PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ବଢ଼ୁଛି ବିଦେଶୀ ପକ୍ଷୀ ଶିକାର, ୭ ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀକୁ ଗିରଫ
  • ||
  • ସୋର: ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ, ୧୫ ଦିନର ନବଜାତକୁ ଉଦ୍ଧାର କଲେ ଚାଇଲଡ ଲାଇନ ସଦସ୍ୟ
  • ||
  • ସମ୍ବଲପୁର: ଡେବ୍ରିଗଡରେ ବୁଲିଲା ମହାବଳ ବାଘ, ଫଟୋ ଜାରି କଲା ହୀରାକୁଦ ବନ୍ୟପ୍ରାଣୀ ବିଭାଗ
  • ||

ଏଏନ୍‌-୩୨ ବିମାନ ଦୁର୍ଘଟଣା: ୧୩ ମୃତଦେହ ଉଦ୍ଧାର

ଇଟାନଗର,୧୩ ।୬(ଏଜେନ୍ସି): ଅରୁଣାଚଳ ପ୍ରଦେଶରେ ହୋଇଥିବା ଏଏନ-୩୨ ବିମାନ ଦୁର୍ଘଟଣାରେ ବିମାନରେ ଥିବା କୌଣସି କର୍ମଚାରୀ କିମ୍ବା ଅନ୍ୟ ବ୍ୟକ୍ତି ଜୀବିତ ନାହାନ୍ତି । ଦୁର୍ଘଟଣା ସମୟରେ ବିମାନରେ ବାୟୁସେନାର ୮ ଜଣ କର୍ମଚାରୀ ଓ ୫ ଜଣ ସେନା ଅଧିକାରୀଙ୍କ ସହ ସମୁଦାୟ ୧୩ ଜଣ ବ୍ୟକ୍ତି ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଫ୍ଲାଇଂ ଲେଫ୍ଟନାଣ୍ଟ ସୁନିତ ମହାନ୍ତି । ଉଦ୍ଧାରକାରୀ ଦଳଙ୍କୁ ଆଜି ଦୁର୍ଘଟଣାସ୍ଥଳରୁ ସମସ୍ତ ୧୩ ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସେଠାରୁ ମୃତଦେହଗୁଡ଼ିକୁ ଆଣିବା ପାଇଁ ହେଲିକପ୍ଟର ବ୍ୟବହାର କରାଯିବ । ଦୁର୍ଘଟଣା ସ୍ଥଳରୁ ମଧ୍ୟ ବିମାନର ବ୍ଲାକ୍‌ ବକ୍ସ ଉଦ୍ଧାର କରାଯାଇଛି । ଏଥିରୁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ କିଛି ସୁରାକ ମିଳିବାର ସମ୍ଭାବନା ରହିଛି ।

ବାୟୁସେନାର ଏହି ଏଏନ-୩୨ ସାମରିକ ପରିବହନ ବିମାନଟି ଚଳିତ ମାସ ୩ ତାରିଖରେ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାଉଥିଲାବେଳେ ନିଖୋଜ ହୋଇଯାଇଥିଲା । ବ୍ୟାପକ ଅଭିଯାନ ସତ୍ତେ୍ୱ ୮ ଦିନ ଯାଏଁ ଏହାକୁ ଠାବ କରାଯାଇପାରିନଥିଲା । ଗତ ମଙ୍ଗଳବାର ଏକ ଏମଆଇ-୧୭ ହେଲିକପ୍ଟର ଏହି ବିମାନର ଧ୍ୱଂସାବଶେଷକୁ ଠାବ କରିଥିଲା । ଲିପୋ ଉପତ୍ୟାକା ଠାରୁ ୧୬ କିମି ଦୂରରେ ଥିବା ଏକ ପାହାଡ଼ର ଅଗ୍ରଭାଗରେ ଏହାର ଧ୍ୱଂସାବଶେଷ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା । ଏହାପରେ ବାୟୁସେନା, ସ୍ଥଳସେନାର ପର୍ବତାରୋହୀଙ୍କ ସହ କିଛି ବେସାମରିକ ପର୍ବତାରୋହୀଙ୍କୁ ସେଠାକୁ ପଠାଯାଇଥିଲା । ସେମାନଙ୍କୁ ଦୁର୍ଘଟଣାସ୍ଥଳ ଠାରୁ କିଛି ଦୂରରେ ଥିବା ଏକ ସ୍ଥାନରେ ହେଲିକପ୍ଟର ଯୋଗେ ଛଡ଼ାଯାଇଥିଲା । ଏହି ପନ୍ଦର ଜଣିଆ ଦଳରୁ ୪ ଜଣ ବୁଧବାର ସନ୍ଧ୍ୟାରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଘନ ଅନ୍ଧାର ଓ ପ୍ରତିକୂଳ ପରିସ୍ଥିତି ଯୋଗୁ ସେମାନଙ୍କୁ ଗୁରୁବାର ସକାଳ ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ଏହାପରେ ସେମାନେ ସେଠାରେ ମୃତଦେହ ଓ ବ୍ଲାକ୍‌ ବକ୍ସକୁ ଠାବ କରିଥିଲେ ।

ବାୟୁସେନା ଗତକାଲି ଦାବି କରିଥିଲା ଯେ ଘନ ବାଦଲ ଯୋଗୁ ବିମାନର ପାଇଲଟ ସେହି ପାହାଡ଼ର ଉଚ୍ଚତା ସମ୍ପର୍କରେ ସଠିକ୍‌ ଅନୁମାନ କରିପାରିନଥିଲେ । ତେଣୁ ବିମାନଟିର ପାହାଡ଼ ସହିତ ଧକ୍କା ଲାଗିଥିଲା । ଆଉ କିଛି ଫୁଟ ଉପରେ ଉଡ଼ିଥିଲେ ବିମାନଟି ଦୁର୍ଘଟଣାରୁ ବର୍ତ୍ତି ଯାଇପାରିଥାନ୍ତା । ସୁନିତଙ୍କ ଦୁଃଖଦ ମୁତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଡ୍ୟୁଟି ଚାର୍ଟରେ ନାଁ ନ ଥିଲା, ନିର୍ଦ୍ଦେଶ ମାନି ଯାଇଥିଲେ
“ଭଗବାନଙ୍କ ଉପରେ ଭରସା ଥିଲା । ନିଖୋଜ ଥାଇ ବି ବହୁ ଲୋକ ୧୦/୧୫ ଦିନ ପରେ ମିଳିଛନ୍ତି । ହେଲେ ଯେତେବେଳେ ଏହି ଖବର (ନିଜର ବଡ଼ ନାତି ସୁନିତ ମହାନ୍ତି) ଶୁଣିଲୁ ସେତେବେଳେ ମୁଁ ଚେତାଶୂନ୍ୟ ହୋଇଗଲି । ମୋ ସ୍ତ୍ରୀ ଯେକି ପୂର୍ବରୁ ଅସୁସ୍ଥ ଥିଲେ ସେ ଶୋଇଥିଲେ, ଖଟରୁ ଉଠି ମଧ୍ୟ ପାରିଲେନି । ବଡ଼ କଷ୍ଟଦାୟକ, ଜୀବନରେ କେବେ ଏମିତି ଦୁଃଖ ମୁଁ ଜାଣି ନଥିଲି” । ଏ ଥିଲା ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ଏନ୍‌-୩୨ରେ ଥିବା ଓଡ଼ିଆ ଯୁବ ପାଇଲଟ୍‌ ସୁନିତ ମହାନ୍ତିଙ୍କ ଅଜାଙ୍କ ବେଦନା ଭରା କେଇ ପଦ କଥା । ଗୁରୁବାର ବାୟୁ ସେନା ତରଫରୁ ଅରୁଣାଚଳ ପ୍ରଦେଶରେ ହୋଇଥିବା ବିମାନ ଦୁର୍ଘଟଣାରେ ସମସ୍ତ ୮ କର୍ମଚାରୀ ଓ ୫ ବାୟୁ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ଘୋଷଣା ବେଶ୍‌ ଦୁଃଖ, କଷ୍ଟ ଆଣି ଦେଇଛି ବୃଦ୍ଧ ଅଜା ଆଈଙ୍କୁ ।

ବ୍ରହ୍ମପୁର କମାପଲ୍ଲୀ- କୋଅପରେଟିଭ୍‌ କଲୋନି ୧ମ ଗଳିରେ ରହୁଛନ୍ତି ସୁନିତଙ୍କ ଅଜା ଅବସରପ୍ରାପ୍ତ ଇଂ ହରିବନ୍ଧୁ ସ୍ୱାଇଁ, ଆଈ କମଳାକୁମାରୀ ସ୍ୱାଇଁ । ଏଇ ଖବର ପ୍ରଚାରିତ ହେବା ବେଳକୁ ସେମାନଙ୍କ ସହ ଥିଲେ ସୁନିତଙ୍କ ମଉସା ପ୍ରମୋଦ କୁମାର ସ୍ୱାଇଁ ଓ ମାଉସୀ । ବୃଦ୍ଧ ଓ ଅସୁସ୍ଥତା କାରଣରୁ ଅଜା ଆଈ ଯାଇପାରିଲେନି । ପରେ ମଉସା ମାଉସୀ ସୁନିତଙ୍କ ପିତାମାତାଙ୍କ ପାଖକୁ ଯିବା ଉଦ୍ଦେଶ୍ୟରେ ଦିଲ୍ଲୀ ବାହାରିଗଲେ । ଇଂ ହରିବନ୍ଧୁ ସ୍ୱାଇଁ ଦୁର୍ଘଟଣା ବାବଦରେ ଦେଇଥିଲେ କିଛି ତଥ୍ୟ । ଦୁର୍ଘଟଣା ଦିନ ଅର୍ଥାତ୍‌ ଜୁନ୍‌ ୩ ତାରିଖ ରାତି ପ୍ରାୟ ୧୦ଟା ବେଳକୁ କୌଣସି ଏକ ନମ୍ବରରୁ ସୁନିତଙ୍କ ମାଆ ସଂଯୁକ୍ତା ମହାନ୍ତିଙ୍କ ନିକଟକୁ ଫୋନ୍‌ ଆସିଥିଲା । ତେବେ ପୁଅର ବିମାନ ଦୁର୍ଘଟଣା ଖବରରେ ମର୍ମାହତ ଓ ବ୍ୟସ୍ତବିବ୍ରତ ସଂଯୁକ୍ତାଙ୍କ ନଜର ଫୋନ୍‌ ଆଡ଼କୁ ଯାଇ ନଥିଲା । ଏଣୁ କଲ୍‌ଟି ରିସିଭ୍‌ କରିପାରି ନଥିଲେ ସେ । ପ୍ରାୟ ୨ ଦିନ ପରେ ବାପା ସୁରେନ୍ଦ୍ରନାଥ ମହାନ୍ତି ଓ ସଂଯୁକ୍ତା ଯେତେବେଳେ ଜୋରହାଟ୍‌ ବାୟୁସେନା ଷ୍ଟେସନ୍‌ରେ ପହଞ୍ଚିଥିଲେ ସେହି ଦିନ ଫୋନ୍‌ ଦେଖୁ ଦେଖୁ ମିସ୍‌ କଲ୍‌ଟି ନଜରରେ ପଡ଼ିଥିଲା । ତୁରନ୍ତ ଉକ୍ତ ନମ୍ବର ବାବଦରେ ବାୟୁ ସେନା ଅଧିକାରୀଙ୍କୁ ଜଣାଇବା ପରେ ସେମାନେ ଏହା ଏୟାର୍‌ ଫୋର୍ସର ସାଟେଲାଇଟ୍‌ ଫୋନ୍‌ ନମ୍ବର ବୋଲି କହିଥିଲେ । ଉକ୍ତ ନମ୍ବରକୁ ଟ୍ରେସ୍‌ଆଉଟ୍‌ କରିବା ସହ ବ୍ୟାପକ ତଲାସୀ ପରେ ୨୦ ହଜାର ଫୁଟରୁ ଊଦ୍ଧ୍ୱର୍ ଉଚ୍ଚ ପାହାଡ଼ ଶୀର୍ଷରେ ବିମାନର ଭଗ୍ନାବଶେଷ ମିଳିଥିଲା । ଏହି ଘଟଣା ଏବେ ସୁନିତଙ୍କ ପରିବାରକୁ ଆହୁରି କଷ୍ଟ ଦେଉଛି । ଉକ୍ତ କଲ୍‌ଟି ହୁଏତ ସୁନିତଙ୍କର ହୋଇଥାଇପାରେ ବୋଲି ସେମାନେ ଭାବୁଛନ୍ତି । ମୃତ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ୍‌ ସୁନିତ ମହାନ୍ତିଙ୍କ ଅଜା ଇଂ ସ୍ୱାଇଁ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଯେ- ବାୟୁସେନା ପୁରୁଣା ପୋକଡ଼ା ବିମାନ ବ୍ୟବହାର କରୁଛି । ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନି । ନିଖୋଜ ଫ୍ଲାଇଟ୍‌ ଖୋଜିବାରେ ଅହେତୁକ ବିଳମ୍ବ ହୋଇଗଲା । ଦୁର୍ଗମ ଅଞ୍ଚଳକୁ ଏମିତି ବିମାନ ପଠାଇବା ଅନୁଚିତ ବୋଲି କାନ୍ଦି କାନ୍ଦି କହିଥିଲେ ହରିବନ୍ଧୁ ସ୍ୱାଇଁ ।

ସୁନିତଙ୍କ ଅଜା ଆହୁରି କହିଥିଲେ ଯେ- ଉକ୍ତ ଦିନ ଫ୍ଲାଇଟ୍‌ ଚାର୍ଟରେ ସୁନିତଙ୍କ ନାମ ନଥିଲା । ବିମାନରେ ଆଉ ଜଣେ ପାଇଲଟ୍‌ ଯିବାର ଥିଲା । କିନ୍ତୁ ସେ ଆସିବାରେ ବିଳମ୍ବ ହେବାରୁ ପଦାଧିକାରୀଙ୍କ ତତ୍କାଳୀନ ନିର୍ଦ୍ଦେଶ ମାନି ସୁନିତ ଉକ୍ତ ବିମାନରେ ଯାଇଥିଲେ । ପ୍ରତିରକ୍ଷା ବିଭାଗରେ ନିର୍ଦ୍ଦେଶ ମାନିବା ବଡ଼ କଥା । ତାହାକୁ ହିଁ ନିଷ୍ଠାପର ଭାବେ ପାଳନ କରିଥିଲେ ସୁନିତ । ଆଉ ଆଜି ଏ ଦୁଃଖଦ ଖବର ଶୁଣିବାକୁ ମିଳୁଛି ।