ଝାରସୁଗୁଡ଼ା, ୧୮।୫: ଝାରସୁଗୁଡ଼ା ଜିଲ୍ଲା ବାଗଡିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଅବହେଳାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଯାହା ପରେ ପୂର୍ବତନ ବିଧାୟିକା ଦୀପାଳି ଦାସ ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚିଛନ୍ତି l ମୃତ ବ୍ୟକ୍ତି ଜଣକ ବାଗଡିହି ଷ୍ଟେସନପଡ଼ାର କହ୍ନେଇ ମହାନନ୍ଦିଆ ବୋଲି ଜାଣପଡ଼ିଛି l କହ୍ନେଇଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ ରବିବାର ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ଦୀପାଳି ଦାସ l ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ସରକାର କ୍ଷତିପୂରଣ ଦେବାସହ ଏହି ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ଅଧିକାଂଶ ସମୟରେ ଚିକିତ୍ସା ଅବହେଳା ଭଳି ମାମଲା ଦେଖିବାକୁ ମିଳୁଛି l ଫଳରେ ନିରୀହ ଜନସାଧାରଣଙ୍କ ଜୀବନ ଯାଉଛି l ଏପରି ଅବହେଳା କରି ନିରୀହ ବ୍ୟକ୍ତିଙ୍କ ଜୀବନ ସହ ଖେଳିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଦୀପାଳି l ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ସରକାର ଏପରି ଅବହେଳା ଜନିତ ମୃତ୍ୟୁର ଜବାବ ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି l
ସୂଚନା ଅନୁଯାୟୀ, କହ୍ନେଇଙ୍କ ଗୋଡ଼ରେ ଘା’ ହୋଇଥିବାରୁ ଡ୍ରେସିଂ କରିବା ଲାଗି ବାଗଡିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ l ସେଠାରେ ଡାକ୍ତର ତାଙ୍କୁ ଇଞ୍ଜେକସନ ଦେବା ପରେ କିଛି ସମୟ ମଧ୍ୟରେ କହ୍ନେଇଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ଶବକୁ ଅଟକାଇ ରଖିବା ସହ ଚିକିତ୍ସାର ସଠିକ୍ ତଦନ୍ତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ l ଘଟଣାସ୍ଥଳରେ ଲାଇକେରା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା l ସ୍ଥାନୀୟ ଲୋକଙ୍କ ସହ ସୁଶ୍ରୀ ଦିପାଳୀ ଦାସଙ୍କ ସମେତ ପିଣ୍ଟୁ ପାଢ଼ୀ, ଜଗନ୍ନାଥ ଜେନା, ନକୁଳ ସାହୁ, ମାନସ ସାହୁ ଏବଂ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।