ଆଲିଗଡ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଏବଂ ଭାଇ ଗିରଫ, ନ୍ୟାୟ ନମିଲେ ଆତ୍ମହତ୍ୟା କରିବେ କହିଲେ ଟ୍ବିଙ୍କିଲଙ୍କ ପରିବାର

ଆଲିଗଡ,୮।୬: ଉତ୍ତରପ୍ରଦେଶର ଆଲିଗଡରେ ୨ ବର୍ଷର ଝିଅ ଟ୍ବିଙ୍କିଲ ଶର୍ମାଙ୍କୁ ନିର୍ମମ ହତ୍ୟା ମାମଲାରେ ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ଜାହିଦର ପତ୍ନୀ ଓ ଭାଇକୁ ଗିରଫ କରିଛି। ଜାହିଦ ଓ ତା’ର ସାଥୀ ଅସଲମକୁ ପୂର୍ବରୁ ଗିରଫ କରାଯାଇ ସାରିଛି। ପୋଲିସର କହିବା ଅନୁସାରେ,ଜାହିଦ ଓ ଅସଲମ ଦୁହେଁ ଖୁବ୍ ମାରାତ୍ମକ ଅପରାଧୀ। ଅସଲମ ଉପରେ ନିଜର ଝିଅକୁ ଦୁଷ୍କର୍ମ, ଅପହରଣ ସମେତ ମୋଟ ୫ଟି ମାମଲା ରୁଜୁ ହୋଇଛି। ସେପଟେ ଟ୍ବିଙ୍କିଲଙ୍କ ପରିବାର ପକ୍ଷରୁ କୁହାଯାଇଛି ଅଭିଯୁକ୍ତଙ୍କୁ ଯଦି ୨୪ ଘଣ୍ଟା ଭିତରେ ଫାଶୀ ଦିଆଯିବ ନାହିଁ ତେବେ ସେମାନେ ଥାନା ଆଗରେ ଆତ୍ମହତ୍ୟା କରିବେ।
ଅନ୍ୟପକ୍ଷେ ଏହି ହତ୍ୟାକାଣ୍ଡ ମାମଲାକୁ ନେଇ ଟପ୍ପଲ ଅଞ୍ଚଳରେ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ପ୍ରବଳ ଅସନ୍ତୋଷ। ଶୁକ୍ରବାର ରାତିରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଲୋକମାନେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିଥିଲେ। ଓକିଲମାନେ ମଧ୍ୟ କୌଣସି ଅଭିଯୁକ୍ତଙ୍କ କେସର ପକ୍ଷ ନେବାକୁ ମନା କରିଦେଇଛନ୍ତି। ଝିଅଟିର ମୃତଦେହ ଖଣ୍ଡଖଣ୍ଡ ଅବସ୍ଥାରେ ଗତ ୨ ତାରିଖରେ ମିଳିଥିଲା। ଝିଅଟିର ଜେଜେ ଠାରୁ ଅଭିଯୁକ୍ତ ୧୦ ହଜାର ଟଙ୍କା ନେବା ନେଇ ବିବାଦ ହୋଇଥିଲା। ଅଭିଯୁକ୍ତ ଜାହିଦ ଗତ ୩୦ ତାରିଖରେ ଶିଶୁଟିକୁ ଅପହରଣ କରିବା ପରେ ହତ୍ୟା କରିଥିଲା।ପୋଲିସ ଓ ସ୍ବାସ୍ଥ୍ୟ ବିଭାଗର କହିବା ଅନୁସାରେ ଝିଅଟି ସହିତ ଦୁଷ୍କର୍ମ ହୋଇନାହିଁ। ତେବେ ପରିବାର ଲୋକ କହିଛନ୍ତି ଯେ, ତାଙ୍କ ଝିଅ ସହ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ମୋଟମର୍ଟମ ରିପୋର୍ଟ ଅନୁସାରେ ଝିଅଟିର ଶରୀରରୁ କିଡନୀ, ମୁତ୍ର ଥଳି ଓ ପ୍ରାଇଭେଟ୍ ପାର୍ଟ ଗାୟବ ହୋଇଯାଇଛି।