ବିଶ୍ୱ ପାଇଁ ସତର୍କ ଘଣ୍ଟି; ଆର୍ଥିକ ବିପର୍ଯ୍ୟୟ ମୁହାଁ ଆମେରିକା, ଦେବାଳିଆ ହେଲେ ବର୍ତ୍ତିବନି ବିଶ୍ୱ ବଜାର

ନୂଆଦିଲ୍ଲୀ, ୨୪ ।୫: ଆମେରିକା ଏବେ ନିଜେ ଭିଆଇଥିବା ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ମୁହାଁଉଛି । ଯଦି ରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ଏବଂ ଭବିଷ୍ୟତର ଖର୍ଚ୍ଚ ସହ ନୂଆ ସାମାଜିକ କାର୍ଯ୍ୟକ୍ରମ ଲାଗି ହେବାକୁ ଥିବା ବ୍ୟୟ ନ କମାନ୍ତି ତେବେ ଋଣ ପୈଠ କରିବା ଦେଶ ପାଇଁ କଷ୍ଟକର ହୋଇପଡ଼ିବ । ଅନ୍ୟପକ୍ଷରେ, ଡେଟ୍ ସୀମା ବୃଦ୍ଧିକୁ ସିନେଟ୍ ମଞ୍ଜୁରି ନ ଦେଲେ ବଜାରରୁ ଋଣ ଉଠାଇବା କଷ୍ଟକର ହୋଇପଡ଼ିବ । ଫଳରେ ଦେଶ ପୁରୁଣା ଋଣର ଖିଲାପୀ କରିବାକୁ ବାଧ୍ୟ ହେବ । ଏହା ହେଲେ ଦେଶ ଦେବାଳିଆ ହେବ, ତା’ସହିତ ବିଶ୍ୱ ବଜାର ପାଇଁ ସଂକଟ ସୃଷ୍ଟି କରିବ । ବିଶ୍ୱ ଅର୍ଥନୀତିର ମଙ୍ଗୁଆଳ କୁହାଯାଉଥିବା ଆମେରିକା ଏହାର ସମ୍ମାନ ମଧ୍ୟ ହରାଇବ । ନିୟୁତାଧିକ ଲୋକଙ୍କୁ ଅବସର ନେବାକୁ ପଡ଼ିବ । ସେମାନଙ୍କୁ ମିଳିବାକୁ ଥିବା ସାମାଜିକ ସୁରକ୍ଷା ସୁବିଧା ଉପରେ ମଧ୍ୟ ରୋକ ଲାଗିବ । ବଜାର ଋଣ ଉଠାଣ ଉପରେ ଏକ ସୀମା ଲଗାଇବା ନେଇ କଂଗ୍ରେସ ଅଡି ବସିଛି ।
ଫଳରେ ସରକାର ଋଣ ପରିଶୋଧ କ୍ଷେତ୍ରରେ ବଡ଼ ସମସ୍ୟାର ସାମ୍ନା କରିବା ନେଇ ଆଶଙ୍କା ଉପୁଜିଛି । ଆମେରିକା ଋଣ ପଇଠରେ ବିଫଳ ହେଲେ ଏହା ସାରା ବିଶ୍ୱର ଆର୍ôଥକ କ୍ଷେତ୍ରକୁ ଦୋହଲାଇ ଦେବ । ସେହିଭଳି ବଡ ଧରଣର ଛଟେଇକୁ ମଧ୍ୟ ଏଡାଯାଇ ନ ପାରେ । ଋଣ ସୀମା ପ୍ରସଙ୍ଗକୁ ନେଇ ହ୍ୱାଇଟ ହାଉସ୍ ଏବଂ ହାଉସ୍ ଅଫ୍ ରିପବ୍ଲିକାନ ମଧ୍ୟରେ ମତ ପାର୍ଥକ୍ୟ ଲାଗି ରହିଛି । ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ଲାଗି ବାଇଡେନ ହାଉସ୍ ସ୍ପିକର କେଭିନ ମ୍ୟାକାର୍ଥୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ବାଇଡେନ ଏବେ ଜାପାନ ଗସ୍ତରୁ ଫେରିଥିବା ବେଳେ ୟୁଏସ୍ ବିଶ୍ୱ ଅର୍ଥନୀତିକୁ କୌଣସି ସଂକଟରେ ପକାଇବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ପାରି ନାହାନ୍ତି । ତେବେ ଟ୍ରେଜେରୀ ସେକ୍ରେଟେରୀ ଜାନେତ୍ ୟେଲେନ୍ଙ୍କ ପ୍ରତିକ୍ରିୟା ପରେ ଆମେରିକା ସ୍ଥିତି ଯେ ଏବେ ଠିକ୍ ନାହିଁ ତାହା ଅନେକେ ଉପଲବ୍ଧି କଲେଣି । ଜାନେତ୍ ନିକଟରେ କହିଥିଲେ ଯେ, ଯଦି ଋଣ ଉଠାଣ ସୀମାକୁ ଜୁନ ପହିଲା ସୁଦ୍ଧା ବୃଦ୍ଧି କରା ନ ଯାଏ ତେବେ ସରକାର ଋଣ ପଇଠ ନେଇ ସକ୍ଷମ ହେବେ ନାହିଁ । ମାତ୍ର ଏହାର ଢ଼େର ଆଗରୁ ଆମେରିକା ଋଣ ସୁଝି ପାରିବନି, ଏହି ଭୟ ଏବେ ଫାଇନାନ୍ସ ବଜାରରେ ପହଞ୍ଚିଯାଇଛି । ଯାହା ନିବେଶକଙ୍କୁ ଭୟଭୀତ କରିବା ସହ ଗଭୀର ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞ ଅନୁମାନ କଲେଣି । ସରକାରଙ୍କ ଯାହା ବି ଖର୍ଚ୍ଚ ରହିଛି ତାହା ଅନୁମୋଦିତ । ଏହାକୁ ଦେଖି ଋଣ ସୀମାରେ କଟକଣା ଲାଗୁ ସପକ୍ଷରେ ବାଇଡେନ ନାହାନ୍ତି ।
ତେବେ ବିରୋଧୀ କହିଛନ୍ତି, ସରକାର ଅଧିକ ଅର୍ଥ ଖର୍ଚ୍ଚ କରିବା ଯୋଗୁ ଏହା ଆର୍ôଥକ ବିପର୍ଯ୍ୟୟକୁ ଡାକି ଆଣିଛି । ଦେଶର ସ୍ଥିତି ଏବେ ବିଗୁଡୁଥିବାରୁ ବାଇଡେନ ତାଙ୍କ ଗସ୍ତ ସମୟକୁ କମ୍ କରିଛନ୍ତି । ଟ୍ରମ୍ପଙ୍କ ସପକ୍ଷବାଦୀମାନେ ଅର୍ଥନୀତିକୁ ଡୁବାଇ ଦେବାକୁ ପ୍ରସ୍ତୁତ ବୋଲି ବାଇଡେନ କହିଛନ୍ତି । ଆମେରିକା ଦେବାଳିଆ ହେଲେ ଏହା କେବଳ ୟୁଏସ୍ ଅର୍ଥନୀତିକୁ ବାଧିବ ନାହିଁ । ସାରା ବିଶ୍ୱ ବଜାର ସଙ୍କଟ ମଧ୍ୟକୁ ଆସିଯିବ । ଆମେରିକାକୁ ଇଲେକଟ୍ରୋନିକ୍ସ ବିକ୍ରି କରୁଥିବା ଚୀନ ଫ୍ୟାକ୍ଟ୍ରିଗୁଡିକ ମଧ୍ୟ ଦେବାଳିଆ ହୋଇଯିବେ । ୟୁଏସ୍ ଟ୍ରେଜେରୀରେ ନିବେଶ କରିଥିବା ସ୍ୱିସ୍ ନିବେଶକ ମାନେ କ୍ଷତି ସହିବେ । ଶ୍ରୀଲଙ୍କା ମଧ୍ୟ ଡଲାରକୁ ବିକଳ୍ପ ମୁଦ୍ରା ଭାବେ ବ୍ୟବହାର କରିପାରିବ ନାହିଁ । ମୁଡିସ ଆନାଲିଟକ୍ସର ମୁଖ୍ୟ ଅର୍ଥନୀତିଜ୍ଞ ମାର୍କ ଜାନ୍ଦି କହିଛନ୍ତି, ଆମେରିକାରେ ଋଣ ସଙ୍କଟ ଘନେଇଲେ କୌଣସି ଦେଶ ତ୍ରାହି ପାଇବେନି । ସଙ୍କଟ ସ୍ଥିତି ଉପୁଜିଲେ ସମସ୍ୟାକୁ ଏତେ ଶୀଘ୍ର ଆୟତ୍ତ କରି ହେବନି । ଋଣ ସୀମା ନେଇ ରହିଥିବା ନିୟମକୁ ଯଦି ଗୋଟିଏ ସପ୍ତାହ ଯାଏ ମଧ୍ୟ ବଢ଼ାଯାଏ ତେବେ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ଦେଖାଯିବ । ଏହା ଦ୍ୱାରା ୧.୫ ନିୟୁତ ନିଯୁକ୍ତି ଚାଲିଯିବ ।
ସେହିଭଳି ଦୀର୍ଘଦିନ ଧରି ସଙ୍କଟ ଲାଗି ରହିଲେ ଏହା ଆମେରିକାରେ ୭.୮ ନିୟୁତଙ୍କ ଚାକିରି ନେଇଯିବ । ସୁଧ ହାର ବଢ଼ିବା ସହ ବେକାରି ହାର ୩.୪%ରୁ ୮%କୁ ତେଜିବ । ସେହିଭଳି ୧୦ ଲକ୍ଷ କୋଟି ଡଲାର ଷ୍ଟକ ବଜାରରୁ ଉଭେଇ ଯିବାର ମଧ୍ୟ ଆଶଙ୍କା କରାଯାଉଛି । ଏଭଳି ସ୍ଥିତି ଯେଭଳି ନ ଉପୁଜିବ ସେ ଦିଗରେ ଏବେ ଉଭୟ ହ୍ୱାଇଟ ହାଉସ ଓ ହାଉସ ଅଫ୍ ରିପବ୍ଲିକାନ ମଧ୍ୟରେ ଆଲୋଚନା ଆରମ୍ଭ ହେଉଛି । ଦୀର୍ଘବର୍ଷ ହେବ ବିଶ୍ୱ ବଜାର ଆମେରିକା ଉପରେ ଭରସା କରିଛି । ଆମେରିକା ଋଣ ଖିଲାପ କଲେ ଏହା ୨୪ ଲକ୍ଷ କୋଟି ଡଲାରର ଟ୍ରେଜେରି ଡେଟକୁ କ୍ଷତିଗ୍ରସ୍ତ କରିବ । ଫାଇନାନ୍ସ ବଜାର ଶିଥିଳ ପଡିଯିବ । ଯାହା ସମଗ୍ର ବିଶ୍ୱକୁ ସଙ୍କଟକୁ ଠେଲିଦେବ । ବିଶ୍ୱ ଏବେ ଉଚ୍ଚ ସୁଧହାର, ମୁଦ୍ରାସ୍ଫୀତି ଏବଂ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏଭଳି ସମୟରେ ଆମେରିକା ସ୍ଥିତି ବିଗିଡିଲେ ଏହା ସାରା ବିଶ୍ୱକୁ ଅଣାୟତ୍ତ କରିପକାଇବ । ପୂର୍ବରୁ ଋଣ ସଙ୍କଟକୁ ସମ୍ଭାଳିବା ଲାଗି ଆମେରିକାର ରାଜନୈତିକ ଲିଡରମାନେ ଋଣ ସୀମାକୁ ବଢ଼ାଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତି କିଛି ଅଲଗା । ଏବେ କଂଗ୍ରେସରେ ମତଭେଦ ବଢ଼ିଛି । ସେହିଭଳି ଟିକସ ସଂଗ୍ରହରେ ହ୍ରାସ ଏବଂ ବେପରୁଆ ଖର୍ଚ୍ଚ ବୃଦ୍ଧି ଯୋଗୁ ରାଜକୋଷର ସ୍ଥିତି ମଧ୍ୟ ବିଗିଡିଛି । ଯଦି ନୀତି ନିର୍ଦ୍ଧାରକ ଜୁନ ପହିଲା ସୁଦ୍ଧା କିଛି ଠୋସ ପଦକ୍ଷେପ ଗ୍ରହଣ ନ କରନ୍ତି ସ୍ଥିତି ଅଣାୟତ୍ତ ହେବ ବୋଲି ଟ୍ରେଜେରୀ ସେକ୍ରେଟାରୀ ସତର୍କ କରାଇ ଦେଇଛନ୍ତି ।