ଚୀନ୍ ଥିଙ୍କ୍ଟ୍ୟାଙ୍କ୍ର ଭବିଷ୍ୟବାଣୀ: ଆମେରିକା ହିଁ ଅର୍ଥନୈତିକ ମହାଶକ୍ତି

ବେଜିଂ,୧୨ା୨(ଏଜେନ୍ସି): ଆମେରିକା ବିଶ୍ୱର ଅର୍ଥନୈତିକ ମହାଶକ୍ତି ରହିଆସିଛି । ଆଗକୁ ମଧ୍ୟ ଏହି ମାନ୍ୟତା ବଜାୟ ରଖିବ ଆମେରିକା । ଏହାକୁ କେହି ମାତ୍ ଦେଇ ଆଗକୁ ଯାଇପାରିବେ ନାହିଁ । ଚୀନ୍ ଏହାକୁ ଅତିକ୍ର୍ରମ କରି ବିଶ୍ୱ ଅର୍ଥନୀତିର ଇଞ୍ଜିନ୍ ସାଜିବ ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ । ବରଂ ଆଗାମୀ ଦୁଇ ଦଶନ୍ଧି ଧରି ଚୀନ୍ ଅର୍ଥନୀତି ଉଧେଇବ ନାହିଁ ଏବଂ ବିଭିନ୍ନ ସମସ୍ୟା ଦେଇ ଏହା ଗତି କରିବ । ଚୀନ୍ର ସରକାରୀ ଥିଙ୍କ୍ଟ୍ୟାଙ୍କ୍ ଏଭଳି ଭବିଷ୍ୟବାଣୀ କରିଛି । ଡେଭଲପ୍ମେଣ୍ଟ ରିସର୍ଚ୍ଚ ସେଣ୍ଟର ଅଫ୍ ଦ ଷ୍ଟେଟ୍ କାଉନ୍ସିଲ୍ (ଡିଆର୍ସି) ଏହାର ରିପୋର୍ଟରେ ଦର୍ଶାଇଛି ଯେ ଆମେରିକା ଅର୍ଥନୀତିର ପ୍ରାଧାନ୍ୟ ୨୦୩୫ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ । ଏବେ ବି ଏହା ବିଶ୍ୱ ଅର୍ଥନୀତିର ଇଞ୍ଜିନ୍ ସାଜିଛି ଏବଂ ୨୦୩୫ ପର୍ଯ୍ୟନ୍ତ ଚୀନ୍ କିମ୍ବା ଅନ୍ୟ ଅର୍ଥନୀତି ଏହାକୁ ଅତିକ୍ରମ କରିପାରିବ ନାହିଁ । କିନ୍ତୁ ୨୦୩୫ ସୁଦ୍ଧା ଚୀନ୍ ମୌଳିକ ଭାବେ ଏକ ଅତ୍ୟାଧୁନିକ ରାଷ୍ଟ୍ର ପାଲଟିବ ବୋଲି ୨୦୧୭ ଅକ୍ଟୋବରରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଥିଲେ । ଜିନ୍ପିଙ୍ଗ୍ଙ୍କ ଏହି ସମ୍ଭାଷଣରେ ୨୦୩୫ ବେଳକୁ ଚୀନ୍ର ଅର୍ଥନୀତି କେଉଁ ସ୍ଥିତିରେ ରହିବ, ସେ ନେଇ କିଛି ଦର୍ଶାଯାଇନଥିଲା । ସେ ଦେଶର ମୋଟ ଘରୋଇ ଉତ୍ପାଦ କଥା ଉଠାଇନଥିଲେ । ଡିଆର୍ସି ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଚୀନ୍ର ଅର୍ଥନୈତିକ ସ୍ଥିତି ଊଦ୍ଧ୍ୱର୍ମୁଖୀ ହେବ । କିନ୍ତୁ ଏହା ଆମେରିକା ପଛରେ ରହିବ । ଆମେରିକା ହିଁ ବିଶ୍ୱର ଅର୍ଥନୈତିକ ମହାଶକ୍ତି ଭାବେ ନିଜ ସ୍ଥାନ ଅତୁଟ ରଖିବ ।
ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଆମେରିକାର ଚାହିଦା ବଢ଼ି ବଢ଼ି ଚାଲିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହା ଇନ୍ଧନ ଯୋଗାଇବ । ଅନ୍ୟପକ୍ଷରେ ୟୁରୋପୀୟ ସଂଘ ରାଷ୍ଟ୍ର ଏବଂ ଜାପାନ ଅର୍ଥନୀତି ଦୁର୍ବଳ ହୋଇପଡ଼ିବ । ଜାପାନ୍ ୨୦୩୫ ସୁଦ୍ଧା ପଞ୍ଚମ ସ୍ଥାନକୁ ଖସିଆସିବ । ବର୍ତ୍ତମାନ ଏହା ଦ୍ୱିତୀୟ ବୃହତ୍ ଅର୍ଥନୀତି ରହିଛି । ସେହିଭଳି ୨୦୩୫ ସୁଦ୍ଧା ଶ୍ରେଷ୍ଠ ୭ଟି ଅର୍ଥନୀତି ମଧ୍ୟରେ ଜର୍ମାନୀ ଏକମାତ୍ର ୟୁରୋପୀୟ ରାଷ୍ଟ୍ର ଭାବେ ସ୍ଥାନ ପାଇବ । ଡିଆର୍ସି ରିପୋର୍ଟ ଆହୁରି ଦର୍ଶାଇଛି ଯେ ଆମେରିକା ଯଦିଓ ଶ୍ରେଷ୍ଠ ଅର୍ଥନୀତି ଭାବେ ନିଜ ସ୍ଥାନ ବଜାୟ ରଖିବ, କିନ୍ତୁ ‘ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରସ୍ଥଳ’ ୨୦୩୫ ସୁଦ୍ଧା ଆମେରିକା ଓ ୟୁରୋପରୁ ଏସିଆକୁ ସ୍ଥାନାନ୍ତର ହେବ । ଏସୀୟ ରାଷ୍ଟ୍ରଗୁଡ଼ିକ ଫୋକସ୍କୁ ଆସିବେ । ସୂଚନାଯୋଗ୍ୟ, ଗତବର୍ଷ ଚୀନ୍ର ଜାତୀୟ ମୋଟ ଘରୋଇ ଉତ୍ପାଦ ୧୩.୧ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିଲା । ଆମେରିକା ଅର୍ଥନୀତିର ଏହା ଦୁଇତୃତୀୟାଂଶ ଥିଲା ।