ଡାକ୍ତରଖାନାରେ ମୃତ ଘୋଷଣା ହେବାର ୩ ଘଣ୍ଟା ପରେ ଶ୍ମଶାନରେ ଜିଇଁ ଉଠିଲେ ମହିଳା

ନୂଆଦିଲ୍ଲୀ: ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଡାକ୍ତରଖାନାରେ ମୃତ ଘୋଷଣା ହେବାର ତିନି ଘଣ୍ଟା ପରେ ଜଣେ ୮୨ ବର୍ଷୀୟା ମହିଳାଙ୍କୁ ଶ୍ମଶାନରେ ଜୀବନ୍ତ ଦେଖିବାକୁ ମିଳିଥିଲା । ଯେତେବେଳେ ବୃଦ୍ଧ ମହିଳା ଜଣକ ଶ୍ମଶାନରେ ନିଶ୍ୱାସ ନେବା ଆରମ୍ଭ କଲେ, ସେଠାରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇଯାଇଥିଲେ । ମହିଳା ଜଣକ ପ୍ରକୃତରେ ଜୀବିତ ଥିଲେ ।
ଏହି ଘଟଣାଟି ନ୍ୟୁୟର୍କରୁ ଆସିଛି । ଜଣେ ପୋଲିସ ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି ଯେ, ରାଜ୍ୟ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ଏହି ଘଟଣାର ତଦନ୍ତ କରିବ । ଗତ ଶନିବାର ସକାଳ ୧୧.୧୫ ସମୟରେ ପୋର୍ଟ ଜେଫରସନ ସ୍ଥିତ ୱାଟର ଏଜ୍ ରେହବ ଆଣ୍ଡ ନର୍ସିଂ ସେଣ୍ଟରରେ ମହିଳାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ତେବେ ମୃତ ଘୋଷଣା ହେବାର ୩ ଘଣ୍ଟା ପରେ ମହିଳାଙ୍କୁ ଜୀବନ୍ତ ମିଳିବାର ଏହି ଘଟଣା ଶୀଘ୍ର ଗଣମାଧ୍ୟମରେ ବ୍ୟାପି ଯାଇଥିଲା । ଏହାପୂର୍ବରୁ ଜାନୁୟାରୀ ମାସରେ ଜଣେ ୬୬ ବର୍ଷ ବୟସ୍କା ମହିଳାଙ୍କୁ ଆୟୋବାର ଏକ ଡାକ୍ତରଖାନାରେ ମୃତ ଘୋଷଣା କରାଯିବା ପରେ ଏକ ଶ୍ମଶାନରେ ସେ ଜୀବିତ ଥିବା ଜଣାପଡିଥିଲା ।