ଜାଣନ୍ତୁ କେତେ ହାନିକାରକ ଆଲୁମିନିୟମ୍ ଫଏଲ୍, ଏହା ଅତ୍ୟଧିକ ବ୍ୟବହାର ଦ୍ୱାରା ଶରୀର ଉପରେ କ’ଣ ପଡେ ପ୍ରଭାବ…

ନୂଆଦିଲ୍ଲୀ ୦୯/୧୨: ଆଜିକାଲି ଅଫିସ୍ ବା ସ୍କୁଲ ଯିବା ସମୟରେ ଖାଦ୍ୟ ପ୍ୟାକ୍ କରିବା ପାଇଁ ଟିଫିନ୍ ପରିବର୍ତ୍ତେ ପ୍ରାୟ ଘରେ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହେଁ, ବଜାରରୁ କୌଣସି ଖାଦ୍ୟ ଆଣିଲେ ମଧ୍ୟ ତାହା ଆଲୁମିନିୟମ୍ ଫଏଲ୍ରେ ପ୍ୟାକ୍ ହୋଇଥାଏ । ଏହାର ବହୁଳ ବ୍ୟବହାରର ମୁଖ୍ୟ କାରଣ ହେଉଛି ଅଧିକ ସମୟ ଯାଏ ଖାଦ୍ୟ ଗରମ ରହିବା ସହ ତାଜା ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି? ଏହାର ବହୁଳ ବ୍ୟବହାର ଶରୀର ପାଇଁ କେତେ କ୍ଷତିକାରକ ।
ଶରୀରକୁ କେତେ କ୍ଷତି ପହଞ୍ଚାଏ
ଲୋକମାନେ ଖାଦ୍ୟକୁ ଗରମ ରଖିବା ପାଇଁ ଆଲୁମିନିୟମ୍ ଫଏଲ୍ର ବ୍ୟବହାର କରିଥାନ୍ତି । ଫଏଲ୍ରେ ଗରମ ଖାଦ୍ୟ ପ୍ୟାକ୍ କରିବା ଦ୍ୱାରା ଏହା କ୍ରମଶଃ ତରଳିବାରେ ଲାଗିଥାଏ । ଆଉ ତାହା ଖାଦ୍ୟରେ ହିଁ ମିଶିଥାଏ । ପରେ ଖାଦ୍ୟ ମାଧ୍ୟମରେ ଆମ ଶରୀରକୁ ଯାଇ ବିଭିନ୍ନ କ୍ଷତି ପହଞ୍ଚାଇଥାଏ । ଚାଲନ୍ତୁ ଜାଣିବା ଆଲୁମିନିୟମ୍ ଫଏଲ୍ ଦ୍ୱାରା ହେଉଥିବା କ୍ଷତି ଓ ବିଭିନ୍ନ ରୋଗ ବିଷୟରେ…
- ଗରମ ଖାଦ୍ୟ ଆଲୁମିନିୟମ୍ ଫଏଲ୍ ପ୍ୟାକ୍ କରିବା ଦ୍ୱାରା ବ୍ୟକ୍ତିଠାରେ ଡିମେନ୍ସିଆ ପରି ସମସ୍ୟା ଦେଖା ଦେବାର ଆଶଙ୍କା ବଢିଥାଏ।
- ସବୁବେଳେ ଫଏଲ୍ ପ୍ୟାକ୍ ଖାଦ୍ୟ ଖାଇବା ଦ୍ୱାରା ଆଲଝାଇମର୍ର ଶିକାର ହୋଇପାରନ୍ତି । ଏହି ରୋଗ ହେବା ଦ୍ୱାରା ବ୍ୟକ୍ତି ପ୍ରାୟ ଜିନିଷକୁ ଭୁଲଯାଇିଥାଏ।
- ସେହିପରି ଲଗାତାର ଫଏଲ୍ ପ୍ୟାକ୍ ଖାଦ୍ୟ ଖାଇବା ଦ୍ୱାରା ପୁରୁଷଙ୍କର ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଇଥାଏ । ନିୟମିତ ଏପରି ଖାଦ୍ୟ ଖାଇବା ଦ୍ୱାରା ହାଡ଼ର ଉପଯୁକ୍ତ ବିକାଶ ହୋଇନଥାଏ । ଏହାବ୍ୟତୀତ କିଡ୍ନୀ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ ।
- ଫଏଲ୍ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୂକ୍ଷ୍ମ ଜୀବ ବଢିବାକୁ ସୁଯୋଗ ମିଳିଥାଏ । ଫଳରେ ଖାଦ୍ୟରେ ସଂକ୍ରାମକ ଜୀବଙ୍କ ବିକାଶ ହୋଇଥାଏ।
- ସବୁବେଳେ ଫଏଲ୍ ପ୍ୟାକ୍ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାନିକାରକ ତତ୍ତ୍ୱ ଏକାଠି ହୋଇ କ୍ରମଶଃ ଆସ୍ଥମା, ଲିଭର୍ ସମସ୍ୟା ଓ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଚାଲେ ।
ଫଏଲ୍ର ବିକଳ୍ପ
ଖାଦ୍ୟକୁ ଗରମ ଓ ତାଜା ରଖିବା ପାଇଁ ଆଲୁମିନିୟମ୍ ଫଏଲ୍ ପରିବର୍ତ୍ତେ ଟାଇଟ୍ ଏୟାର କଣ୍ଟେନର୍ ବ୍ୟବହାର କରିପାରିବେ । ସେହିପରି କାଚ କଣ୍ଟେନର ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଖାଦ୍ୟ ଗରମ ରହିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସୁରକ୍ଷିତ।