ୟାସିନ୍ ମଲିକ୍ ସମର୍ଥନ ବାହାରିଲେ ଶାହିଦ ଆଫ୍ରିଦି, କଡା ସମାଲୋଚନା କରି ମୁହଁ ବନ୍ଦ କରାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୨୫।୫: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ଆଫ୍ରିଦି ଚର୍ଚ୍ଚାର ପରିସରରେ ଅଛନ୍ତି। ସେ ଆତଙ୍କୀ ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ଜମ୍ମୁ-କଶ୍ମୀରର ୟାସିନ୍ ମଲିକ୍ଙ୍କୁ ନେଇ ଟ୍ବିଟ୍ କରିଛନ୍ତି। ଦିଲ୍ଲୀର ଏନଆଇଏ ସ୍ପେଶାଲ କୋର୍ଟରେ ୟାସିନ୍ ମଲିକ୍ଙ୍କୁ ସଜା ଦିଆଯିବା ପୂର୍ବରୁ ଆଫ୍ରିଦି ତାଙ୍କ ସମର୍ଥନରେ ବାହାରିବା ସହ ତାକୁ ନିର୍ଦୋଷ ବୋଲି କହିଥିଲେ।
Dear @safridiofficial he himself has pleaded guilty in court on record. Not everything is misleading like your birthdate. ???https://t.co/eSnFLiEd0z
— Amit Mishra (@MishiAmit) May 25, 2022
ଏହାପରେ ଭାରତୀୟ କ୍ରିକେଟର ଅମିତ ମିଶ୍ରା ତାଙ୍କୁ କଡା ଜବାବ୍ ଦେଇ ଆଫ୍ରିଦିଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଆଫ୍ରିଦି ଟ୍ବିଟ୍ କରି ଲେଖିଥିଲେ, ଯେଉଁ ଭଳି ଭାବରେ ଭାରତ କଶ୍ମୀରରେ ମାନବାଧିକାର ଉଲଂଘନ କରିବା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କୁ ଚୁପ୍ କରିବାକୁ ଚେଷ୍ଟା କରୁଛି, ତାହା ନିରର୍ଥକ। ସେ ଆହୁରି କହିଛନ୍ତି ଯେ, ମଲିକ୍ଙ୍କ ବିରୋଧରେ ମନଗଢା ଅଭିଯୋଗ କାଶ୍ମୀର ସ୍ବାଧୀନତାର ସଂଘର୍ଷକୁ ରୋକି ପାରିବ ନାହିଁ।
ଆଫ୍ରିଦିଙ୍କ ଏହି ଟ୍ବିଟ୍ ପରେ ଅମିତ ମିଶ୍ରା ଟ୍ବିଟ୍ କରି ତାଙ୍କୁ କଡା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ଡିଅର ଶାହିଦ୍ ଆଫ୍ରିଦି, କୋର୍ଟ ରୁମ୍ରେ ସେ ନିଜର ଦୋଷୀ ସ୍ବୀକାର କରିଛନ୍ତି। ଆପଣଙ୍କ ଜନ୍ମ ତିଥି ଭଳି ସବୁକିଛି ମନଗଢା ନୁହେଁ। କଶ୍ମୀର ପ୍ରସଙ୍ଗ ଉପରେ ଆଫ୍ରିଦି ପୂର୍ବରୁ ମଧ୍ୟ ବହୁବାର ଉତ୍ତେଜନାକାରୀ ବୟାନ ଦେଇସାରିଛନ୍ତି। କେବଳ ସେତିକି ନୁହେଁ ନିଜୟ ବୟସକୁ ନେଇ ମଧ୍ୟ ବିବାଦରେ ରହିସାରିଛନ୍ତି। ଆଇସିସିର ସୂଚନା ଅନୁସାରେ, ଆଫ୍ରିଦିଙ୍କ ଜନ୍ମ ୧ ମାର୍ଚ୍ଚ ୧୯୮୦ ରେ ହୋଇଥିଲା। ସେଭଳି ୨୦୧୯ ରେ ପାକିସ୍ତାନୀ କ୍ରିକେଟର ନିଜେ କହିଥିଲେ ଯେ, ୧୯୯୬ ରେ ଶ୍ରୀଲଙ୍କା ବିପକ୍ଷରେ ୩୭ ବଲ୍ରେ ଶତକ କରିବା ବେଳେ ତାଙ୍କର ବୟସ୍ ୧୬ ବର୍ଷ ହୋଇନଥିଲା।