ଲକ୍ଷ୍ନୌ, ୧୧/୧୦ : ଅନବ୍ଲକ ହେଲା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଫେସବୁକ୍ ଆକାଉଣ୍ଟ। ବ୍ଲକ ହେବାର ଦିନକ ପରେ ଅନବ୍ଲକ କଲା ମେଟା। ଶୁକ୍ରବାର ସନ୍ଧ୍ୟାରେ କିଛି ଆପତ୍ତିଜନକ କଣ୍ଟେଣ୍ଟ ପାଇଁ ଅଖିଳେଶଙ୍କ ଫେସବୁକ୍ ଆକାଉଣ୍ଟ ବ୍ଲକ ହୋଇଥିଲା। ଶନିବାର ସକାଳେ କମ୍ପାନୀ ପକ୍ଷରୁ ପୁଣି ଥରେ ଅନବ୍ଲକ କରିଦିଆଯାଇଛି।
ସୂଚନାନୁଯାୟୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଫେସବୁକରେ ୮୦ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ଅଖିଳେଶ ଏହି ଆକାଉଣ୍ଟ ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରନ୍ତି ଏବଂ କାର୍ଯ୍ୟାକର୍ତ୍ତାଙ୍କ ସହ ମିଶି ସମାଜବାଦୀ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପୋଷ୍ଟ କରନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରେ ଏକ ହିଂସକ ଓ ଅଶ୍ଳୀଳ ପୋଷ୍ଟ ପାଇଁ ଫେସବୁକ ତାଙ୍କ ଆକାଉଣ୍ଟ ବ୍ଲକ କରି ଦେଇଥିଲା। ଏହାପରେ ରାଜନୈତିକ ମାହୋଲ ସରଗରମ ହୋଇଥିଲା। ଏହା ପଛରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ହାତ ଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଥିଲା। ଏହା ପଛରେ ସରକାରଙ୍କର ନୁହେଁ ବରଂ ଫେସବୁକ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ହେଲେ ମାମଲା ଏତିକିରେ ଥଣ୍ଡା ପଡ଼ିନଥିଲା। ସମାଜବାଦୀ ପାର୍ଟିର ନେତାମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ସମାଜବାଦୀ ପାର୍ଟି ପ୍ରବକ୍ତା ଫଖରୁଲ ହସନ ଚାନ୍ଦ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଦେଶର ତୃତୀୟ ସବୁଠୁ ବଡ଼ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଫେସବୁକ ଆକାଉଣ୍ଟ ସସପେଣ୍ଡ୍ ହେବାର ଅର୍ଥ ଗଣତନ୍ତ୍ର ଉପରେ ଆକ୍ରମଣ। ବିଜେପି ସରକାର ଅଘୋଷିତ ଏମରଜେନ୍ସି ଲାଗୁ କରିଛି। ପ୍ରତି ବିରୋଧୀଙ୍କ ସ୍ଵର ଚାପିବାକୁ ଚେଷ୍ଟା କରାଯାଉଛି। ହେଲେ ସମାଜବାଦୀ ପାର୍ଟି ଜନତା ବିରୋଧୀ ନୀତିଙ୍କ ବିରୋଧରେ ସର୍ବଦା ସ୍ଵର ଉତ୍ତୋଳନ କରିବ। ତେବେ ଫେସବୁକ୍ ପକ୍ଷରୁ ଅଖିଳେଶଙ୍କ ପେଜ୍କୁ ଅନବ୍ଲକ କରିଦିଆଯାଇଛି। ଅଖିଳେଶଙ୍କ ଆକାଉଣ୍ଟ ବ୍ଲକ ହେବାପରେ ତାଙ୍କ ଆଇଟି ଟିମ୍ ତୁରନ୍ତ ମେଟାକୁ ମେଲ୍ କରିଥିଲା।