ଅକ୍ଷୟ କୁମାର ଫିଲ୍ମ ‘ପୃଥ୍ୱୀରାଜ’ର ହେବ ନାମ ପରିବର୍ତ୍ତନ, କରଣୀ ସେନାର ଦାବି ମାନିଲା ୟଶ ରାଜ ଷ୍ଟୁଡିଓ

ନୂଆଦିଲ୍ଲୀ ୨୮/୦୫: ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ପୃଥ୍ୱୀରାଜ’ କୁ ନେଇ ଚର୍ଚ୍ଚାରେ। ଫିଲ୍ମଟି ସିନେମାଘରେ ରିଲିଜ୍ ହେବାକୁ ପ୍ରସ୍ତୁତ। ଏହି ଫିଲ୍ମ ସହିତ ମାନୁଶୀ ଛିଲର ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ରହିଥିବା ଦେଖାଯାଇଛି। ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ୟଶ ରାଜ ଷ୍ଟୁଡିଓକୁ କରଣୀ ସେନା ଦାବି କରିଥିଲା। ତାଙ୍କ ଅନୁଯାୟୀ ଫିଲ୍ମର ନାମ ବଦଳାଯାଇ ସମ୍ରାଟ୍ ପୃଥ୍ୱୀରାଜ କରାଯାଉ। ବର୍ତ୍ତମାନ ୟଶ ରାଜ ଷ୍ଟୁଡିଓ କରଣୀ ସେନାର କଥାକୁ ଗ୍ରହଣ କରିଛି ଏବଂ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣୀ ସେନା ୟଶ ରାଜ ଷ୍ଟୁଡିଓର ସିଇଓ ଅକ୍ଷୟ ବିଧାନୀଙ୍କୁ ଭେଟି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଅନେକ ବୈଠକ ପରେ ଶେଷରେ କରଣୀ ସେନାର ଦାବିକୁ ଗ୍ରହଣ କରାଯାଇଛି ଏବଂ ଏ ବାବଦରେ କରଣୀ ସେନାକୁ ଏକ ଚିଠି ମଧ୍ୟ ଦିଆଯାଇଛି।
ୟଶ ରାଜ ଷ୍ଟୁଡିଓ ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣୀ ସେନାର ଯୁବ ସଭାପତି ସୁରଜିତ ସିଂହ ରାଠୌଡଙ୍କୁ ଏକ ଚିଠି ପଠାଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଆମେ ଫିଲ୍ମର ଟାଇଟଲ୍ ବଦଳାଇ ସମ୍ରାଟ ପୃଥ୍ୱୀରାଜ କରିବୁ ।