ଭୁବନେଶ୍ୱର,୨୧/୧୧: କ୍ୟାପିଟାଲ୍ ହସ୍ପିଟାଲ୍ରେ ଘରୋଇ ଆମ୍ବୁଲାନ୍ସ ଚାଳକ ଏବେ ଲୋକଙ୍କୁ ଶୋଷଣ କରୁଛନ୍ତି । ମନଇଚ୍ଛା ଦର କଷୁଛନ୍ତି । ଯିଏ ଏହାକୁ ବିରୋଧ କଲା ତାଙ୍କୁ ଖରାପ ବ୍ୟବହାର କରୁଛନ୍ତି । ଏପରିକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ବି ପଛାଉ ନାହାନ୍ତି । ଯାହାକୁ ନେଇ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ସମୟ ପାଖାପାଖି ରାତି ୧୧ଟା ହେବ । କ୍ୟାପିଟାଲ୍ ହସ୍ପିଟାଲ୍ର ଜରୁରିକାଳୀନ ସେବା ବିଭାଗ ସମ୍ମୁଖରେ ଦୁର୍ଘଟଣାରେ ଆହତ ହୋଇ ଅସ୍ତରଙ୍ଗ ଅଞ୍ଚଳର ସତ୍ୟବ୍ରତ ରଥ ଓ ରଶ୍ଚିରଞ୍ଜନ ରଥ ପହଞ୍ଚିଲେ । ଦୁର୍ଘଟଣାରେ ଗୁରୁତର ଆହତ ଥିବା ଶଳାଙ୍କ ଉତ୍ତମ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲ୍ ସ୍ଥାନାନ୍ତର କରିବାକୁ ମନସ୍ଥ ତାଙ୍କ ସମ୍ପର୍କୀୟ କରିଥିଲେ । ଏଥିପାଇଁ ଜରୁରିକାଳୀନ ସେବା ବିଭାଗ ସମ୍ମୁଖରେ ଉଦ୍ଦିଷ୍ଟ ଥିବା ଘରୋଇ ଆମ୍ବୁଲାନ୍ସ ନମ୍ବରକୁ କଲ୍ କଲେ । ଏହାର ମାତ୍ର କେଇ ମିନିଟ୍ ଭିତରେ ପହଞ୍ଚିଲା ଆମ୍ବୁଲାନ୍ସ । ଚାଳକ ଜଣଙ୍କ ଗାଡ଼ି ଭିତରୁ ରହି ଉଚ୍ଚ ସ୍ୱରରେ ପଚାରିଲେ କେଉଁଠିକୁ ଯିବେ? ଆହତଙ୍କ ଶଳା କହିଲେ ଏକ ଘରୋଇ ଡାକ୍ତରଖାନା ଯିବାକୁ କହିଥିଲେ । ଯାହାକି କ୍ୟାପିଟାଲ୍ ହସ୍ପିଟାଲ୍ ଠାରୁ ୫/୬ କିଲୋମିଟର ଦୂର । ଆମ୍ବୁଲାନ୍ସ ଚାଳକଙ୍କୁ ଆହତଙ୍କ ସମ୍ପର୍କୀୟ ଭଡ଼ା ବାବଦରେ ପଚାରିବାରୁ ସେ ସାଧାରଣ ଭଡ଼ାଠାରୁ ୩ଗୁଣା ଅଧିକ ଦର କଷିଥିଲେ । ଏମିତି ବାଟକୁ ଯେଉଁଠି ଅନ୍ୟ ଆମ୍ବୁଲାନ୍ସ ୬ଶହରୁ ୭ଶହ ଟଙ୍କା ନେଉଥିବା ବେଳେ ସେ କିନ୍ତୁ ୧୮ଶହ ଟଙ୍କା କହିଥିଲେ । ଏହି ଚଢ଼ା ଭାଉ ଶୁଣିବା ପରେ ସମ୍ପର୍କୀୟ କିଛି ସମୟ ପାଇଁ ତାଟକା ହୋଇ ଯାଇଥିଲେ । ଏତେ ଟଙ୍କା କ'ଣ ପାଇଁ ବୋଲି ପଚାରି ଥିଲେ । ହେଲେ ଆମ୍ବୁଲାନ୍ସ ଚାଳକଙ୍କ ଉତ୍ତର ଥିଲା ଭିନ୍ନ ଅନ୍ଦାଜର । ସିଧା ସିଧା କହିଥିଲେ, ଭଡ଼ା ଏତିକି ଫାଇନାଲ୍ । ଏଥିରୁ କିଛି କମିବନି । ଏହା ଶୁଣିବା ପରେ ସମ୍ପର୍କୀୟ ତାଙ୍କୁ ଯିବାକୁ ମନା କରିଥିଲେ ।
କିଛି ସମୟ ପରେ ବାହାରୁ ଅନ୍ୟ ଏକ ଘରୋଇ ଆମ୍ବୁଲାନ୍ସ ଡକାଇ ଥିଲେ । ହେଲେ ଏହି ଆମ୍ବୁଲାନ୍ସ ଚାଳକ ଜଣଙ୍କ ତାଙ୍କୁ ଭିତରେ ପ୍ରବେଶ କରିବାକୁ ଦେଇ ନଥିଲେ । ଧମକ ଦେବା ସହିତ ନାଲି ଆଖି ଦେଖାଇ ଥିଲେ । ସମ୍ପର୍କୀୟ ବହୁ କଷ୍ଟରେ ତାଙ୍କୁ ବୁଝାସୁଝା କରିବା ପରେ ବାଧ୍ୟ ଦୁଇଟି ଆମ୍ବୁଲାନ୍ସ କରି ଦୁଇ ଜଣଙ୍କୁ ଘରୋଇ ହସ୍ପିଟାଲକୁ ନେଇଥିଲେ । ଏହି ଦୁଇଟି ଆମ୍ବୁଲାନ୍ସ ପାଇଁ ୩୬ଶହ ଟଙ୍କା ଦେଇଥିଲେ । ଏହାପରେ ବି ଆମ୍ବୁଲାନ୍ସ କର୍ମଚାରୀଙ୍କ ଜାତନା ସରି ନଥିଲା । ଘରୋଇ ହସ୍ପିଟାଲ ସମ୍ମୁଖରେ ଅଧିକ ୨୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ଅଧିକ ୨ଶହ ଟଙ୍କା ନେଇଥିଲେ ।
ଏହି ଘଟଣା କେବଳ ସତ୍ୟବ୍ରତ ଓ ରଶ୍ଚି ରଞ୍ଜନଙ୍କ ସାଙ୍ଗରେ ଘଟିନି । ପ୍ରତିଦିନ ଏମିତି କିଛି ଲୋକ ଶୋଷଣର ଶିକାର ହେଉଛନ୍ତି । ହଇରାଣ ହରକତ ହୋଇ ଚଢ଼ା ଦରରେ ଘରୋଇ ଆମ୍ବୁଲାନ୍ସ ନେଉଛନ୍ତି । ପୁଲିସ୍ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଛନ୍ତି । ଆଉ ଘରୋଇ ଆମ୍ବୁଲାନ୍ସ ସଂଘ ପକ୍ଷରୁ କିଲୋ ମିଟର ପିଛା କେତେ ଭଡ଼ା ରହିବା କଥା ଏକ ରେଟ୍ ଚାଟ୍ ମାରିବା ଉପରେ ଦାବି ହୋଇଛି । ଏନେଇ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି, ଯଦି କିଏ ଏଭଳି କରୁଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରନ୍ତୁ ।