ନୂଆଦିଲ୍ଲୀ, ୨୨।୭: ଫାର୍ମା ସେକ୍ଟରକୁ ବଡ଼ ଝଟ୍କା ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାହାର ଦେଶରୁ ଆମଦାନୀ ହେଉଥିବା ଜେନେରିକ୍ ଔଷଧ ଉପରେ ପର୍ଯ୍ୟାୟକ୍ରମେ ଭାରୀ ଶୁଳ୍କ ଲଗାଇବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏହି ନୂଆ ନୀତି ଅନୁଯାୟୀ, ଆମେରିକା ବାହାରେ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ୨ ବର୍ଷର ସମୟ ଦିଆଯାଇଛି । ଏହା ପରେ ସେମାନଙ୍କ ଉପରେ କଡ଼ା ଶୁଳ୍କ ଲାଗୁ କରାଯିବ । ଆସନ୍ତା ଅଗଷ୍ଟ ବର୍ଷେରୁ ୨ ବର୍ଷ ପର୍ଯ୍ୟନ୍ତ ଆମେରିକାକୁ ଆସୁଥିବା ଜେନେରିକ୍ ଔଷଧ ଉପରେ କୌଣସି ଟାରିଫ୍ ଲାଗିବ ନାହିଁ । ୨ ବର୍ଷ ପରେ ପ୍ରଥମ ବର୍ଷ ଆମଦାନୀ ଉପରେ ୧୦୦% ଟାରିଫ୍ ଲାଗୁ ହେବ ଏବଂ ତୃତୀୟ ବର୍ଷରୁ ଏହି ଶୁଳ୍କ ବୃଦ୍ଧି ପାଇ ୨୦୦% ହୋଇଯିବ । ଔଷଧ କମ୍ପାନୀଗୁଡ଼ିକୁ ବିଦେଶୀ ଉତ୍ପାଦନ ଉପରେ ନିର୍ଭର ନକରି ଆମେରିକା ଭିତରେ ହିଁ ନିଜର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ କରିବାକୁ ବାଧ୍ୟ କରିବ । ଯଦି କମ୍ପାନୀଗୁଡ଼ିକ ଆମେରିକାରେ ଔଷଧ ତିଆରି କରନ୍ତି, ତେବେ ସେମାନେ ଏହି ଜରିମାନା ସଦୃଶ ଟାରିଫରୁ ବର୍ତ୍ତିପାରିବେ ।
ଏହି ଘୋଷଣା ଭାରତୀୟ ଔଷଧ କମ୍ପାନୀଗୁଡ଼ିକୁ କିଛି ସମୟ ପାଇଁ ଆଶ୍ୱାସନା ଦେଇଛି, କାରଣ ସେମାନଙ୍କ ରୋଜଗାରର ଏକ ବଡ଼ ଭାଗ ଆମେରିକାର ଜେନେରିକ୍ ଔଷଧ ବଜାରରୁ ଆସିଥାଏ । ଆସନ୍ତା ୨ ବର୍ଷର ଶୁଳ୍କମୁକ୍ତ ଅବଧି ରହିଛି । ଯାହା ଫଳରେ ଭାରତୀୟ ରପ୍ତାନିକାରୀଙ୍କୁ ସେମାନଙ୍କର ସପ୍ଲାଇ ଚେନ୍, ନିବେଶ ଓ ରଣନୀତି ଉପରେ ପୁନର୍ବିଚାର କରିବାକୁ ପର୍ଯ୍ୟାପ୍ତ ସମୟ ମିଳିବ । ବର୍ତ୍ତମାନ ପାଇଁ ସିଧାସଳଖ ପ୍ରଭାବ କମ୍ ରହିବ, କିନ୍ତୁ ଆଗାମୀ ଦିନରେ ଆମେରିକାରେ ନିଜର ପ୍ରୋଡକ୍ସନ୍ ବେସ୍ ନବନାଇଲେ ୧୦୦% ରୁ ୨୦୦% ଟାରିଫ୍ କମ୍ପାନୀଗୁଡ଼ିକ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିପାରେ । ଆମେରିକାକୁ ଶସ୍ତା ଜେନେରିକ୍ ଔଷଧ ଯୋଗାଉଥିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ । ସନ୍ ଫାର୍ମା, ଡକ୍ଟର ରେଡ୍ଡୀଜ୍ ଲାବୋରେଟୋରୀଜ୍, ସିପ୍ଲା, ଲ୍ୟୁପିନ୍, ଅରୋବିନ୍ଦୋ ଫାର୍ମା, ଏବଂ ଜାଇଡସ୍ ଲାଇଫସାଇନ୍ସ ଭଳି ପ୍ରମୁଖ ଭାରତୀୟ କମ୍ପାନୀଗୁଡ଼ିକର ଆମେରିକା ବଜାରରେ ବିଶାଳ ଉପସ୍ଥିତି ରହିଛି ।
ଏହା ବି ପଢ଼ନ୍ତୁ... US Attack on Iran: ମହାଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ୱ ! ୧୧ ଦିନରେ ପହଞ୍ଚିଲା ଆମେରିକା-ଇରାନ ଯୁଦ୍ଧ, ବୃଦ୍ଧି ପାଉଛି କ୍ରୁଡ୍ ଅଏଲ୍ ଦର
ଭାରତୀୟ କମ୍ପାନୀଙ୍କ ପାଖରେ ବିକଳ୍ପ କ’ଣ ?
ଟାରିଫ୍ ଚିନ୍ତା ମଧ୍ୟରେ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଶିଳ୍ପ ଆମେରିକାର ନୂଆ ବାଣିଜ୍ୟ ନୀତି ଉପରେ କଡ଼ା ନଜର ରଖିଛି । ଭାରତୀୟ କମ୍ପାନୀଙ୍କ ବିକଳ୍ପ ହେଉଛି ଆମେରିକା ମାଟିରେ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆମେରିକାର ସ୍ଥାନୀୟ କମ୍ପାନୀଗୁଡ଼ିକ ସହ ଚୁକ୍ତିଭିତ୍ତିକ ସହଭାଗିତା ବଢ଼ାଇ ବଜାରରେ ନିଜର ପହଞ୍ଚ ବଜାୟ ରଖିବା । ଭାରତର ଶସ୍ତା ଓ ଗୁଣାତ୍ମକ ଉତ୍ପାଦନ ବ୍ୟବସ୍ଥା ବିଶ୍ୱସ୍ତରରେ ଆଗରେ ଥିଲେ ହେଁ, ଆମେରିକାର ଏହି ବଡ଼ ନିଷ୍ପତ୍ତି ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକୁ ସେମାନଙ୍କର ଆଗାମୀ ବ୍ୟବସାୟିକ ଯୋଜନା ବଦଳାଇବାକୁ ବାଧ୍ୟ କରିବ ।