ମୁମ୍ବାଇ ୨୯/୦୧: ଫେବ୍ରୁଆରୀ ମାସରେ ରିଲିଜ ହେବାକୁ ଯାଉଛି ଏକାଧିକ ଦମ୍‌ଦାର ହିନ୍ଦୀ ଫିଲ୍ମ । ଏହି ତାଲିକାରେ ରହିଛି ‘ଛାବା’ଠୁ ଆରମ୍ଭ କରି ‘ବ୍ୟାଡଏସ୍‌ ରବି କୁମାର’ ପର୍ଯ୍ୟନ୍ତ, ଯାହା ସିନେପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । 

ଲଭୟାପ୍ପା :

ଜୁନୈଦ ଖାନ ଓ ଖୁସୀ କପୁର ଅଭିନୀତ ‘ଲଭୟାପ୍ପା’ ମୁକ୍ତିଲାଭ କରିବ ଫେବ୍ରୁଆରୀ ୭ ତାରିଖରେ । ଜୁନୈଦ ଓ ଖୁସି ବର୍ତ୍ତମାନ ଏହି ଫିଲ୍ମର ପ୍ରମୋସନ ପାଇଁ ଖୁବ୍‌ ପରିଶ୍ରମ କରୁଛନ୍ତି । ପରସ୍ପର ମଧ୍ୟରେ ମୋବାଇଲ୍‌ ଅଦଳ ବଦଳ କରିବା ପରେ ଏକ ଦମ୍ପତି କିଭଳି ଜଣେ ଅନ୍ୟ ଜଣକ ସମ୍ପର୍କରେ ତିକ୍ତ ଅଭିଜ୍ଞତା ହାସଲ କରୁଛନ୍ତି ସେଇ କାହାଣୀ ସ୍ଥାନିତ ହୋଇଛି ଏ ଫିଲ୍ମରେ ।

ବ୍ୟାଡ୍‌ଏସ୍‌ ରବି କୁମାର :

ହିମେଶ ରେଶମିୟା ଓ ପ୍ରଭୁଦେବାଙ୍କ ଫିଲ୍ମ ‘ବ୍ୟାଡ୍‌ଏସ୍‌ ରବି କୁମାର’ ମଧ୍ୟ ସିନେମାଘରକୁ ଆସିବ ଫେବ୍ରୁଆରୀ ୭ରେ । ଏ ଫିଲ୍ମରେ ହିମେଶଙ୍କ ଜବରଦସ୍ତ ଲୁକ୍‌ ଦେଖିବେ ଦର୍ଶକ । ‘ଲଭ୍‌ୟାପ୍ପା’ ସହ ଏ ଫିଲ୍ମର ବକ୍ସ ଅଫିସ୍‌ ଲଢ଼େଇ ଖୁବ୍‌ ଜମିବାକୁ ଯାଉଛି । ବକ୍ସ ଅଫିସ୍‌ରେ କେଉଁ ଫିଲ୍ମ ବାଜି ମାରିବ ତାହା ଦେଖିବା ବାକି ରହିଲା ।

ଛାବା :

ଫେବ୍ରୁଆରୀ ୧୪ ତାରିଖରେ ମୁକ୍ତିଲାଭ କରିବ ‘ଛାବା’ । ଏହା ଛତ୍ରପତି ଶିବାଜୀଙ୍କ ପୁତ୍ର ଶମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ, ଯେଉଁଥିରେ ଅଭିନୟ କରିଛନ୍ତି ବିକ୍କି କୌଶଲ । ଶମ୍ଭାଜୀଙ୍କ ପତ୍ନୀ ଚରିତ୍ରରେ ଅଛନ୍ତି ରଶ୍ମିକା ମନ୍ଦାନା । ଆଶୁତୋଷ ରାଣା ଓ ଦିବ୍ୟା ଦତ୍ତା ମଧ୍ୟ ଏଥିରେ ଦେଖିବାକୁ ମିଳିବେ । 

ମେରେ ହଜ୍‌ବ୍ୟାଣ୍ଡ କି ବିବି :

ଏହି ରୋମାନ୍ସ-କମେଡି-ଡ୍ରାମା ଫିଲ୍ମରେ ଅଭିନୟ କରିଛନ୍ତି ଅର୍ଜୁନ କପୁର, ଭୂମି ପେଦନେକର ଓ ରକୁଲ ପ୍ରୀତ ସିଂହ । ଫେବ୍ରୁଆରୀ ୨୧ ତାରିଖରେ ଏହି ଫିଲ୍ମଟି ଆସିବ ପ୍ରେକ୍ଷାଳୟକୁ । ମୁଦସ୍‌ର ଅଜିଜ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ନିର୍ମାଣ କରିଛନ୍ତି ବାସୁ ଭଗନାନୀ । 

ସାକୋ ୩୬୩ :

‘ସାକୋ ୩୬୩’ ୩୦୦ ବର୍ଷ ତଳର ସତ୍ୟ ଘଟଣା ଉପରେ ଆଧାରିତ । ରାଜସ୍ଥାନର ରାଜା ଅଭୟ ସିଂହ ନିଜର ପୁଷ୍ପ ନଅର ତୋଳାଇବା ପାଇଁ ପ୍ରଚୁର ପରିମାଣର କାଠ ଆବଶ୍ୟକ କରୁଥିଲେ । କିନ୍ତୁ ରାଜସ୍ଥାନ ଭଳି ମରୁଭୂମି ଅଞ୍ଚଳରେ ଏତେ ପରିମାଣର ଗଛ ମିଳିବା କଷ୍ଟକର ଥିଲା । ତେଣୁ ସେ ବିଷ୍ଣୋଇ ଗ୍ରାମଗୁଡ଼ିକ ଉପରେ ଆଖି ପକାଇଥିଲେ । ବିଷ୍ଣୋଇ ସମାଜ ଏ ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲା ଓ ୩୦୦ ମହିଳା ବୃକ୍ଷ ବଞ୍ଚାଇବାକୁ ବଳିଦାନ ଦେଇଥିଲେ । ସେହି କାହାଣୀ ଏ ଫିଲ୍ମର ମୁଖ୍ୟ କଥାବସ୍ତୁ । ୨୮ ତାରିଖରେ ରିଲିଜ ହେବ ଏହି ଫିଲ୍ମ । 

ଇନ ଗଲିୟୋଁ ମେ :

ଜାଭେଦ ଜାଫ୍‌ରି, ବିବାନ ଶାହ ଓ ଅବନ୍ତୀକା ଦାସାନୀଙ୍କ ଫିଲ୍ମ ‘ଇନ୍‌ ଗଲିୟୋଁ ମେ’ ରିଲିଜ ହେବ ୨୮ ତାରିଖରେ । ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ଦାସ । ଏହି କମେଡି ଡ୍ରାମା ଫିଲ୍ମ ଆଜିକାଲିର ଡିଜିଟାଲ ଯୁଗ ଉପରେ ଆଧାରିତ । ଫିଲ୍ମର ପ୍ରଯୋଜନା କରିଛନ୍ତି ବିନୋଦ ଯାତବ ଓ ନୀରୁ ଯାଦବ ।