ରାଉରକେଲା, ୦୯/୦୧ : ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଗାଡ଼ି ଚାଳକଙ୍କ ମୁଣ୍ଡରେ ଚଡ଼କ। ବୈଧ ପ୍ରମାଣପତ୍ର ନ ଥିଲେ ୧୦ ହଜାର, ଇନ୍ସ୍ୟୁରାନ୍ସ ବିନା ଗାଡ଼ି ଚାଲୁଥିଲେ ୨ରୁ ୪ ହଜାର ଏବଂ ଫିଟନେସ୍ ପ୍ରମାଣପତ୍ର ନ ଥିଲେ ୨ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ । ହେଲେ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ । ସରକାରୀ ଗାଡ଼ି, ଆମ୍ବୁଲାନ୍ସ ପାଇଁ ସବୁ ମାଫ୍ । ରାଉରକେଲାରେ ଦେଖିବାକୁ ମିଳିଛି ସରକାରୀ ଗାଡ଼ିଗୁଡ଼ିକର ଏଭଳି ବିକଳ ଚିତ୍ର । ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ଅସମ୍ଭାଳ ଭିଡ଼ । ଘଣ୍ଟା ଘଣ୍ଟା ଲାଇନ୍ରେ ଛିଡ଼ା ହେଉଛନ୍ତି ଗାଡ଼ିମାଲିକ । ମୋବାଇଲ ଫୋନ୍ ନମ୍ବର ଅପ୍ଡେଟ୍ କରିବାକୁ ପରିବହନ କାର୍ଯ୍ୟାଳୟରେ ଦିନ ଦିନ ବିତିଯାଉଛି । ବିନା ପ୍ରମାଣପତ୍ରରେ ଘରୁ ଗାଡ଼ି ବାହାର କଲେ ଶହ ଶହ ଟଙ୍କାର ଚାଲାଣ କଟୁଛି । ମୋବାଇଲକୁ ମେସେଜ୍ ଆସିବା ପରେ ଅକଲଗୁଡୁମ୍ ହୋଇଯାଉଛି । ହେଲେ ସମସ୍ତ ନିୟମକୁ ନେଇ ସରକାରୀ ଗାଡ଼ି ବେଫିକର । ସ୍ୱାସ୍ଥ୍ୟ ବିଭାଗରେ ନିୟୋଜିତ ଗାଡ଼ିଗୁଡ଼ିକୁ ଦେଖିଲେ ଏହା ସହଜରେ ଅନୁମେୟ ।

ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ପରିସରରେ ଥିବା ଆମ୍ବୁଲାନ୍ସ ନମ୍ବର ପରିବହନ ବିଭାଗର ଆପ୍‌ ରେ ଯାଞ୍ଚ କଲେ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସୁଛି । କେଉଁ ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍ ତ ଆଉ କାହାର ଇନସୁରାନ୍ସ ନାହିଁ । ଅନେକ ଗାଡ଼ି ଅଦ୍ୟାବଧି ବିନା ପ୍ରଦୂଷଣ ସାର୍ଟିଫିକେଟ୍ ରେ ଗଡୁଛି । ଆରଜିଏଚ୍ ରେ ନିୟୋଜିତ ଆମ୍ବୁଲାନ୍ସ (ଓଡ଼ି ୦୨ ସିପି ୯୫୦୧) ର ଫିଟ୍ନେସ୍ ପ୍ରମାଣପତ୍ର ୨୦୨୫ ଡିସେମ୍ବର ୩୧ରୁ ସରିଯାଇଛି । ୨୦୨୪ ଡିସେମ୍ବର ୧୭ରୁ ଇନ୍ସ୍ୟୁରାନ୍ସ ଏବଂ ୨୦୨୪ ଡିସେମ୍ବର ୩୧ରୁ ବୈଧ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ସେହିପରି ଆରଜିଏଚ୍ ରକ୍ତ ଭଣ୍ଡାରରେ ନିୟୋଜିତ ଗାଡ଼ି (ଓଡ଼ି ୧୪ୟୁ ୮୧୭୩)ର ପ୍ରଦୂଷଣ ସାର୍ଟିଫିକେଟ୍ ଅବଧି ୨୦୨୫ ମାର୍ଚ୍ଚ ୧୭ରୁ ଶେଷ ହୋଇଯାଇଛି । ଆରଜିଏଚ୍ ପରିସରରେ ପାର୍କିଂ ହୋଇଥିବା ଦୁଇଟି ୧୦୮ ଆମ୍ବୁଲାନ୍ସ (ଓଡି ୦୨ ବିଜେ ୬୧୭୨) ମଧ୍ୟ ସମାନ ଅବସ୍ଥା । ଏହି ଆମ୍ବୁଲାନ୍ସ ବଣାଇଁ ଉପଖଣ୍ଡ ଡାକ୍ତରଖାନାରୁ ରୋଗୀଙ୍କୁ ନେଇ ଆରଜିଏଚ୍ ଆସିଥିଲା । ୨୦୨୫ ଅକ୍ଟୋବର ୧ରୁ ଏହାର ପ୍ରଦୂଷଣ ସାର୍ଟିଫିକେଟ୍ ଅବଧି ସରିଯାଇଛି ।

ସେହିପରି ଅନ୍ୟ ଏକ ଆମ୍ବୁଲାନ୍ସ (ଓଡ଼ି ୦୨ ବିଜେ ୦୮୪୪)ର ପ୍ରଦୂଷଣ ପ୍ରମାଣପତ୍ର ଅବଧି ୨୦୨୫ ଅକ୍ଟୋବର ୨ରୁ ଶେଷ ହୋଇଯାଇଛି । କେବଳ ସେତିକି ନୁହେଁ, ସମ୍ପୃକ୍ତ ଦୁଇ ଆମ୍ବୁଲାନ୍ସର ନମ୍ବର ପ୍ଲେଟ୍ ଲିଭିଗଲାଣି । ଆମ୍ବୁଲାନ୍ସର ପଛ ପାର୍ଶ୍ୱ କବାଟ ଠିକ୍ ଭାବେ ବନ୍ଦ ହେଉ ନ ଥିବାରୁ ସାଇକଲ ଟ୍ୟୁବ୍ ଓ ରଶିରେ ବନ୍ଧା ଯାଇଛି । ଯାହାକି ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ସବୁଠାରୁ ବଡ଼ କଥା, ଏହି ଦୁଇଟି ଆମ୍ବୁଲାନ୍ସ ଜାତୀୟ ରାଜପଥ ୧୪୩ସ୍ଥିତ ଦର୍ଜିଂରେ ଥିବା ଟୋଲଗେଟ୍ ଅତିକ୍ରମ କରି ଆସୁଛି । କିନ୍ତୁ ଆମ୍ବୁଲାନ୍ସ ଟ୍ୟାକ୍ସ ଫ୍ରି ଥିବାରୁ ଜରିମାନାରୁ ବର୍ତ୍ତିଯାଉଛି । କିନ୍ତୁ ପରିବହନ ବିଭାଗ ଅଧିକାରୀଙ୍କ ନଜରକୁ ଏଭଳି ବ୍ୟତିକ୍ରମ କିପରି ଆସୁନାହିଁ³ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ନେଇ ପରିବହନ ବିଭାଗର ଏମ୍ଭିଆଇ ମାନସ ପୃଷ୍ଟିଙ୍କୁ ପଚରା ଯିବାରୁ, ବର୍ତ୍ତମାନ ଆମ ଗୋଚରକୁ ଆସିଲା । ଏ ନେଇ ଆମେ ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କୁ ଚିଠି କରିବୁ ବୋଲି କହିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଦଦରା କୁଡ଼ିଆରେ ବେସାହାରା ଜୀବନ : ଭାଗ୍ୟକୁ ଆଦରି ପଡ଼ିଛନ୍ତି ଲକ୍ଷ୍ମୀ, ଆରପାରିରେ ସ୍ଵାମୀ ଓ ପୁଅ