଗୁଁ ଏପରି ହୋଇଛି ବୋଲି ଡିଲର କହିଥିଲେ । ମାତ୍ର ୨୦୨୪ରେ କିଣାଯାଇଥିବା ଏହି ନୂଆ ଗାଡ଼ିଟି E20 ପେଟ୍ରୋଲ ପକାଇବା ପୂର୍ବରୁ ସମ୍ପୂର୍ଣ୍ଣ ଠିକ୍ ଚାଲୁଥିବା ନେଇ ଗ୍ରାହକ ଜଣକ କୋର୍ଟରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି । ମାରୁତି ସୁଜୁକି କମ୍ପାନୀକୁ ୪୫ ଦିନ ଭିତରେ ଅଭିଯୋଗକାରୀଙ୍କୁ ସେହି ସମାନ ମଡେଲ୍ର ଏକ ନୂଆ କାର୍ ଦେବାକୁ ହେବ, ଯାହା ସଫଳତାର ସହ E20 ଫ୍ୟୁଲ୍ରେ ଚାଲିପାରୁଥିବ । ଯଦି କମ୍ପାନୀ ନୂଆ ଗାଡ଼ି ଦେବାରେ ବିଫଳ ହୁଏ, ତେବେ ଗ୍ରାହକଙ୍କୁ କାର୍ର ସମ୍ପୂର୍ଣ୍ଣ ମୂଲ୍ୟ ଅର୍ଥାତ୍ ୨୦.୫୦ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ପଡ଼ିବ । ମାନସିକ ନିର୍ଯାତନା ପାଇଁ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ କୋର୍ଟ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।