ମନୋବଳ ବଢ଼ାଇଲେ ଅମିତ ଶାହ: ପୁରୀ ଜନଜାତି ରାଷ୍ଟ୍ରୀୟ ମହା ଅଧିବେଶନ ଉପରେ ଆଖି

source:www.indiatoday.in
ଭୁବନେଶ୍ୱର,୩୦ ।୧(ବୁରୋ): ପ୍ରଧାନମନ୍ତ୍ରୀ ୩ ଥର ଓଡ଼ିଶା ଗସ୍ତରେ ଆସିଲେ । ମାତ୍ର ନବୀନ ଓ ବିଜେଡି ଉପରେ କମ୍ ଆକ୍ରମଣ କଲେ, କଂଗ୍ରେସକୁ ବେଶୀ ଟାର୍ଗେଟ୍ କଲେ । ମୋଦିଙ୍କର ନବୀନଙ୍କ ପ୍ରତି ଏମିତି କୋହଳ ମନୋଭାବ ଦେଖି ତାଜୁବ୍ ହୋଇଗଲେ ବିଜେପି ନେତା ଓ କର୍ମୀ । ମାତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସାଲେପୁର ଗସ୍ତ ଦଳକୁ ଟିକେ ଜୋସ୍ ଦେଇଛି । ଶାହ ଯଦିଓ ବେଶୀ ପ୍ରସଙ୍ଗ ଭିତରକୁ ଯାଇନାହାନ୍ତି ମାତ୍ର ବିଜେଡି ଓ ନବୀନଙ୍କୁ ଶାଣିତ ଆକ୍ରମଣ କରିଥିଲେ । ଶାହଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମନୋବଳ ବଢ଼ାଇଛି । ଆସନ୍ତା ୩ରେ ଶାହ ପୁଣି ପୁରୀ ଆସୁଥିବାରୁ ତାଙ୍କର ଏ ଗସ୍ତ ଉପରେ ଦଳ ଓ ରାଜ୍ୟ ରାଜନୈତିକ ମହଲର ନଜର ରହିଛି ।
ଆସନ୍ତା ୨ ଏବଂ ୩ ରେ ଶ୍ରୀକ୍ଷେତ୍ର ପୁରୀଠାରେ ହେବ ଦୁଇଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ । ମହାଅଧିବେଶନର ଉଦଯାପନୀ ଉତ୍ସବରେ ସାମିଲ୍ ହେବେ ଶାହ । ପୁରୀ ମହାଅଧିବେଶନ ନେଇ ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଫେବ୍ରୁଆରୀ ୧ ସଂଧ୍ୟା ୫ଟାରେ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଭିନ୍ନ ସାଂଗଠନିକ ଋଣନୀତି ସଂର୍ପକରେ ଆଲୋଚନା ହେବ । ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଉଧ୍ୱର୍ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ଯୋଗଦେବେ । ୨ରେ ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଫେବ୍ରୁଆରୀ ୩ରେ ଆଦିବାସୀଙ୍କ ହକ୍ ପାଇଁ “ଆଦିବାସୀ ଅଧିକାର ରାଲି’ ଆୟୋଜିତ ହେବ । ରାଲିକୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସମ୍ବୋଧିତ କରିବେ । ଏହି ଅବସରରେ ୧ ଲକ୍ଷରୁ ଉଧ୍ୱର୍ ଆଦିବାସୀ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମ ବିଚାର ନେତମ ସୂଚନା ଦେଇଛନ୍ତି ।
ଜନଜାତିଙ୍କର ଅଧିକାରକୁ ଛଡ଼ାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନରେ ଆଲୋଚନା ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ଆଦିବାସୀ ଅଧିକାର ର୍ୟାଲିର ପୋଷ୍ଟର ରିଲିଜ ହୋଇଛି ।
ଶ୍ରୀ ନେତମ ଅଭିଯୋଗ କରିଛନ୍ତି, ଦୀର୍ଘ ୧୯ ବର୍ଷ ଶାସନରେ ରହି ରାଜ୍ୟ ସରକାର ଜନଜାତିଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ରାଜ୍ୟରେ ଅନେକ ଗାଁ ଜଙ୍ଗଲ ଭିତରେ ରହିଛି । ସେହି ଗାଁକୁ ଆଜି ପର୍ଯ୍ୟନ୍ତ ମାନ୍ୟତା ମିଳିନାହିଁ । ଅଧିକାଂଶ ଜନଜାତି ଅଞ୍ଚଳରେ ରାସ୍ତା, ପାଣି, ବିଜୁଳି ପହଞ୍ଚିନାହିଁ । ମୋଦି ସରକାର ଗରିବ ଜନଜାତି ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ମନ୍ତ୍ରାଳୟ ପକ୍ଷରୁ ଦେଶରେ ୬୦୦ ଏକଲବ୍ୟ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରୁ ୯୨ ଏକଲବ୍ୟ ବିଦ୍ୟାଳୟ ଓଡ଼ିଶାକୁ ମିଳଛି । ଜନଜାତିଙ୍କୁ ଜମି ନଦେଇ କେବଳ ମିଛ ପଟ୍ଟା ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଜ୍ୟ ସଭାପତି ବିଧାୟକ ରବି ନାଏକ, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଓ ପୂର୍ବତନ ସାଂସଦ ଅନନ୍ତ ନାୟକ, ପୂର୍ବତନ ବିଧାୟକ ମୋହନ ମାଝୀ, କାଳିରାମ ମାଝୀ ଏବଂ ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ ।