ଭୁବନେଶ୍ୱର,୦୭/୧୨: ବାର୍‌ରେ ଝିଅଙ୍କ ଉପରେ ଉଡାଇଲେ ଟଙ୍କା । ମଦ ପିଇ ଉତ୍ପାତ ହେଲେ କିଛି ଯୁବକ। ଆସିଥିବା କଷ୍ଟମରଙ୍କ ରୋକିଲେ ରାସ୍ତା। ବୁଝାଇବାକୁ ଆସିଥିବା ବାଉନ୍ସର ଏବଂ ପିଶିଆର୍ କର୍ମଚାରୀଙ୍କ ସହ କଲେ ମାରପିଟ ଓ ଧସ୍ତାଧସ୍ତି । ଗଣ୍ଡଗୋଳରେ ସାମିଲ ଚାରି ଯୁବକଙ୍କୁ ଅଟକ ରଖିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଭୁବନେଶ୍ୱର ସ୍ଥିତ ଏମ୍ୱାସି ବାର୍‌ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବାର୍‌ରେ ଝିଅଙ୍କ ଉପରେ ଟଙ୍କା ଉଡାଇବା ଉପରେ ରୋକ୍‌ ଲଗାଯାଇଥିବା ସତ୍ତ୍ୱେ ଏମ୍ୱାସି ବାର୍‌ରେ କିଛି ଯୁବକ ଏହାକୁ ଉଲଙ୍ଘନ କରିଥିଲେ । ମଦ ପିଇ ଝିଅଙ୍କ ଉପରେ ଟଙ୍କା ଉଡାଇବା ସହ ଉତ୍ପାତ ହୋଇଥିଲେ । ଆସିଥିବା କଷ୍ଟମରଙ୍କ ରାସ୍ତା ରୋକି ସେମାନଙ୍କୁ ମଧ୍ୟ ହଇରାଣ କରିଥିଲେ । ଏନେଇ ବାର୍‌ର କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚିଥିଲା । ହେଲେ ବୁଝାଇବାକୁ ଆସିଥିବା ପିସିଆର୍‌ କର୍ମଚାରୀ ଏବଂ ବାର୍‌ର ବାଉନ୍ସରଙ୍କ ସହ ମଧ୍ୟ ମାରପିଟ କରିଥିଲେ ଏହି ଯୁବକ । ଏହି ସମସ୍ତ ଘଟଣାର ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ଯାହା ଆଧାରରେ ଚନ୍ଦ୍ରଶେଖପୁର ପୋଲିସ ୪ ଜଣ ଯୁବକଙ୍କୁ ଅଟକ ରଖିଛି । ସେପଟେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ବାର୍ ଚାଲିଥିବାରୁ ଏମ୍ବାସି ବାର୍‌ରେ ତାଲା ପକାଇଲେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ । ବାର୍‌ରେ ତାଲା ପକାଇ ସମସ୍ତ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚାଲିଛି ।