ରଥଯାତ୍ରାର ସିଧା ପ୍ରସାରଣକୁ ଗ୍ରୀନ୍ ସିଗନାଲ୍

source;odishasuntimes.com
ପୁରୀ ୧୧/୬: ରଥଯାତ୍ରାର ସିଧା ପ୍ରସାରଣକୁ ଗ୍ରୀନ୍ ସିଗନାଲ୍ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସବୁ ଚ୍ୟାନେଲ୍ ରଥାଯାତ୍ରାର ସିଧା ପ୍ରସାରଣ କରିପାରିବେ । ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ଚାରିଆଡ଼ୁ ବିରୋଧ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ଏଥର ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲ ସିଧାପ୍ରସାରଣ କରିପାରିବେ। କୌଣସି ଚ୍ୟାନେଲ ରଥଯାତ୍ରା ପ୍ରସାରଣରୁ ବାଦ୍ ପଡ଼ିବେ ନାହିଁ। ତେବେ ଏଥିପାଇଁ ଚ୍ୟାନେଲମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ ପଡିବ। ରଥଯାତ୍ରା ସିଧାପ୍ରସାରଣ ବିଡିଂ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ତେବେ ଟିଭିରେ ରଥଯାତ୍ରା ଲାଇଭ୍ ପାଇଁ ପ୍ରଶାସନର ବିଡିଂ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ପୁରୀର ଆଇନଜୀବୀ ପ୍ରସନ୍ନ କୁମାର ଦାଶ ଏହି ମାମଲା ଦାଏର କରିଛନ୍ତି। ବିଡିଂ ପ୍ରକ୍ରିୟା ଶ୍ରୀମନ୍ଦିର ଆଇନର ଉଲ୍ଲଂଘନ କରୁଥିବାରୁ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଏଥିରେ ଆବେଦନ କରାଯାଇଛି। ତେବେ ରତଯାତ୍ରା ବ୍ଯତୀତ ଅନ୍ଯ କିଛି ପ୍ରସଙ୍ଗରେ ମଧ୍ଯ ବୈଠକରେ ଆଲୋଚନା ହୋଇଛି । ବାତ୍ୟା ‘ଫୋନି’ରେ ନୀଳଚକ୍ରର କୌଣସି କ୍ଷତି ହୋଇନି । ଅନ୍ଯପଟେ ୧୬ ତାରିଖରେ ସିଂହଦ୍ୱାରରେ ଜୟବିଜୟ ମୂର୍ତ୍ତି ଲାଗିବ ବୋଲି ସୂଚନା ମିଳିଛି ।