ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଅଭିନେତ୍ରୀ ସିମରନ୍‌ଙ୍କୁ ଗଣବଳାତ୍କାର ପରେ ହତ୍ୟା !

ସମ୍ବଲପୁର/ବୁର୍ଲା,୨୯ା୧(ବ୍ୟୁରୋ): ବହୁଚର୍ଚ୍ଚିତ ଆଲବମ୍‌ ଅଭିନେତ୍ରୀ ସେଲ୍‌ଫି ବେବୋ ସିମରନ୍‌ଙ୍କ ମୃତ୍ୟୁ ଘଟଣାର ରହସ୍ୟରୁ ଖୁବ୍‌ ଶୀଘ୍ର ପରଦା ଉଠିବାକୁ ଯାଉଛି । ଆଜି ଯୁଗକୁ ଦୁଇଦିନିଆ ରିମାଣ୍ଡରେ ନେଇ ବୁର୍ଲା ପୁଲିସ ମାରାଥନ୍‌ ଜେରା ଆରମ୍ଭ କରିଛି । ତେବେ, ଏହା ଏକ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ପୁଲିସ ଏକପ୍ରକାର ସ୍ପଷ୍ଟ ହୋଇସାରିଥିବା ସୂଚନା ମିଳିଛି ।
ପୁଣି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିମରନ୍‌ଙ୍କୁ ଗଣବଳାତ୍କାର ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବା ବେଳେ ହତ୍ୟା ଆଡ଼କୁ ଇସାରା କରାଯାଇଛି । ଆଉ ଏହାକୁ ଆୟୁଧ କରି ପୁଲିସ ତାର ତଦନ୍ତକୁ ବି ଶେଷ ପର୍ଯ୍ୟାୟରେ ପହଞ୍ଚାଇ ସାରିଥିବା କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ମର୍ଡର୍‌ ପ୍ଲଟ୍‌ ବୁର୍ଲାରେ ବୋଲି ପୁଲିସକୁ ଠୋସ୍‌ ପ୍ରମାଣ ମିଳିସାରିଥିବା ନେଇ ଆଭାସ ମିଳିଛି । ଏପରିକି ଖୁବ୍‌ ଶୀଘ୍ର ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପରୋକ୍ଷରେ ଥାନା ଅଧିକାରୀଙ୍କ ସୂଚନା ମଧ୍ୟ ହତ୍ୟା ଆଡ଼କୁ ଇସାରା କରିଛି । ତେବେ, ପୁଲିସ ଅଧିକ ପ୍ରମାଣ ହାସଲ ସକାଶେ ବ୍ୟବଚ୍ଛେଦର ଅଂଶବିଶେଷକୁ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲ୍ୟାବ୍‌କୁ ପଠାଇବ ବୋଲି ସୂଚନା ଦେଇଛି ।
ଗତ ୩୧ ତାରିଖରେ ସେଲ୍‌ଫି ବେବୋ ସିମରନ୍‌ ମୃତଦେହ ବୁର୍ଲା ମହାନଦୀ ପୋଲ ତଳୁ ଉଦ୍ଧାର ଘଟଣାକୁ ମାସେ ପୂରିଛି । ଘଟଣାକୁ ପ୍ରଥମରୁ ଆତ୍ମହତ୍ୟା ବୋଲି ପୁଲିସ ଅତି ହାଲୁକା ଭାବେ ନେଇଥିଲା । ଆଉ ତଦନ୍ତକୁ ଏକପ୍ରକାର ବନ୍ଦ କରି ଦେଇଥିଲା । ହେଲେ ସବୁ ଦୃଷ୍ଟିକୋଣରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢୀଭୂତ ହେବାରେ ଲାଗିଥିଲା । ତେବେ, ବୁର୍ଲା ଥାନାରେ ସିମରନ୍‌ଙ୍କ ବାପା ମାଁ ହତ୍ୟା ଅଭିଯୋଗ ଆଣିବା ପରେ ଯାଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଅଗ୍ରସର କରିଥିଲା । ହେଲେ ଇତିମଧ୍ୟରେ ସିମରନ୍‌ଙ୍କ ମୃତଦେହ ଉଦ୍ଧାର ଘଟଣାକୁ ମାସେ ପୂରିଥିଲେ ହେଁ ପୁଲିସ ଏହାର ରହସ୍ୟ ଉନ୍ମୋଚନ ଦିଗରେ ବିଫଳ ହୋଇଛି ।
ତେବେ, ଆଜି ସିମରନ୍‌ଙ୍କ ସ୍ୱାମୀ ଧ୍ରୁବରାଜ ସୁନା ଓରଫ ଯୁଗକୁ ଦୁଇଦିନିଆ ରିମାଣ୍ଡରେ ନେଇଛି ବୁର୍ଲା ପୁଲିସ । ଆଜି ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ଅନୁମତି ମିଳିବା ପରେ ଅପରାହ୍ନରେ ଯୁଗକୁ ସମ୍ବଲପୁର ଜେଲ୍‌ରୁ ନେଇ ପ୍ରଥମେ ମେଡିକାଲ ଟେଷ୍ଟ କରାଇଥିଲା । ଏହାପରେ ସନ୍ଧ୍ୟାରୁ ବୁର୍ଲା ପୁଲିସ ମାରାଥନ୍‌ ଜେରା ଚଲାଇଛି । ତାଠାରୁ ଅନେକ ଗୁରୁତ୍ୱପୂର୍ଣ ସୂଚନା ହାସଲ ହୋଇଥିଲେ ହେଁ ପୁଲିସ ଏଦିଗରେ କୌଣସି ତଥ୍ୟ ଦେବାକୁ ମନା କରି ଦେଇଛି । ବୁର୍ଲା ଥାନାଧିକାରୀ ମାନସ କୁମାର ପ୍ରଧାନ ଏବଂ ତଦନ୍ତକାରୀ ଅଧିକାରୀ ପୁଷ୍ପା ମିଞ୍ଜ ପ୍ରମୁଖ ଜେରା ଚଲାଇଛନ୍ତି । ସେପଟେ, ଯୁଗର କାକା ରୁକୁ ସୁନା ଏବଂ ତାର ପରିବାର ଲୋକେ ବର୍ତ୍ତମାନ ସୁଦ୍ଧା ଥାନାରେ ହାଜର ହେବା ପରିବର୍ତ୍ତେ ଫେରାର ରହିଛନ୍ତି ।
ଅପରପକ୍ଷେ, ପ୍ରଥମରୁ ବ୍ୟବଚ୍ଛେଦ ରିପୋର୍ଟରେ କେବଳ ମୁଣ୍ଡରେ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି ବୋଲି ପୁଲିସ ସୂଚନା ଦେଇଥିଲା । ହେଲେ ବାସ୍ତବରେ ସିମରନ୍‌ଙ୍କୁ ଗଣବଳାତ୍କାର ହୋଇଥିବା ନେଇ ବି ରିପୋର୍ଟରେ ଉଲ୍ଲେଖ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସେହିପରି ମୁଣ୍ଡରେ ବାରମ୍ବାର ଶକ୍ତ ଆଘାତ ଲାଗିବାର କଥା ଉଲ୍ଲେଖ ଥିବା ବେଳେ ସମୁଦାୟ ରିପୋର୍ଟ ହତ୍ୟା ଆଡକୁ ସ୍ପଷ୍ଟ ଭାବେ ଇଙ୍ଗିତ କରିଛି । ଆଉ ପୁଲିସ ମଧ୍ୟ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଏକ ନିର୍ଯ୍ୟାସରେ ପହଞ୍ଚିସାରିଥିବା ଜଣାପଡିଛି । ଏପରିକି ମର୍ଡର୍‌ ପ୍ଲଟ୍‌ ବୁର୍ଲାରେ ବୋଲି ପୁଲିସ ଠୋସ୍‌ ପ୍ରମାଣ ବି ପାଇ ସାରିଥିବା ବେଳେ ହତ୍ୟାରେ ଯୁଗର ସଂପୃକ୍ତି ନେଇ ବି ଅନେକ ପ୍ରମାଣ ହାସଲ କରିସାରିଥିବା ସୂଚନା ମିଳିଛି । ସେହିପରି ଏଥିରେ ଅନେକ କୁଖ୍ୟାତ ଅପରାଧୀଙ୍କ ସଂପୃକ୍ତି ନେଇ ପୁଲିସ ସ୍ପଷ୍ଟ ସୂଚନା ପାଇବା ପରେ ଯୁଗର ଜେରା ହିଁ ରହସ୍ୟ ଉନ୍ମୋଚନ ଦିଗରେ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଉଛି । ମୋଟ୍‌ ଉପରେ କହିବାକୁ ଗଲେ, ଯୁଗର ଜେରା ପରେ ଖୁବ୍‌ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ମାନସ ପ୍ରଧାନଙ୍କ ପରୋକ୍ଷ ଇଙ୍ଗିତ ହତ୍ୟା ଆଡକୁ ସନ୍ଦେହ ଦୃଢୀଭୂତ କରିଛି ।

Copyright © 2022 - Summa Real Media Private Limited. All Rights Reserved.