ନୂଆଦିଲ୍ଲୀ ୧୮/୦୨: ୭୯ତମ ବାଫ୍ଟା ଆୱାର୍ଡସ ମଞ୍ଚରେ ଦେଖାଦେବେ ବଲିଉଡ୍ର ଗଙ୍ଗୁବାଈ ଆଲିୟା ଭଟ୍ଟ । ବିଜେତାଙ୍କୁ ସେ ବାଫ୍ଟା ପୁରସ୍କାର ପ୍ରଦାନ କରିବେ । ବ୍ରିଟିଶ ଏକାଡେମୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଅନ୍ତର୍ଜାତୀୟ ସିନେମାରେ ଉତ୍କର୍ଷକୁ ସମ୍ମାନ ଦେବାର ଏହି ସମାରୋହର ନାଁ ଇଇ ବାଫ୍ଟା ଫିଲ୍ମ ଆୱାର୍ଡସ ।
ଆସନ୍ତା ୨୨ ତାରିଖ, ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲ୍ରେ ସମାରୋହ ଆୟୋଜିତ ହେବ । ଏଥିରେ ସାମିଲ ପରସ୍କାର ପ୍ରଦାନକାରୀ ଅତିଥିଙ୍କ ମଧ୍ୟରେ ୩୨ ବର୍ଷୀୟା ଆଲିୟା ଅନ୍ୟତମ । ଏଲିସିୟା ଭିକାଣ୍ଡର, ବ୍ରାୟନ କ୍ରାନ୍ଷ୍ଟନ, ସିଲିଆନ ମର୍ଫି, ଡେଲରୟ ଲିଣ୍ଡୋ, ଏମିଲି ୱାଟ୍ସନ, ଏଥାନ ହକ୍, ଗିଲିଆନ ଆଣ୍ଡରସନ୍, ଗ୍ଲେନ୍ କ୍ଲୋଜ୍, ହାନା ୱାଡିଂଘମ୍, ମୋନିକା ବେଲୁଚି, ରେଗେ-ଜିନ୍ ପେଜ୍, ରିଜ୍ ଅହମଦ ଓ ଷ୍ଟେଲାନ ସ୍କାରଗାର୍ଡ ବିଜେତାମାନଙ୍କୁ ବାଫ୍ଟା ସମ୍ମାନ ପ୍ରଦାନ କରିବେ । ଆଲିୟାଙ୍କ ସମେତ ଭାରତୀୟ ଫିଲ୍ମ ନିର୍ମାତା ଲକ୍ଷ୍ମୀପ୍ରିୟା ଦେବୀ ଏହି ସମାରୋହରେ ଯୋଗ ଦେବେ । ତାଙ୍କ ମଣିପୁରୀ ଫିଲ୍ମ ‘ବୁଙ୍ଗ୍’ ଶ୍ରେଷ୍ଠ ଶିଶୁ ପାରିବାରିକ ଫିଲ୍ମ ବିଭାଗରେ ନୋମିନେଟ୍ ହୋଇଛି ।