ମୋଦୀ-ବାଇଡେନଙ୍କ ବୈଠକ ପୂର୍ବରୁ ଆମେରିକା ଜାରି କଲା ଏଭଳି ବୟାନ; କ୍ବାଡ ସମ୍ମିଳନୀରେ ହେବ ସ୍ବତନ୍ତ୍ର ଆଲୋଚନା

Image Courtesy : BBC
ନୂଆଦିଲ୍ଲୀ,୨୩/୦୫: ଟୋକିଓରେ ଆୟୋଜିତ ୧୪ ତମ କ୍ବାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭିତରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହେବାକୁ ଯାଉଛି। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବାକୁ ଥିବା ଏହି ବୈଠକ ପୂର୍ବରୁ ଆମେରିକା ଏକ ବୟାନ ଜାରି କରିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସାଲଭିନ କହିଛନ୍ତି ଯେ ମାନବିକ ଅଧିକାର ତଥା ମୌଳିକ ସ୍ୱାଧୀନତା ସୁନିଶ୍ଚିତ କରିବା ପ୍ରସଙ୍ଗରେ ଭାରତକୁ ଅଲଗା କରି ବୁଝାଯିବ ନାହିଁ। ଆମେରିକା ଏନଏସଏ ର ଏହି ବୟାନ ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ଆଲୋଚନା ପୂର୍ବରୁ ଜାରି କରାଯାଇଛି।
ଜାପାନର ରାଜଧାନୀ ଟୋକିଓରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତର ସଦସ୍ୟତା ସମ୍ପନ୍ନ କ୍ବାଡ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଚାରୋଟି ଦେଶର ରାଷ୍ଟ୍ରମୁଖ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଟୋକିଓକୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ବିମାନରେ ହିଁ ଜଣେ ସାମ୍ବାଦିକଙ୍କର ପ୍ରଶ୍ନର ପ୍ରତିକ୍ରିୟା ଦେବାକୁ ଯାଇ ଆମେରିକା ଏନଏସଏ ଏହି ସମ୍ପର୍କିତ ତମାମ ସୂଚନା ଦେଇଥିଲେ। ସାମ୍ବାଦିକ ଜଣଙ୍କ ପଚାରିଥିଲେ ଯେ, ଭାରତ ଉପରେ ମାନବଅଧିକାର ଉଲଙ୍ଘନ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଥିବା ଭଳି ଅଭିଯୋଗ ଆସିଛି କି? ତେବେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆମେରିକାର ଏନଏସଏ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍ ଆରମ୍ଭ ରୁ ହିଁ ସ୍ପଷ୍ଟ କରିଥିଲେ ଯେ, ଗଣତାନ୍ତ୍ରିକ ରାଷ୍ଟ୍ରର ସ୍ୱାଧୀନତା, ମାନବିକ ଅଧିକାର ଏବଂ ସ୍ୱାଧୀନତାର ମୂଳ ମୂଲ୍ୟବୋଧ କ୍ଷୁର୍ଣ୍ଣ ହେଲେ ଆମେରିକା ତାକୁ ନେଇ ପ୍ରଶ୍ନ କରିବ। ଆମେ ନିୟମ ଆଧାରିତ ବ୍ୟବସ୍ଥାର ସମର୍ଥକ। ଏହା ସମସ୍ତ ଦେଶ ପାଇଁ ଲାଗୁ ହୋଇଥିବା ସମସ୍ତେ ଜାଣନ୍ତି, ତେଣୁ ଆମେ ଏଥିପାଇଁ ଭାରତକୁ ଅଲଗା ଭାବରେ ବୁଝାଇବାକୁ ପଡ଼ିବ ନାହିଁ। ଆମେରିକା ଏନଏସଏ କହିଛନ୍ତି ଯେ, ଗଣତାନ୍ତ୍ରିକ ତଥା ଅଗଣତାନ୍ତ୍ରିକ ଦେଶଗୁଡିକ ସହିତ ବାସ୍ତବବାଦୀ ନୀତିକୁ ନେଇ ବାଇଡେନ୍ ପ୍ରଶାସନ ଆଗକୁ ବଢ଼ୁଛି।
ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସେ କହିଛନ୍ତି। ୟୁକ୍ରେନ ଉପରେ ଋଷର ଆକ୍ରମଣ ମାମଲାରେ ଆମେରିକାର ଏନଏସଏକୁ ପଚରାଯାଇଥିଲା। ଏହା ଉପରେ ସେ କହିଛନ୍ତି ଯେ ଋଷ ଏବଂ ୟୁକ୍ରେନ ସହ ଜଡିତ ପ୍ରସଙ୍ଗ ମଧ୍ୟ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନାରେ ଉଠାଯିବ। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏକ ଗଠନମୂଳକ ଏବଂ ସରଳ ଆଲୋଚନା ହେବ।