ଭୁବନେଶ୍ଵର, ୧୮/୦୫ : ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ଟିମ୍ ପୁରା ଆକ୍ଟିଭ୍ ଅଛି । ଏହି ଘଟଣାରେ କାହାରିକୁ ବି ଛଡ଼ା ଯିବନି।ସମସ୍ତଙ୍କୁ ଗିରଫ କରାଯିବ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ସୌମ୍ୟଙ୍କ ମାଆ ନିଶ୍ଚିତ ନ୍ୟାୟ ପାଇବେ । କ୍ରାଇମବ୍ରାଞ୍ଚ SPଙ୍କ ନତୃତ୍ବରେ ଏବଂ DIGଙ୍କ ତତ୍ତ୍ବାବଧାନରେ ମାମଲାର ଅନୁଧ୍ୟାନ କରାଯାଉଛି । ଏପର୍ଯ୍ୟନ୍ତ ଏହି ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମେ’ ୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ଵାଇଁ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେ ଲୋକମାନେ ସୌମ୍ୟ ରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁ ମିଶାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ବାକି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନେ ବନ୍ଧା ହେବେ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Russia Ukraine war : ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଡ୍ରୋନ୍ ମାଡ଼ରେ ଚାଲିଗଲା ଜୀବନ