ଭାରତ ଓ ଚୀନକୁ ନେଇ ଆମେରିକାର ଚିନ୍ତାଜନକ ରିପୋର୍ଟ: ‘ଦୁଇ ଆଣବିକ ଶକ୍ତି ମଧ୍ୟରେ ରହିଛି ସଶସ୍ତ୍ର ଯୁଦ୍ଧ ବିପଦ’

ନୂଆଦିଲ୍ଲୀ ୦୯/ ୦୩: ଭାରତ ଏବଂ ଚୀନ ମଧ୍ୟରେ ବଢୁଛି ବିବାଦ । ଉଭୟ ଦେଶ ସୀମା ସୁରକ୍ଷାକୁ ନେଇ ସର୍ବଦା ମୁହାଁମୁହିଁ ପରିସ୍ଥିତିରେ ରହୁଥିବା ବେଳେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଭାରତ ଓ ଚୀନ ସୀମାରେ ସେନା ମୁତୟନ ମଧ୍ୟ ଲଗାତାର ଭାବେ ବୃଦ୍ଧି କରିବାରେ ଲାଗିଛନ୍ତି । ଯାହା କି ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ । ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଆଗକୁ ଯୁଦ୍ଧ ହେବାର ଆଶଙ୍କା ମଧ୍ୟ ଅଧିକ । ଏ ନେଇ ରିପୋର୍ଟ ଦେଇଛି ଆମେରିକାର ଗୁଇନ୍ଦା ସଂସ୍ଥା ।

ଆମେରିକାର ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଚୀନ ପୂର୍ବରୁ ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ସୀମାରେ ସଂଘର୍ଷ ଘଟି ଜୀବନ ବି ଯାଇଛି । ରିପୋର୍ଟରେ କୁହାଯାଇଛି କି, ‘ଭାରତ ଓ ଚୀନ ସେନା ସୀମାରେ କ୍ରମାଗତ ଭାବେ ସୈନ୍ୟ ମୁତୟନ ବୃଦ୍ଧି କରିବାରେ ଲାଗିଛନ୍ତି । ଦୁଇ ଆଣବିକ ଦେଶ ଏଭଳି କରିବା ଦ୍ବାରା ଆଗାମୀ ଦିନରେ ସ୍ଥିତି ବିଗିଡିପାରେ । ଏପରିକି ଯୁଦ୍ଧ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ୨୦୨୦ ମସିହାରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ଦେଶରୁ ଅନେକ ସୈନ୍ୟ ମୃତାହତ ହୋଇଥିଲେ । ସେହି ଘଟଣା ଏବେ ବି ତାଜା ହୋଇ ରହିଛି । ଯାହା କି ଦଶନ୍ଧିର ସବୁଠାରୁ ବଡ ଘଟଣା । ତେବେ ଆଶ୍ବିସ୍ତିକର କଥା ହେଉଛି ଭାରତ ଓ ଚୀନ ସେନାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଲଗାତାର ଭାବେ ଆଲୋଚନା ଜାରି ରହିଛି ।

ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷଙ୍କୁ ମଧ୍ୟ ଅବଗତ କରିଥିଲେ ଯେ, ଭାରତ ଏବଂ ଚୀନ ମଧ୍ୟରେ ସ୍ଥିତି ଅସ୍ବାଭାବିକ ରହିଛି । ବିଦେଶ ମନ୍ତ୍ରୀଙ୍କ ଏଭଳି ବୟାନର କିଛିଦିନ ପରେ ଆମେରିକା ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ସୂଚନା ଯେ, ଗତ ମାର୍ଚ୍ଚ ୨ ତାରିଖରେ ଭାରତ ଏବଂ ଚୀନ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଜି-୨୦ ବୈଠକ ପାଇଁ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀ ବୈଠକରେ ଉପସ୍ଥିତ ଥିଲେ । ଜୟଶଙ୍କର ବୈଠକରେ ରୋକଠୋକ୍ କହିଥିଲେ ଯେ, ଭାରତ ଓ ଚୀନ ସମ୍ପର୍କ ଏବେ ଅସ୍ବାଭାବିକ ରହିଛି । ସୀମାରେ ଯେ ପର୍ଯ୍ୟନ୍ତ ଶାନ୍ତି ନଆସିଛି ସେ ପର୍ଯ୍ୟନ୍ତ ଏଭଳି ଟକରାଟକରି ଲାଗି ରହିବ ।
