ଖୁବ୍ଶୀଘ୍ର ଡିଜିଟାଲ ଡେବ୍ୟୁ କରିବେ ଆଲିୟା, ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ନୂଆ ୱେବ୍ସିରିଜ୍

ମୁମ୍ବାଇ ୩୧/୦୫: କରୋନା ମହାମାରୀ ଯୋଗୁ ଫିଲ୍ମ ହଲ୍ ଗୁଡ଼ିକ ବନ୍ଦ ଥିବାରୁ ମନୋରଞ୍ଜନ ଜଗତ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବିଗ୍ ବଜେଟ୍ର ବହୁ ଫିଲ୍ମର ରିଲିଜ୍ ତାରିଖ ଗଡ଼ି ଗଡ଼ି ଚାଲିଛି । ଏପରିସ୍ଥଳରେ କଳାକାରମାନେ ଓଟିଟି ମୁହାଁ ହେଉଛନ୍ତି । ସୈଫ୍ ଅଲ୍ଲୀ ଖାନ୍, ନୱାଜୁଦ୍ଦିନ୍ ସିଦ୍ଦିକି, ପଙ୍କଜ ତ୍ରିପାଠୀ, ଅଜୟ ଦେବଗନ୍ଙ୍କ ପରେ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ପ୍ରସିଦ୍ଧ ଅଭିନେତ୍ରୀ ନୀନା ଗୁପ୍ତା ଓ ତାଙ୍କ ଫ୍ୟାଶନ୍ ଡିଜାଇନର୍ ଝିଅ ମସାବାଙ୍କ ସହ ‘ମସାବା ମସାବା-୨’ ମାଧ୍ୟମରେ ସେ ଓଟିଟିରେ ପାଦ ରଖିପାରନ୍ତି ।
ସେହି ୱେବ୍ସିରିଜ୍ ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି, ‘ଆଲିୟାଙ୍କୁ ସିରିଜ୍ର ପ୍ରଯୋଜନା ସଂସ୍ଥା ପକ୍ଷରୁ ସଂପର୍କ କରାଯାଇଛି । ‘ମସାବା ମସାବା-୨’ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେବେ। ଯଦି ସବୁକିଛି ଠିକ୍ଠାକ୍ ରହେ ତା’ ହେଲେ ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇପାରେ । ନୀନା ଗୁପ୍ତା ପ୍ରଡକ୍ସନ୍ ଟିମ୍କୁ ମାତ୍ର ୨ ମାସ ସମୟ ଦେଇଥିବାରୁ ତାକୁ ଦୃଷ୍ଟିରେ ରଖି ପ୍ରଥମେ ନୀନାଙ୍କ ସହ ଆଲିୟାଙ୍କର ଦୃଶ୍ୟଗୁଡ଼ିକୁ ସୁଟିଂ କରାଯିବ। ଆଲିୟାଙ୍କ ବ୍ୟତୀତ ଏହି ୱେବ୍ସିରିଜ୍ରେ ଅନୀଲ କପୁର ଓ ଜ୍ୟାକି ଶ୍ରଫ୍ ନଜର ଆସିବେ । ସେମାନଙ୍କୁ ଅତି ସଂକ୍ଷିପ୍ତ ଭୂମିକାରେ ଦେଖିବାକୁ ମିଳିବ।
’ସୂଚନାଥାଉକି, ‘ମସାବା ମସାବା-୨’ ଛଡ଼ା ଆଲିୟାଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡ଼ି’, ‘ଆରଆରଆର’ ଓ ‘ବ୍ରହ୍ମାସ୍ତ୍ର’ ପରି ଚର୍ଚ୍ଚିତ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି ।